ବସ୍‌’ଙ୍କ ପ୍ରଥମରେ କିଙ୍ଗ୍ସର ପ୍ରତୀକ୍ଷିତ ବିଜୟ

ରାହୁଲ ରୋମାଞ୍ଚ ଜାରି, ଉତ୍କଣ୍ଠାପୂର୍ଣ୍ଣ ଅନ୍ତିମ ଓଭର ପରେ ଆର୍‌ସିବି ୮ ୱିକେଟ୍‌ରେ ପରାସ୍ତ

ସାରଜା: ‘ୟୁନିଭର୍ସ ବସ୍’ କ୍ରିସ୍ ଗେଲ୍, ନିଜେ ନିଜକୁ ଦେଇଥିବା ଏହି ଉପାଧିକୁ ସାର୍ଥକ କରିଛନ୍ତି। ଖାଦ୍ୟ ବିଷାକ୍ତୀକରଣ ଜନିତ ଅସୁସ୍ଥତା ପାଇଁ ଚଳିତ ଆଇପିଏଲ୍‌ର ପ୍ରଥମ ୭ ମ୍ୟାଚ୍ ଖେଳି ପାରି ନ ଥିବା ଏହି ଚର୍ଚିତ ତଥା ଲୋକପ୍ରିୟ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍‌ଙ୍କ ପଦାର୍ପଣ (ଏଥରର ଆଇପିଏଲ୍‌) ବିସ୍ଫୋରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ୭ ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତି ସବାଶେଷ ସ୍ଥାନରେ ସଂଘର୍ଷ କରୁଥିବା ପଞ୍ଜାବ ଗୁରୁବାର ଗେଲ୍‌ (୫୩ ରନ୍, ୪୫ ବଲ୍‌, ୧ ଚୌକା, ୫ ଛକା)ଙ୍କ ଅର୍ଧଶତକ ସହ ଅଧିନାୟକ କେଏଲ୍ ରାହୁଲ (୬୧*, ୪୯ ବଲ୍, ୧ ଚୌକା, ୫ ଛକା)ଙ୍କ ରୋମାଞ୍ଚ ପାଇଁ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ୍‌ରେ ହରାଇ ଦେଇଛି।

୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ରାହୁଲ ଓ ମୟଙ୍କ ଅଗ୍ରୱାଲ (୪୫ ରନ୍, ୨୫ ବଲ୍‌, ୪ ଚୌକା, ୩ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। ଧମାକାଦାର ବ୍ୟାଟିଂ କରୁଥିବା ମୟଙ୍କଙ୍କୁ ୟୁଜବେନ୍ଦ୍ର ଚହଲ କ୍ଲିନ୍ ବୋଲ୍ଡ କରିଥିଲେ। ତେବେ ଗେଲ୍-ରାହୁଲଙ୍କ ୯୩ ରନ୍‌ର ଭାଗୀଦାରି ପାଇଁ ପଞ୍ଜାବ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ଚହଲଙ୍କ ଶେଷ ଓଭରରେ କିନ୍ତୁ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ପଞ୍ଜାବକୁ ବିଜୟ ପାଇଁ ମାତ୍ର ୨ ରନ୍‌ର ଦରକାର ଥିଲା। ତେବେ ପ୍ରଥମ ଚାରି ବଲ୍‌ରୁ ଗେଲ୍‌-ରାହୁଲ ମାତ୍ର ୧ ରନ୍ ନେବା ପରେ ପଞ୍ଚମ ବଲ୍‌ରେ ଗେଲ୍ ରନଆଉଟ୍ ହୋଇଯାଇଥିଲେ। ଫଳରେ ଆଉ ଏକ ସୁପରଓଭର ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ‌ଶେଷ ବଲ୍‌କୁ ନିକୋଲାସ ପୂରନ ଛକା ମାରିବା ପରେ ଗେଲ୍‌ଙ୍କ ଆଉଟ୍ ବେଳେ କାନ୍ଦି ପକାଇଥିବା ମାଲିକାଣୀ ପ୍ରୀତି ଜିଣ୍ଟା ଆଶ୍ବସ୍ତ ‌ହୋଇଥିଲେ ଏବଂ ପଞ୍ଜାବ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। ନିଜ ଏକମାତ୍ର ବିଜୟରେ ଆର୍‌ସିବିକୁ ହରାଇଥିବା ପଞ୍ଜାବ ଦ୍ବିତୀୟ ବିଜୟ ସେହି ଆର୍‌ସିବି ବିପକ୍ଷରେ ହାସଲ କରିଥିଲା।

ପୂର୍ବରୁ ୧୯ ଓଭର ବେଳକୁ ଆର୍‌ସିବି ସ୍କୋର ବୋର୍ଡର ଚିତ୍ର ୧୪୭/୬ ଥିଲା। ବିଂଶ ଓଭର ବୋଲିଂ ମହମ୍ମଦ ସାମିଙ୍କ ଭଳି ଦକ୍ଷ ବୋଲର କରୁଥିଲେ। ହେଲେ ତାଙ୍କର ଶେଷ ୬ ବଲ୍‌ରୁ ତିନିଟି ସୁଦୃଶ୍ୟ ଛକା ସହ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଓ ଇସୁରୁ ଉଡାନା ୨୪ ରନ୍ ଅମଳ କରି ନେଇଥିଲେ। ଫଳରେ ଆର୍‌ସିବି ସ୍କୋର ବିରାଟ ଲମ୍ପ ମାରି ୧୭୧/୬ରେ ପହଞ୍ଚି ଯାଇଥିଲା। ମୋରିସ୍ ୮ ବଲ୍‌ରୁ ୩୧୨.୧୫ର ଷ୍ଟ୍ରାଇକ୍ ରେଟ୍‌ରେ ୨୫ ଏବଂ ଇସୁରୁ ୨୦୦ ଷ୍ଟ୍ରାଇକ୍ ରେଟ୍‌ରେ ୫ ବଲ୍‌ରୁ ୧୦* ରନ୍ କରିଥିଲେ। ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ମୁଖରେ ୧୭୨ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆର୍‌ସିବି ପାଇଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ର ଦେବଦତ୍ତ ପଡ଼ିକଲ (୧୮) ଓ ଆରୋନ ଫିଞ୍ଚ୍ (୨୦) ଆଖିଦୃଶିଆ ଓ ଦୃଢ଼ ମୂଳଦୁଆ ପକାଇ ପାରି ନଥିଲେ। ୱାସିଂଟନ୍ ସୁନ୍ଦର (୧୩) ବି ବିଫଳ ହୋଇଥିଲେ। ସେହିଭଳି ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ଭିଲିୟର୍ସ (୨)ଙ୍କ ବ୍ୟାଟ୍ ମଧ୍ୟ ଚାଲି ନଥିଲା। କେବଳ ଅଧିନାୟକ ବିରାଟ କୋହଲି (୪୮, ୩୯ ବଲ୍, ୩ ଚୌକା) ଏକ ସାହସି ପାଳି ଖେଳି ପାରିଥିଲେ। ସାମି ତାଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ମାତ୍ର ୨ ରନ୍ ପାଇଁ ଅର୍ଧଶତକ ପୂରଣ କରିବାର ସୁଯୋଗ ଦେଇ ନଥିଲେ। ଲଗାତାର ୱିକେଟ୍ ପତନ ପାଇଁ କିନ୍ତୁ ଆର୍‌ସିବି ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରି ନଥିଲା। ଶେଷ ଆଡ଼କୁ ଯାହାକୁ ଭରଣା କରିବା ପାଇଁ ଚେଷ୍ଟା କରି ମୋରିସ୍ ଏକପ୍ରକାର ସଫଳ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ଦୁଇଟି ଆକର୍ଷଣୀୟ ଛକା ସହ ୨୩ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର