ନୂଆଦିଲ୍ଲୀ: ବିସ୍ମୟ ବାଳକରୁ କିଙ୍ଗ୍ କୋହଲିଙ୍କ ଯାତ୍ରା ଟେଷ୍ଟ୍ କ୍ରିକେଟ୍‌ରେ ଶେଷ ରେଖା ଟାଣିଦେଇଛି। କହିବାକୁ ଗଲେ ବିରାଟ କୋହଲିଙ୍କ ଟେଷ୍ଟ୍ ପରୀକ୍ଷା ଶେ‌‌ଷ ହୋଇଯାଇଛି। ଆଉ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଟପ୍ପର୍‌ ବି ହୋଇଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତର ବିଫଳତାର ଅନୁଭବ ଏତେ ପିଛା କରିଥିଲା ଯେ ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ବି ନିଷ୍ପତ୍ତି ନେଇସାରିଥିଲେ ଟେଷ୍ଟ୍ କ୍ରିକେଟ୍‌ରେ ଆଉ ସେମାନଙ୍କ ଆବଶ୍ୟକତା ନାହିଁ। ଠିକଣା ସମୟରେ ବି ଉଭୟ ସପ୍ତାହକ ଭିତରେ ଏହି ସର୍ବଶ୍ରେଷ୍ଠ ଫର୍ମାଟ୍‌କୁ ବିଦାୟ ଜଣାଇଛନ୍ତି। ଗତବର୍ଷ ମିଳିତ ଭାବେ ବିଶ୍ବକପ୍‌ ଜିତିବା ପରେ ଟ୍ବେଣ୍ଟି-୨୦ ଛାଡ଼ିଥିଲେ ଏବେ ଟେଷ୍ଟ୍ କ୍ରିକେଟ୍‌କୁ ଅଲବିଦା ଜଣାଇଛନ୍ତି। ଦିନିକିଆ ଫର୍ମାଟ୍‌ ସହ ଆଇପିଏଲ୍‌ରେ ଟ୍ବେଣ୍ଟି-୨୦ ଖେଳିବା ବେଳେ ଏବେ କେବଳ ଉଭୟଙ୍କ ବ୍ୟାଟିଂକୁ ଦେଖିପାରିବେ ପ୍ରଶଂସକ।
ସୋମବାର କୋହଲି ସାମାଜିକ ଗଣମାଧ୍ୟମରେ ବିବୃତି ରଖି ନିଜ ଟେଷ୍ଟ୍ କ୍ରିକେଟ୍‌ ଅବସର ବିଷୟରେ ସୂଚନା ଦେଇଛନ୍ତି। ‘‘୧୪ ବର୍ଷ ବିତିଯାଇଛି ମୁଁ ପ୍ରଥମେ ଟେଷ୍ଟ୍‌ କ୍ରିକେଟ୍‌ର ବ୍ୟାଗି ବ୍ଲୁ ଟୋପି ପରିଧାନ କରିବାକୁ। ମୁଁ କେବେ ଭାବି ନଥିଲି ଏ ଯାତ୍ରା  ମୋତେ ଏତେ ବାଟ ନେଇ ଆସିବ। ଏହା ମୋ ପରୀକ୍ଷା ନେଇଛି, ମୋତେ ଗଢ଼ିତୋଳିଛି, ଅନେକ କିଛି ଶିଖାଇଛି। ଯାହାକୁ ମୁଁ ଜୀବନସାରା ସାଇତିବି’’ ଏମିତି ଲେଖି ନିଜ ପ୍ରଶଂସକଙ୍କୁ ଅବସର ସୂଚନା ଦେଇଥିଲେ। ଏକଥା ବି ଲେଖିଥିଲେ ‘ଧଳା ପୋଷାକରେ ଖେଳିବା ଗଭୀରଭାବେ ମୋ ପାଇଁ ସ୍ବତନ୍ତ୍ର ହୋଇଛି। ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକୁ କେହି ଦେଖିପାରନ୍ତି ନାହିଁ, ମୋ ସହ କିନ୍ତୁ ଏହା ଚିରଦିନ ରହିବ’।

Advertisment

‘‘ଏହି ଫର୍ମାଟ ଛାଡ଼ିବା ମୋ ପାଇଁ ଏତେ ସହଜ ହୋଇନାହିଁ, କିନ୍ତୁ ଠିକଣା ସମୟରେ ଆସିଥିବା ଅନୁଭବ କରୁଛି। ମୋ ପାଖରେ ଯାହା ଥିଲା ଦେଇଛି। ମୋତେ କିନ୍ତୁ ଏହା ଯେତେ ଦେଇଛି ମୁଁ ତାହା ଆଶା କରିନଥିଲି। ମୁଁ କୃତଜ୍ଞତାର ସହ ବିଦାୟ ନେଉଛି। ଏହି ଖେଳ, ପଡ଼ିଆରେ ବିତାଇଥିବା ପ୍ରତିଟି ବ୍ୟକ୍ତିଙ୍କ ସହ ସମୟ, ମୋତେ ଅନୁଭବ ଦେଇଥିବା ପ୍ରତି ବ୍ୟକ୍ତିଙ୍କ ପାଇଁ ‌ମୁଁ ଟେଷ୍ଟ୍ କ୍ୟାରିୟରକୁ ହସି ହସି ପଛକୁ ଫେରି ଦେଖିବି’’ କୋହଲିଙ୍କ ଏଭଳି କିଛି ବାର୍ତ୍ତା ତାଙ୍କ ପ୍ରଶଂସକଙ୍କୁ ଭାବବିହ୍ବଳ କରି ଦେଇଛି। ଗୋଟିଏ ଦିନ ପୂର୍ବରୁ ଖବର ପ୍ରସାରିତ ହୋଇଥିଲା ବିରାଟ କୋହଲି ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମକୁ ବିଚାର ନକରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହା ପରେ ବିସିସିଆଇର ଜଣେ ଅଧିକାରୀ ତାଙ୍କୁ ଏହି ନି‌‌ଷ୍ପତ୍ତିର ପୁନଃବିଚାର କରିବାକୁ କହିଥିଲେ। କୋହଲି କିନ୍ତୁ ଦୃଢ଼ ନିଷ୍ପତ୍ତି ନେଇସାରିଥିଲେ। ୧୪ ବର୍ଷର ଟେଷ୍ଟ୍ କ୍ରିକେଟ୍‌ ଜୀବନରେ କୋହଲି ୧୨୩ ମ୍ୟାଚ୍‌ରୁ ୪୬.୮୫ ହାରରେ ୯୨୩୦ ରନ୍ ସଂଗ୍ରହ କରିଥିଲେ। ଏହା ଭିତରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ରହିଛି। ୬୮ ଟେଷ୍ଟ୍‌ରେ ଦେଶର ନେତୃତ୍ବ ନେଇ ୪୦ଟିରେ ବିଜୟ ‌ପାଇଥିବାରୁ ସଫଳତମ ଟେଷ୍ଟ୍‌ ଅଧିନାୟକ ରେକର୍ଡ ତାଙ୍କ ନାମରେ ରହିଛି। ମହେନ୍ଦ୍ର ସିଂହ ଧୋନି (୬୦ରୁ ୨୭ ବିଜୟ) ଏବଂ ‌ସୌରଭ ଗାଙ୍ଗୁଲି (୪୯ରୁ ୨୧ ବିଜୟ)ଙ୍କୁ ପଛରେ ପକାଇଛନ୍ତି। କୋହଲି ୨୦୧୧ ମସିହା‌ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ କିଙ୍ଗ୍‌ଷ୍ଟନ୍‌ ଟେଷ୍ଟ୍‌ରେ ଖେଳି ‌ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ।

‌ଶେଷ ଥର ପାଇଁ ୨୦୨୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ରେ ଶତକ (୧୦୦*) ମାରି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। କାରଣ ଏହା ପୂର୍ବରୁ ସେ ୨୦୨୩ ଜୁଲାଇରେ ପୋର୍ଟ ଅଫ୍ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ମାରିଥିଲେ। କୋହଲିଙ୍କ ଟେଷ୍ଟ୍ ଜୀବନ ୨୦୧୯ରେ ଶିଖରରେ ପହଞ୍ଚିଥିଲା ଯେତେବେ‌ଳେ ସେ ପୁଣେରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୫୪* ରନ୍‌ର ଶ୍ରେଷ୍ଠ ପାଳି ‌‌ଖେଳିଥିଲେ। ସେତେବେଳେ ତାଙ୍କ ହାରାହାରି ୫୫.୧୦ରେ ପହଞ୍ଚିଯାଇଥିଲା। କିନ୍ତୁ ଗତ ୨୪ ମାସ ଭିତରେ ଏହା ୩୨.୫୬କୁ ଖସିଆସିଥିଲା। ଅବସର ବେଳକୁ କୋହଲି ଅଗ୍ରଣୀ ଭାରତୀୟ ଟେଷ୍ଟ୍ ରନ୍‌ ସଂଗ୍ରହକାରୀଙ୍କ ତାଲିକାରେ ଚତୁର୍ଥରେ ରହିଛନ୍ତି। ସଚିନ ତେନ୍ଦୁଲକର (୧୫,୯୨୧), ରାହୁଲ ଦ୍ରାବିଡ଼ (୧୩,୨୮୮), ସୁନିଲ ଗାଭାସ୍କର (୧୦,୧୨୨)ଙ୍କ ପରେ କୋହଲି (୯,୨୩୦) ଅଛନ୍ତି। ବିଶ୍ବର ସଫଳ ‌ଟେଷ୍ଟ୍ ଅଧିନାୟକଙ୍କ ଭିତରେ ସେ ମଧ୍ୟ ଚତୁର୍ଥରେ ଅଛନ୍ତି। ଗ୍ରେମ୍ ସ୍ମିଥ୍ (୫୩/୧୦୯), ରିକି ପଣ୍ଟିଂ (୪୮/୭୭), ଷ୍ଟିଭ୍ ୱ (୪୧/୫୭)ଙ୍କ ପରେ କୋହଲି (୪୦/୬୮) ଅଛନ୍ତି।

ଗୋଟ୍‌

କୋହଲିଙ୍କ କ୍ରିକେଟ୍‌ ଜୀବନର ପ୍ରଥମ ସଫଳତା ଥିଲା ୨୦୦୮ ମସିହାରେ ଅଧିନାୟକ ଭାବେ ସେ ଭାରତକୁ ୧୯ ବର୍ଷରୁ କମ୍‌ ବିଶ୍ବକପ୍ ବିଜେତା କରାଇଥିଲେ। ସେହି କନିଷ୍ଠ ବିଶ୍ବକପ୍‌ରେ ଏହି ଦିଲ୍ଲୀ ଯୁବକଙ୍କ ସହ ଥିଲେ କାଗିସୋ ରବାଡ଼ା ଓ କେନ୍ ୱିଲିୟମସନ୍‌ଙ୍କ ଭଳି ଖେଳାଳି। ଯିଏ ପରବର୍ତ୍ତୀ ଜୀବନରେ ସଫଳ ହୋଇଥିଲେ। ସେହିବର୍ଷଠାରୁ କୋହଲି ଆଇପିଏଲ୍‌ରେ ମଧ୍ୟ ଖେଳି ଆସୁଛନ୍ତି ଗୋଟିଏ ଫ୍ରାଞ୍ଚାଇଜ୍ ଆର୍‌ସିବି ପାଇଁ। ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଅଧିନାୟକ ରହିବା ସହ ୨୦୧୬ରେ ରେକ‌ର୍ଡ ୯୭୩ ରନ୍ ସଂଗ୍ରହ କରି ଅରେଞ୍ଜ୍ ଟୋପି ଜିତିଥିଲେ। ସେହିବର୍ଷ ସେ ଭାରତ ପାଇଁ ଦିନିକିଆ ପଦାର୍ପଣ କରି ଏ ପର୍ଯ୍ୟନ୍ତ ଖେଳି ଆସୁଛନ୍ତି। ୧୪,୧୮୧* ରନ୍ ସଂଗ୍ରହ କରିଛନ୍ତି। ୨୦୧୧ରେ ଟେଷ୍ଟ୍ କ୍ରିକେଟ୍ (ବନାମ ୱେଷ୍ଟଇଣ୍ଡିଜ୍‌)କୁ ଆସିଥିବା କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ। ୨୦୧୪ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ସହ ଅଷ୍ଟ୍ରେଲିଆ ଗସ୍ତ ମଝିରେ ସେ ଭାରତର ନେତୃତ୍ବ ନେବା ଆରମ୍ଭ କରିଥିଲେ ଶତକୀୟ ପାଳି ସହିତ। ୨୦୧୭-୧୮ରେ ଆଇସିସି ଟେଷ୍ଟ୍ ଗଦା ଜିତିବା ଏବଂ ଅଷ୍ଟ୍ରେଲିଆରେ ପ୍ରଥମ ଏସୀୟ ଭାବେ ଶୃଙ୍ଖଳା ଜିତିବାର ଗୌରବ କୋହଲିଙ୍କୁ ଗୋଟ୍ (ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍‌) ଆଖ୍ୟା ଦେଇଥିଲା। ଅବଶ୍ୟ ତାଙ୍କ ବ୍ୟାଟିଂ ପାଇଁ ସେ ‘ଗୋଟ୍‌’ ଭାବେ ଅଧିକ ବିବେଚିତ ହୋଇଥାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବିଦାୟୀ ଶୃଙ୍ଖଳାରେ ବି ସେ ପର୍ଥରେ ଶତକ ହାସଲ କରି ଫିଟିଂ ଫେୟାରୱେଲ୍ ନେଇଛନ୍ତି। ଲାଲ୍ ବଲ୍‌ କ୍ରିକେଟ୍‌କୁ ଲାଲ୍‌ ଝଣ୍ଡା ଦେଖାଇଛନ୍ତି।