ଆଇପିଏଲ୍-୧୩: କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍‌ କରି ବିଜୟ ହାସଲ କରିଛି । ପଞ୍ଜାବ ପକ୍ଷରୁ ପ୍ରଥମରୁ ଦୁଇ ଓପନର ସର୍ତକତାର ସହ ବ୍ୟାଟିଂ କରିଥିଲେ । କେ.ଏଲ୍ ରାହୁଲ ୨୫ ବଲରେ ୨୮ ରନ୍‌ କରିଥିବା ବେଳେ ମନଦୀପ ସିଂ ସର୍ବାଧିକ ୫୫ ବଲରେ ୬୬ ରନ୍‌ କରିଥିଲେ । ସେହିପରି କ୍ରିସ୍ ଗେଲ୍‌ଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିିଳିଥିଲା । ସେ ମାତ୍ର ୨୯ ବଲ ଖେଳି ୨ ଚଉକା ୫ ଛକା ବଳରେ ୫୧ ରନ୍‌ କରି ପଞ୍ଜାବକୁ ଏକ ବଡ ବିଜୟ ଦେଇଥିଲେ ।

ଅନ୍ୟପଟେ କୋଲକାତା ପକ୍ଷରୁ ବରୁନ ଚକ୍ରବର୍ତ୍ତୀ ଓ ଲକି ଫର୍ଗୁସନ୍ ୧-୧ ୱିକେଟ ନେଇଥିବା ବେଳେ ଅନ୍ୟ ୩ ଜଣ ବୋଲର କୌଣସି ବି ୱିକେଟ ନେବା‌ରେ ସକ୍ଷମ ହୋଇ ନଥିଲେ । ଫଳରେ ପଞ୍ଜାବ ଏହି ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା । ଏହି ବିଜୟ ସହ ପଞ୍ଜାବ ୧୨ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିବା ସହ  ପ୍ଳେ ଅଫ୍‌କୁ ଯିବା ପାଇଁ ନିଜର ସ୍ଥିତି ଦୃଢ କରିଛି ।

ପୂର୍ବରୁ ପଞ୍ଜାବ ଦଳ ଟସ ଜିଣି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର କୋଲକାତା ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଓପନର ନିତିଶ ରାଣା ଶୂନରେ ଆଉଟ ହୋଇଯାଇଥିବା ବେଳେ ରାହୁଲ ତ୍ରିପାଠୀ ୭ରେ ଓ ଅଭିଜ୍ଞ ଦିନେଶ କାର୍ତ୍ତିକ ବି ଶୂନରେ ଆଉଟ ହୋଇଯାଇଥିଲେ । ତେବେ ଅନ୍ୟତମ ଓପନର ଶୁଭମନ ଗିଲ୍ ଓ ଇଅନ ମୋର୍ଗାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଗିଲ୍ ୫୭ ଓ ମୋର୍ଗାନ ୪୦ ରନ କରିଥିଲେ । ମାତ୍ର ମୋର୍ଗାନ ଆଉଟ ହେବା ପରେ ଦଳ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ଲୋକି ଫର୍ଗୁସନ ୧୩ ବଲରୁ ୨୪ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରରେ ପହଞ୍ଚାଇଥିଲେ । କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୯ ରନ କରିଥିଲା

ସମ୍ବନ୍ଧିତ ଖବର