ଭୁବନେଶ୍ବର,: କଟକର ଜବାହର ଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଓପନ୍ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ମହିଳା ଏକକରେ ୧୪ ବର୍ଷୀୟା ଉନ୍ନତୀ ହୁଦା ଏବଂ ପୁରୁଷ ଏକକରେ କିରଣ ଜର୍ଜ ବିଜେତା ହୋଇଛନ୍ତି।
ମହିଳା ଏକକ ଫାଇନାଲ୍ରେ ଉନ୍ନତୀ ୨୧-୧୮, ୨୧-୧୧ରେ ସ୍ମିତ ତୋଶନିୱାଲଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ସେ ସୁପର ୧୦୦ ପ୍ରତିଯୋଗିତା ଜିତିବାରେ ସର୍ବକନିଷ୍ଠା ଭାରତୀୟ ବିବେଚିତ ହୋଇଛନ୍ତି।
ସେହିପରି କଡ଼ା ସଂଘର୍ଷପୂର୍ଣ୍ଣ ପୁରୁଷ ଏକକ ଫାଇନାଲ୍ରେ ଅଣମାନ୍ୟତାପ୍ରାପ୍ତ କିରଣ ୨୧-୧୫, ୧୪-୨୧, ୨୧-୧୮ରେ ପ୍ରିୟାଂଶୁ ରାଜୱାତଙ୍କୁ ମାତ୍ ଦେଇଥିଲେ।
ମହିଳା ଯୁଗଳରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ପୁରୁଷ ଯୁଗଳରେ ପିଏସ୍ ରବିକୃଷ୍ଣ ଓ ଉଦୟ କୁମାର ଶଙ୍କର ପ୍ରସାଦ ଟ୍ରଫି ଜିତିଥିଲେ। ମହିଳା ଯୁଗଳରେ ତ୍ରିଶା ଓ ଗାୟତ୍ରୀ ୨୧-୧୨, ୨୧-୧୦ରେ ସାନ୍ୟଗୀତା ଘୋରପାଡ଼େ ଓ ଶ୍ରୁତି ମିଶ୍ରାଙ୍କୁ ଏବଂ ପୁରୁଷ ଯୁଗଳରେ ରବିକୃଷ୍ଣ ଓ ଉଦୟ କୁମାର ୧୮-୨୧, ୨୧-୧୪, ୨୧-୧୬ରେ ମାଲେସିଆ ଯୋଡ଼ି ନୁର ମହମ୍ମଦ ଅଝ୍ରିନ୍ଙ୍କୁ ପରାସ୍ତ କରିଥିଲେ। ତେବେ ମିଶ୍ରିତ ଯୁଗଳରେ ହାରି ତ୍ରିଶା ଦ୍ବିମୁକୁଟରୁ ବଞ୍ଚିତ ହୋଇଥିଲେ। ମିଶ୍ରିତ ଯୁଗଳ ଫାଇନାଲ୍ରେ ତ୍ରିଶା ଓ ତାଙ୍କ ସାଥୀ ଏମ୍ ଆର୍ ଅର୍ଜୁନ ୧୬-୨୧, ୨୦-୨୨ରେ ଶ୍ରୀଲଙ୍କାର ସଚିନ ଦିଆସ ଓ ଥିଲିନି ହେନ୍ଦାହେୱାଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।
ଉଦ୍ଯାପନୀ ଦିବସରେ କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ରହି ଟ୍ରଫି ପଦାନ କରିଥିଲେ। ଏହି ଅବସରରେ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ (ବାଇ) ସଚିବ ଅଜୟ ସିଂଘାନିଆ, ପର୍ଯ୍ୟବେକ୍ଷକ ରାଜିନ୍ଦର ଶର୍ମା, ଡାଲମିଆ ଭାରତର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦେଶକ ଗଣେଶ ଜିରକୁନ୍ତୱାର, ବିଡବ୍ଲୁଏଫ୍ ରେଫରି ଏରିକ ଲିଙ୍ଗଭୋଏଟ, ଡେପୁଟି ରେଫରି ଗିରିଶ ନାଟୁ, ଶରଦ ବର୍ମା, ବରିଷ୍ଠ ପ୍ରତିଯୋଗିତା ପ୍ରବନ୍ଧକ ସେଲଭାନ ସୁପ୍ରାମଣିଅନ୍ ଏବଂ ପ୍ରତିଯୋଗିତା ପ୍ରବନ୍ଧକ ରାଜୀବ ମେହଟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dgsagadghadgadggadgad.jpg)