ପ୍ୟାରିସ : ମହିଳା ୧୫୦୦ ମିଟର ଦୌଡ଼ରେ ବିଶ୍ବ କୀର୍ତ୍ତିମାନ ଭାଙ୍ଗିବାର ଗୋଟିଏ ସପ୍ତାହ ପରେ କେନିଆର ଫେଥ କିପିଗନ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ପ୍ୟାରିସ ଡାଇମଣ୍ଡ ଲିଗ୍‌ରେ ଏହି ୨୯ ବର୍ଷୀୟା ମହିଳା ୫୦୦୦ ମିଟର ରେସ୍‌କୁ ୧୪ ମିନିଟ୍‌ ୫.୨୦ ସେକେଣ୍ଡ ସମୟ ନେଇ ଶେଷ କରିବା ସହ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଏହି କୀର୍ତ୍ତିମାନ ଇଥୋପିଆର ଲେଟସନବେଟ ଗିଡେ (୧୪:୬.୬୨)ଙ୍କ ନାମରେ ଥିଲା।

Advertisment

୮ ବର୍ଷ ଧରି ସେ ୫୦୦୦ ମିଟ‌ର ଦୌଡ଼ରେ ଭାଗ ନେଇନଥିବା ୨ ଥର ଅଲିମ୍ପିକ୍‌ ଓ ବିଶ୍ବ ବିଜୟିନୀ କିପିଗନ ଶୁକ୍ରବାର କୀର୍ତ୍ତିମାନ ସହ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୫୦୦୦ ମିଟରରେ କୀର୍ତ୍ତିମାନ ପ୍ରତିଷ୍ଠା କରିବାରେ ସେ ପ୍ରଥମ କେନିଆ ଖେଳାଳି ହୋଇଛନ୍ତି। ପ୍ୟାରିସ ଡାଇମଣ୍ଡ ଲିଗ୍‌ରେ ବିଶ୍ବ କୀର୍ତ୍ତିମାନଧାରୀ ଗିଡେ (୧୪:୭.୯୪) ଦ୍ବିତୀୟ ଏବଂ ଅନ୍ୟଜଣେ ଇଥୋପିଆ ଖେଳାଳି ଇଗାୟେହୁ ତାୟା (୧୪:୧୩.୩୧) ତୃତୀୟ ସ୍ଥାନରେ ରହିଥିଲେ।