ମୋହାଲି: ଚଳିତ ଆଇପିଏଲ୍‌ର ଅଷ୍ଟାଦଶ ମ୍ୟାଚ୍‌ ଗୁରୁବାର ଚଣ୍ଡିଗଡ଼ର ମୋହାଲିରେ ଖେଳାଯିବ। ଏହି ମ୍ୟାଚ୍‌ରେ ଗତଥରର ବିଜେତା ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ଶିଖର ଧାୱନ୍‌ଙ୍କ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ ମ୍ୟାଚ୍‌ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ହେଲେ ତୃତୀୟ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବା ପଞ୍ଜାବ ତୃତୀୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା। ଫଳରେ ଗୁରୁବାର ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ପ୍ରୟାସ କରିବେ।

Advertisment

ବିଶେଷକରି ଗୁଜରାଟ ହାରିଯାଇଥିବା ତୃତୀୟ ମ୍ୟାଚ୍‌ରେ ହାର୍ଦିକ୍‌ ପାଣ୍ଡ୍ୟା ଖେଳିନଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ପଞ୍ଜାବ ବିପକ୍ଷ ଗୁରୁବାର ମ୍ୟାଚ୍‌କୁ ସେ ଫେରିବେ ବୋଲି ସଂକେତ ଦେଇଛନ୍ତି। ଦଳ ପ୍ରଥମେ ବ୍ୟାଟିଂ କଲେ ଚୂଡାନ୍ତ ଏକାଦଶରେ ଅଭିନବ ମନୋହରଙ୍କ ବଦଳରେ ପାଣ୍ଡ୍ୟା ଖେଳିବେ। ପୁଣି କୋଲ୍‌କାତା ବିପକ୍ଷ ମ୍ୟାଚ୍‌ରେ ରିଙ୍କୁ ସିଂହଙ୍କ ପ୍ରହାରରେ ଘାଇଲା ହୋଇଥିବା ଦ୍ରୁତ ବୋଲର ୟାଶ୍‌ ଦୟାଲଙ୍କ ଉପରେ ପାଣ୍ଡ୍ୟା ଆସ୍ଥା ପ୍ରକଟ କରିବାର ସମ୍ଭବନା ମଧ୍ୟ ରହିଛି। ପ୍ରଥମେ ବ୍ୟାଟିଂ କଲେ ସାଇ ସୁଦର୍ଶନଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବେ ଏବଂ ବୋଲିଂ କଲେ ଜୋସ୍‌ ଲିଟଲ୍‌ଙ୍କୁ ସୁଯୋଗ ଦେବେ ବୋଲି ପାଣ୍ଡ୍ୟା କହିଛନ୍ତି। ତେବେ ଏହାର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି କଦାପି ଶିଖର ଧାୱନ୍‌ଙ୍କୁ ଆଉଟ୍‌ କରିପାରିନାହାନ୍ତି। ସାମିଙ୍କ ବିପକ୍ଷରେ ଧାୱନ୍‌ଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୪୯ ରହିଛି। ଗୁରୁବାର ସାମି-ଧାୱନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ।

କିନ୍ତୁ ପଞ୍ଜାବ କିଙ୍ଗ୍‌ସ ଏହି ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ବିଜୟ ଆଶାରେ ରହିଛି। ପୁଣି ଦୁଇ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗ୍‌ଷ୍ଟୋନ ଏବଂ କାଗିସୋ ରବାଦା ଦଳରେ ଯୋଗ ଦେଇସାରିଥିବାରୁ କିଙ୍ଗ୍‌ସର ଶକ୍ତି ବୃଦ୍ଧି ପାଇଛି। କାଲିର ମ୍ୟାଚ୍‌ରେ ଉଭୟ ଖେଳିବାର ସମ୍ଭାବନା ଅଧିକ ବୋଲି କହିଛନ୍ତି ଧାୱନ। ଦୀର୍ଘ ପ୍ରତୀକ୍ଷା ପରେ ଲିଭିଙ୍ଗଷ୍ଟୋନ ଶେଷରେ ମୋହାଲିରେ ପହଞ୍ଚି ନେଟ୍‌ସରେ ଅଭ୍ୟାସ କରିଛନ୍ତି। ଡିସେମ୍ବରରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ପଦାର୍ପଣରେ ଆଣ୍ଠୁରେ ଆଘାତ ପାଇବା ପରଠାରୁ ସେ ପ୍ରଥମ ଥର ପାଇଁ ମ୍ୟାଚ୍‌ ଖେଳିବେ। ତେଣୁ ଲିଭିଙ୍ଗଷ୍ଟୋନ ଗୁଜରାଟ ବିପକ୍ଷ ମ୍ୟାଚ୍‌ର ଚୂଡାନ୍ତ ଏକାଦଶରେ ମ୍ୟାଟ୍‌ ସର୍ଟଙ୍କ ସ୍ଥାନ ନେବେ। କିନ୍ତୁ ନାଥନ ଏଲିସ ଚମତ୍କାର ବୋଲିଂ କରିଆସୁଥିବାରୁ ରବାଦାଙ୍କୁ ନେଇ ଆଶଙ୍କା ରହିଛି। ତଥାପି ଯଦି ଦଳ ପ୍ରଥମେ ବ୍ୟାଟିଂ କରେ ତାହାଲେ ଲଭୟ ଏଲିସ ଓ ରବାଦାଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ପ୍ଲେୟାର କରିବ ବୋଲି ଧାୱନ ସୂଚନା ଦେଇଛନ୍ତି।

ପରସ୍ପର ମୁହାଁମୁହିଁରେ ସ୍ଥିତି ବରାବର
ଗୁରୁବାର ମୁକାବିଲା ପୂର୍ବରୁ ଉଭୟ ଦଳ ଆଇପିଏଲ୍‌ରେ ୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଥରେ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଅନୁଭବ କରିଛନ୍ତି। ଏହି ଦୁଇ ଥର ମୁହାଁମୁହିଁ ବେଳେ ପଞ୍ଜାବର ସର୍ବାଧିକ ଦଳୀୟ ସ୍କୋର୍‌ ୧୮୯/୯ ରହିଥିଲା ବେଳେ ଗୁଜରାଟର ୧୯୦/୪ ରହିଛି। ଆଇପିଏଲ୍‌ରେ ମୋଟଉପରେ ପଞ୍ଜାବ ୨୨୧ ମ୍ୟାଚ୍‌ ଖେଳିଥିଲା ବେଳେ ଗୁଜରାଟ ମାତ୍ର ୧୯ ମ୍ୟାଚ୍‌ ଖେଳିଛି। ପଞ୍ଜାବ ୧୦୩ ବିଜୟ ଏବଂ ୧୧୮ ପରାଜୟ ବରଣ କରିଥିଲା ବେଳେ ଗୁଜରାଟ ୧୪ ବିଜୟ ଓ ୫ ପରାଜୟ ବରଣ କରିଛି। ଆଇପିଏଲ୍‌ରେ ପଞ୍ଜାବର ସର୍ବାଧିକ ଦଳଗତ ସ୍କୋର୍‌ ୨୩୨/୨ ରହିଥିଲା ବେଳେ ଗୁଜରାଟର ୨୦୪/୪ ରହିଛି।

ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ଶାହା (ୱିକେଟ୍‌ରକ୍ଷକ), ଶୁବମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦିକ୍‌ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍‌ ମିଲର, ରାହୁଲ ତିୱାତିଆ, ରସିଦ୍‌ ଖାନ୍‌, ଅଲ୍‌ଜେରି ଯୋଶେଫ, ମହମ୍ମଦ ସାମି, ଆର୍‌ ସାଇ କିଶୋର, ଜୋସ୍‌ ଲିଟଲ୍‌।

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍‌ସ: ପ୍ରଭ୍‌ସିମ୍ରନ ସିଂହ, ଶିଖର ଧ୍ବାୱନ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ସାମ୍‌ କରନ, ଏମ୍‌ ଶାହରୁଖ ଖାନ୍‌, ହର୍‌ପ୍ରୀତ୍‌ ବ୍ରାର, ନାଥନ ଏଲିସ/କାଗିସୋ ରବାଦା, ରାହୁଲ ଚହର, ଅର୍ଶଦୀପ ସିଂହ, ରିଷି ଧାୱନ।