ଜଣେ ଗୋରା ଲୋକଙ୍କୁ ଭଲ ପାଉଥିବାରୁ ଲଜ୍ଜିତ ନୁହେଁ: ଭିନି

ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଭାବି ପତ୍ନୀ ତଥା ଭାରତୀୟ ବଂଶୋଦ୍ଭବ ଭିନି ରମଣ ସାମାଜିକ ଗଣମାଧ୍ୟମରେ ପଚରା ଯାଇଥିବା ଏକ ପ୍ରଶ୍ନର ଜବାବ ଦେଇ ଚର୍ଚ୍ଚାକୁ ଆସିଯାଇଛନ୍ତି। ଜଣେ ମାନସିକ ବିକୃତ ଗୋରା ‌ବ୍ୟକ୍ତି ବୋଲି ଜଣେ ବ୍ୟକ୍ତି ତାଙ୍କୁ ସମ୍ଭୋଧନ କରିଥିବାରୁ ରମଣ ଏହାର ଜବାବରେ ସେ ଜଣେ ଭାରତୀୟ ବୋଲି ଲଜ୍ଜିତ ମନେ କରୁନଥିବା ପ୍ରତିକ୍ରିୟା ଦେଇଥିଲେ।

ଚଳିତ ବର୍ଷ ଫେବ୍ରୁଆରିରେ ଅଷ୍ଟ୍ରେଲିଆ କ୍ରିକେଟର ମ୍ୟାକ୍ସୱେଲ ତାଙ୍କର ନିର୍ବନ୍ଧ ବିଷୟରେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଥିଲେ। ନିକଟରେ ରମଣ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅନ୍ୟ ଏକ ଫଟୋ ଛାଡ଼ି ମ୍ୟାକ୍ସୱେଲଙ୍କୁ ମିସ୍‌ କରୁଥିବା ଉଲ୍ଲେଖ କରିଥିଲେ। ବର୍ତ୍ତମାନ ମ୍ୟାକ୍ସୱେଲ ‌ୟୁଏଇରେ ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ ଅଛନ୍ତି। ତେଣୁ ଭିନି ତାଙ୍କ ପୋଷ୍ଟରେ ତାଲାବନ୍ଦ ସମୟରେ ଆଉ ଏକ ସପ୍ତାହନ୍ତ ଦିନ ବିତାଇବାକୁ ପଡୁଥିବା ବେଳେ ସେ ୟୁଏଇରେ ରହିଥିଲେ ହୋଇଥା’ନ୍ତା ବୋଲି ଭାବନା ବ୍ୟକ୍ତ କରିଥିଲେ। ଏଥିପାଇଁ ଆହୁରି ୪ ସପ୍ତାହ ଅପେକ୍ଷା କରିବାକୁ ହେବ ବୋଲି ରମଣ ଉ‌ଲ୍ଲେଖ କରିଥିଲେ। ପୋଷ୍ଟ ହେବାର କିଛି ସମୟ ପରେ ସେମାନଙ୍କୁ ଅନେକ ଶୁଭେଚ୍ଛା ମିଳିଥିଲା। ତେବେ ଜଣେ ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀ ମ୍ୟାକ୍ସୱେଲଙ୍କ ମାନସିକ ଅବସାଦ ଘଟଣାକୁ ଉଖୁରାଇବା ସହ ମ୍ୟାକ୍ସୱେଲଙ୍କ ପାଇଁ ଅନୁତାପ ନକରି ତାଙ୍କ ପାଇଁ ଜଣେ ଭାରତୀୟଙ୍କୁ ଖୋଜିବାକୁ ପରାମର୍ଶ ଦେଇଥିଲେ। ଏଭଳି ଘୃଣ୍ୟ ଜବାବ ଦେଖିବା ପରେ ରମଣ ମଧ୍ୟ ପ୍ରତିଜବାବ ଦେଇଥିଲେ। ‘ଜଣେ ଗୋରା ବ୍ୟକ୍ତିଙ୍କୁ ଭଲପାଇବାର ଅର୍ଥ ନୁହେଁ ଯେ ମୁଁ ଭାରତୀୟ ବୋଲି ଲଜ୍ଜିତ ମନେ କରିବି’ ବୋଲି ରମଣ କହିଥିଲେ। ତେବେ ପରେ ରମଣ କହିଥିଲେ ଯେ ଏଭଳି ମନ୍ତବ୍ୟ କେବଳ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲୋକମାନେ ଦେଇଥା’ନ୍ତି ଓ ତାହାକୁ ସେ ଜବାବ ଦେଇନଥା’ନ୍ତି। କିନ୍ତୁ ଏହି ୬ ମାସର ତାଲାବନ୍ଦ ଅବଧି ମଧ୍ୟରେ ଏଭଳି କିଛି ଅଜ୍ଞ ଅଶିକ୍ଷିତ ଲୋକଙ୍କୁ ଶିକ୍ଷା ଦେବା ପାଇଁ ସମୟ ମିିଳିଯାଇଥିବା ସେ କହିଛନ୍ତି। ଏପରିକି ଉକ୍ତ ବାର୍ତ୍ତାଳାପର ସ୍କ୍ରିନ୍‌ସଟ୍‌କୁ ମଧ୍ୟ ରମଣ ଇନ୍‌ଷ୍ଟାଗ୍ରାମରେ ଛାଡ଼ି‌ଥିଲେ। ସୂଚନାଯୋଗ୍ୟ, ମ୍ୟାକ୍ସୱେଲ ମାନସିକ ସ୍ବାସ୍ଥ୍ୟ ଜନିତ କାରଣ ଯୋଗୁଁ ଗତବର୍ଷ ଅକ୍ଟୋବର ମାସଠୁ କ୍ରିକେଟରୁ ଦୂରେଇ ରହିଥିଲେ। ପରେ ବିଗ୍ ବାସ୍‌ ଲିଗ୍‌ରେ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର