କିଙ୍ଗଷ୍ଟନ୍ ଟେଷ୍ଟ୍‌, ପାକିସ୍ତାନ ବିପକ୍ଷରେ ଇଣ୍ଡିଜ୍‌ର ୧ ୱିକେଟ୍‌ ବିଜୟ

କିଙ୍ଗଷ୍ଟନ୍: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୱେଷ୍ଟଇଣ୍ଡିଜ୍ ୧ ୱି‌କେଟରେ ରୋମାଞ୍ଚକ ଭାବେ ଜିତି ନେଇଛି। ରବିବାର ଚତୁର୍ଥ ଦିନରେ ପାକିସ୍ତାନର ଦ୍ବିତୀୟ ପାଳିକୁ ୨୦୩ ରନ୍‌ରେ ରୋକିଥିବା ଘରୋଇ ଦଳ ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତି ଭିତରେ ୧୬୮ ରନ୍‌ ବିଜୟ ଲକ୍ଷ୍ୟକୁ ୯ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ଦଶମ ୱିକେଟ୍‌ ପାଇଁ କେମାର ରୋଚ୍ (୩୦*, ୫୨ ବଲ୍‌) ଏବଂ ଜୟଦେନ୍ ସିଲ୍ସ (୨*, ୧୩ ବଲ୍‌) ୧୭ ରନ୍‌ ଯୋଡ଼ି ପାକିସ୍ତାନ ପଞ୍ଛାରୁ ମ୍ୟାଚ୍‌ ଛଡ଼ା ଆଣିଥିଲେ। ଏଥି ସହ ୨ ମ୍ୟାଚ୍‌ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି। ମ୍ୟାଚ୍‌ରେ ମୋଟ ୮ ୱିକେଟ୍ ନେଇଥିବା ୧୯ ବର୍ଷୀୟ ଦ୍ରୁତ ବୋଲର ଜୟଦେନ ସିଲ୍ସ (୩/୭୦, ୫/୫୫) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପାକିସ୍ତାନର ଦ୍ବିତୀୟ ପାଳିରେ ୫ ୱିକେଟ୍ ନେବା ବେଳେ ସେ ଦେଶର ସର୍ବକନିଷ୍ଠ କ୍ରିକେଟର୍ ଭାବେ ଏହି କୃତିତ୍ବ ଅର୍ଜନ କରିଥିଲେ। ଆଲ୍‌ଫ ଭାଲେଣ୍ଟାଇନ୍‌ଙ୍କ ନାମରେ ଥିବା ୭୧ ବର୍ଷର କୀର୍ତ୍ତିମାନ ପଛରେ ପଡ଼ିଯାଇଥିଲା। ଶୁକ୍ରବାରଠାରୁ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ସାବିନା ପାର୍କରେ ବିନା ଦର୍ଶକରେ ଖେଳାଯିବ।
ରବିବାର ଚତୁର୍ଥ ଦିବସରେ ପାକିସ୍ତାନ ଏହାର ଦ୍ବିତୀୟ ପାଳିକୁ ୧୬୦/୫ରୁ ଖେଳିଥିଲେ ମଧ୍ୟ ସିଲ୍ସଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ୨୦୩ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଏହା ପରେ ୧୬୮ ରନ୍‌କୁ ପିଛା କରି ୱେଷ୍ଟଇଣ୍ଡିଜ୍‌ ୧୬ ରନ୍‌ରେ ୩ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ରସ୍ତନ ଚେଜ୍‌ (୨୨) ଏବଂ ଜର୍ମାଇନ୍ ବ୍ଲାକଉଡ୍‌ (୫୫) ଚତୁର୍ଥ ୱିକେଟ୍ ପାଇଁ ୬୮ ରନ୍‌ ଯୋଡ଼ି ଆଶା ଦେଇଥିଲେ। ଶେଷକୁ କେମାର ରୋଚଙ୍କ ମୂଲ୍ୟବାନ ୩୦* ରନ୍‌ ଏବଂ ଜୟଦେନ ସିଲ୍ସଙ୍କ ଉପଯୋଗୀ ଭାଗୀଦାରି ଇଣ୍ଡିଜ୍‌କୁ ଟେଷ୍ଟ୍ କ୍ରିକେଟ୍‌ ଇତିହ‌ାସର ଅନ୍ୟତମ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲା।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୨୧୭ (ଫୱାଦ ଆଲାମ-୫୬, ଜାସନ୍ ହୋଲ୍ଡର-୩/୨୬, ଜୟଦେନ ସିଲ୍ସ-୩/୭୦)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୨୫୩ (କ୍ରେଗ୍ ବ୍ରାଥୱେଟ୍-୯୭, ଜାସନ୍ ହୋଲ୍ଡର-୫୮, ସାହିନ ସାହ ଆଫ୍ରିଦୀ-୪/୫୯, ମହମ୍ମଦ ଆବାସ-୩/୪୩)। ପାକିସ୍ତାନ ଦ୍ବିତୀୟ ପାଳି: ୨୦୩ (ବାବର ଆଜମ-୫୫, ଜୟଦେନ ସିଲ୍ସ-୫/୫୫, କେମାର ରୋଚ୍‌-୩/୩୦)। ‌ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୫୬ ଓଭରରେ ୧୬୮/୯ (ଜର୍ମାଇନ୍ ବ୍ଲାକଉଡ୍‌-୫୫, କେମାର ରୋଚ୍‌-୩୦*, ଜୟଦେନ ସିଲ୍ସ-୨*, ସାହିନ୍ ସାହ ଆଫ୍ରିଦୀ-୪/୫୦, ହାସନ୍ ଅଲୀ-୩/୩୭, ଫହିମ୍ ଅସ୍ରଫ-୨/୨୯)।

ସମ୍ବନ୍ଧିତ ଖବର