ରୟାଲ୍ସକୁ ରୋକିଲା କିଙ୍ଗ୍ସ: ୪,୦୦୦ ରନ୍‌ରେ ଗେଲ୍ ଦ୍ରୁତତମ

ଜୟପୁର: ଆଇପିଏଲ୍‌-୧୨ର ଚତୁର୍ଥ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନ୍‌ରେ ପୂର୍ବବିଜେତା ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପଞ୍ଜାବ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ଏକଦା ଦୃଢ଼ ସ୍ଥିତି‌େର ଥିବା ରାଜସ୍ଥାନ ନାଟକୀୟ ବିପର୍ଯ୍ୟୟ ସହ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୦ ରନ୍ କରି ପାରିଥିଲା। ମ୍ୟାଚର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍‌ଙ୍କ ଧମାକାଦାର ବ୍ୟାଟିଂ ସହ ବୋଲରଙ୍କ ମିଳିତ ପ୍ରୟାସ ପଞ୍ଜାବକୁ ରୋମାଞ୍ଚକର ବିଜୟ  ଉପହାର ଦେଇଥିଲା। ତେବେ ଦ୍ରୁତ ବ୍ୟାଟିଂ କରୁଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ପଞ୍ଜାବ ଅଧିନାୟକ ଆର ଅଶ୍ବିନ ମାଙ୍କେଡିଂ କରିବା ମ୍ୟାଚ୍‌ର ଅନ୍ୟତମ ବିବାଦୀୟ ଘଟଣା ହୋଇଥିଲା।  ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭) ଓ ବଟଲର (୬୯) ପ୍ରଥମ ୱିକେଟ୍‌ରେ ଦ୍ରୁତ ୭୮ ରନ୍ କରିଥିଲେ। ହେଲେ ରାହାଣେଙ୍କୁ ଅଫ୍ କଟରରେ ବୋଲ୍ଡ କରିବା‌ ସହ ବଟଲରଙ୍କୁ ତ୍ରୟୋଦଶ ଓଭରରେ ବିବାଦୀୟ ଭାବେ ମାଙ୍କେଡିଂ କରି ଅଶ୍ବିନ ପଞ୍ଜାବକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ବଲ୍ ବିକୃତ ମାମଲାରେ ଏକ ବର୍ଷର ବାସନ୍ଦାଦେଶ ଭୋଗି କୌଣସି ପେସାଦାର ଲିଗ୍‌କୁ ଫେରିଥିବା ଅଷ୍ଟ୍ରେଲୀୟ ଷ୍ଟିଭେନ ସ୍ମିଥ (୨୦)ଙ୍କୁ ସାମ୍ କୁରାନ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇବା ମ୍ୟାଚ୍‌ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା।  ସଞ୍ଜୁ ସାମସନ (୩୦) ଓ ବେନ୍ ଷ୍ଟୋକ୍ସ (୬) ୭ ରନ୍ ଭିତରେ ଆଉଟ୍ ହେବା ପରେ ପଞ୍ଜାବ ବିଜୟ ପକ୍କା ହୋଇ ଯାଇଥିଲା। ରାଜସ୍ଥାନର ଶେଷ ୫ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ।

ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ସୋମବାର ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ୪ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ଗେଲ୍ ଦାୟିତ୍ବବାନ ବ୍ୟାଟିଂ କରି ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ମୟଙ୍କ ଅଗ୍ରୱାଲ (୨୨)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୫୬ ରନ୍ ଯୋଡ଼ିଥିଲେ। ୱିକେଟ୍ ବଞ୍ଚାଇବା ଲକ୍ଷ୍ୟରେ ଦୁର୍ଦ୍ଧର୍ଷ ଗେଲ୍ ପ୍ରଥମ ୨୭ ବଲ୍‌ରୁ ମାତ୍ର ୨୯ ରନ୍ କରିଥିଲେ। ହେଲେ ପରେ ନିଜ ବିସ୍ଫୋରକ ରୂପ ଦେଖାଇ ଛକା ଚୌକାରୁ ହିଁ ରନ୍ ଅମଳ କରିଥିଲେ। ନିଜ ଶେଷ ୨୦ ବଲ୍‌ରୁ ଗେଲ୍ ୫୦ ରନ୍ ଅର୍ଜନ କରି ନେଇଥିଲେ। ବେନ୍ ଷ୍ଟୋକ୍ସଙ୍କୁ ଡିପ୍ ମିଡୱିକେଟ୍ ଉପରେ ଛକା ମାରିବା ପ୍ରୟାସରେ ରାହୁଲ ତ୍ରପାଠୀଙ୍କ ହାତରେ ଧରା ପଡ଼ିବା ପୂର୍ବରୁ ସେ ପଞ୍ଜାବ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଏହା ପରେ ସର୍ଫରାଜ ଖାନ୍ ପଞ୍ଜାବ ପାଳିକୁ ଆଗେଇ ନେଇଥିଲେ। ସେ ମାତ୍ର ୨୯ ବଲ୍‌ରୁ ୬ ଚୌକା ଏବଂ ଗୋଟିଏ ଛକା ବଳରେ ୪୬ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ଦ୍ରୁତ ଓ ଉପଯୋଗୀ ପାଳି ପାଇଁ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା।

ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୮୪/୪ (କ୍ରିସ୍ ଗେଲ୍ ୭୯, ସର୍ଫରାଜ ଖାନ୍ ୪୬*, ମୟଙ୍କ ଅଗ୍ରୱାଲ ୨୨, ବେନ୍ ଷ୍ଟୋକ୍ସ ୨/୪୮, ଧୱଲ କୁଲକର୍ଣ୍ଣି ୧/୩୦, କୃଷ୍ଣପ୍ପା ଗୌତମ ୧/୩୨)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୯ (ଜୋସ୍ ବଟଲର ୬୯, ସଞ୍ଜୁ ସାମସନ ୩୦, ଅଜିଙ୍କ୍ୟ ରାହ‌ାଣେ ୨୭, ମୁଜିବ-ଉର୍-ରେହମାନ ୨/୩୧, ଅଙ୍କିତ ରାଜପୁତ ୨/୩୩, ସାମ୍ କୁରାନ ୨/୫୨)।

ଜୟପୁର: ଆଇପିଏଲ୍ ଆସିଲା, ଗେଲ୍ ଝଡ଼ ଫେରିଲା। ପ୍ରଥମେ ପ୍ରଥମେ ସିଙ୍ଗଲ ଆଉ ତା’ ପରେ ଛକା ଚୌକା ବର୍ଷା। ଜୟପୁରର ସବାଇ ମାନ ସିଂହ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍‌ (୭୯ ରନ୍, ୪୭ ବଲ୍, ୮ ଚୌକା, ୪ ଛକା)ଙ୍କ ପାଳି ଥିଲା ଏମିତି। ଆଇପିଏଲ୍‌ର ଅନ୍ୟତମ ଆକର୍ଷଣ ଗେଲ୍ ଆଜି ପୁଣି ଥରେ ତାଙ୍କ କମାଲ ଦେଖାଇଥିଲେ। ଅର୍ଧଶତକୀୟ ପାଳି ଖେଳି ପଞ୍ଜାବ ସ୍କୋରକୁ ସେ ୧୮୪/୪ରେ ପହଞ୍ଚାଇ ଦେଇଥି‌ଲେ। ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ବ୍ୟକ୍ତିଗତ ଭାବେ ଗେଲ୍ ଏକ ନୂଆ ଆଇପିଏଲ୍ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଆଇପିଏଲରେ ୪,୦୦୦ ରନ୍ ପୂରଣ କରିବାରେ ସେ ଦ୍ରୁତତମ ଖେଳାଳି ପାଲଟି ଯାଇଥିଲେ। ଅବଶ୍ୟ ଏହି ମ୍ୟାଚ୍‌କୁ ଯିବା ପୂର୍ବରୁ ୪,୦୦୦ ରନ୍‌ର ମାଇଲଖୁଣ୍ଟଠାରୁ ସେ ମାତ୍ର ୬ ରନ୍ ପଛରେ ଥିଲେ। ଧବଲ କୁଲକର୍ଣ୍ଣିଙ୍କ ବଲ୍‌ରୁ ମିଡ୍ ଅଫ୍ ଅଞ୍ଚଳରୁ ସିଙ୍ଗଲ ନେଇ ଗେଲ୍ ଦ୍ବିତୀୟ ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରେ ୪,୦୦୦ ରନ୍ କରିଥିଲେ। ଏହି କୀର୍ତ୍ତିମାନ ସେ ୧୧୩ ମ୍ୟାଚ୍ ଓ ୧୧୨ ପାଳିରୁ କରିଥିଲେ। ପୂର୍ବରୁ ପ୍ରଥମ ବିଦେଶୀ ଖେଳାଳି ଭାବେ  ଅଷ୍ଟ୍ରେଲୀୟ ଡେଭିଡ୍ ୱାର୍ନର ୪,୦୦୦ ଆଇପିଏଲ୍ ରନ୍ କରିବାର ଗୌରବ ଅର୍ଜନ କରିଥିଲେ। ସେ କିନ୍ତୁ ୧୧୪ ପାଳିରୁ ଏହାକୁ ଛୁଇଁଥିଲେ। ମୋଟ ଉପରେ କିନ୍ତୁ ଗେଲ୍ ନବମ ଖେଳାଳି ଭାବେ ୪,୦୦୦ ରନ୍‌ କରିଥିଲେ। ସେଥିମଧ୍ୟରେ ସେ ପାଞ୍ଚଟି ଶତକ ହାସଲ କରିଛନ୍ତି। ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୪,୦୦୦ ରନ୍ କରିଥିଲେ। ୫,୦୦୦ ରନ୍ କରିବାରେ ସୁରେଶ ରାଇନା ପ୍ରଥମ ଖେଳାଳି। ‌ଗେଲ୍‌ଙ୍କ ନାଁରେ କିନ୍ତୁ ଆଇପିଏଲର ସର୍ବାଧିକ ବ୍ୟକ୍ତିଗତ ରନ୍  (୧୭୫ ରନ୍, ୨୦୧୩ ବନାମ ପୁନେ ୱାରିୟର୍ସ) କୀର୍ତ୍ତିମାନ ରହିଛି। ଆଇପିଏଲ୍‌ରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ମଧ୍ୟ ଗେଲଙ୍କ ଖାତାରେ ଅଛି।

ସମ୍ବନ୍ଧିତ ଖବର