ହାଇଦ୍ରାବାଦ: ଶକ୍ତିଶଳୀ ବ୍ୟାଟିଂ ବାହିନୀରେ ବଳିୟାନ ସନ୍ରାଇଜର୍ସ ହାଇଦ୍ରାବାଦ ଅଭିଯାନ ଆରମ୍ଭରୁ ତା’ର ମହାବିସ୍ଫୋରକ ରୂପ ଦେଖାଇଛି। ନୂଆ ନିଯୁକ୍ତି ଈଶାନ କିଶନ (୧୦୬* ରନ୍, ୪୭ ବଲ୍, ୧୧ ଚୌକା, ୬ ଛକା)ଙ୍କ ଧମାକାଦାର ଶତକରେ ଆଇପିଏଲ୍ ଇତିହାସର ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍ କରିବା ସହ ରାଜସ୍ଥାନ ରୟାଲ୍ସକୁ ୪୪ ରନ୍ରେ ହରାଇ ଦେଇଛି। ଈଶାନ ବ୍ୟକ୍ତିଗତ ଭାବେ ନିଜ ପ୍ରଥମ ଆଇପିଏଲ୍ ଶତକ ହାସଲ କରିଛନ୍ତି। ସେହିଭଳି ଗତବର୍ଷର ଫ୍ଲେ ଅଫ୍ରେ ରାଜସ୍ଥାନକୁ ହରାଇଥିବା ସନ୍ରାଇଜର୍ସ ଏହି ଦଳ ବିପକ୍ଷରେ ଲଗାତାର ବିଜୟ ହାସଲ କରିବାର ମିଠାମିଠା ସ୍ବାଦ ଚାଖିଛି। ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଥିବା ରାଜସ୍ଥାନ କିନ୍ତୁ ବଡ଼ ଲକ୍ଷ୍ୟ ତଳେ ଦବି ଯାଇଛି। ଇମ୍ପାକ୍ଟ ପ୍ଲେୟାର ସଞ୍ଜୁ ସାମସନ୍ ଏବଂ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କ ଲଢ଼ୁ୍ଆ ବ୍ୟାଟିଂରେ କିଛିଟା ଲଢ଼େଇ କରିଥିଲେ ମଧ୍ୟ ବିଶାଳ ବିଜୟ ଲକ୍ଷ୍ୟ ଆଗରେ ଶେଷକୁ ହାରମାନି ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ରବିବାର ହାଇଦ୍ରାବାଦ ୨୮୭ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ରାଜସ୍ଥାନ କିନ୍ତୁ ୨୪୨/୬ରେ ଅଟକି ଯାଇଛି। ପୁଣି ଏହି ଦଳର ଇଂଲିସ୍ ବୋଲର ଜୋଫ୍ରା ଆର୍ଚର ମାତ୍ର ୪ ଓଭରରେ ୭୬ ରନ୍ ବ୍ୟୟ କରି ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ବୋଲର୍ ହେବାର ଆଲୋଡ଼ା ରେକର୍ଡ କରିଛନ୍ତି। ଯାହା ରାଜସ୍ଥାନ ପାଇଁ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ଈଶାନ କିନ୍ତୁ ହାଇଦ୍ରାବାଦରୁ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଛନ୍ତି।
ଈଶାନଙ୍କ ୪୫ ବଲ୍ ଶତକ ସହ ଟ୍ରାଭିସ୍ ହେଡ୍ (୬୭ ରନ୍, ୩୧ ବଲ୍), ହେନରିକ୍ କ୍ଲାସେଁ (୩୪ ରନ୍, ୧୪ ବଲ୍), ନୀତୀଶ କୁମାର ରେଡ୍ଡୀ (୩୦ ରନ୍, ୧୫ ବଲ୍), ଓ ଅଭିଷେକ ଶର୍ମା (୨୪ ରନ୍, ୧୧ ବଲ୍)ଙ୍କ ଚୌକା ଛକା ବର୍ଷା ପାଇଁ ହାଇଦ୍ରାବାଦ ଆଜି ପ୍ରଥମ ଦଳ ଭାବେ ୩୦୦ ରନ୍ ଛୁଇଁବାର ଆଶା ସଞ୍ଚାର କରିଥିଲା। ତେବେ ଜବରଦସ୍ତ ବ୍ୟାଟିଂ କରୁଥିବା କ୍ଲାସେଁ ୧୯ତମ ଓଭରର ଦ୍ବିତୀୟ ବଲ୍ରେ ଆଉଟ୍ ହୋଇଯିବାରୁ ଏହି ମାଇଲ୍ଖୁଣ୍ଟଠାରୁ ୧୪ ରନ୍ ଦୂରରେ ରହିଯାଇଥିଲା। ଯାହା ଆଇପିଏଲ୍ର ସର୍ବୋଚ୍ଚ ଦଳଗତ ସ୍କୋର୍ (୨୮୭)ଠାରୁ ମାତ୍ର ୧ ରନ୍ କମ୍ ଥିଲା। ଆଇପିଏଲ୍ର ସର୍ବୋଚ୍ଚ ସ୍କୋର୍ (୨୮୭/୩) ବି ଏହି ଦଳ ନାଁରେ ରହିଛି। ଏଣୁ ହାଇଦ୍ରାବାଦ ନିଜ ରେକର୍ଡ ନିଜେ ଭାଙ୍ଗିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା।
ତେବେ ୨୮୬/୬ର ସ୍କୋର୍ ସହ ଆଇପିଏଲ୍ର ପାଞ୍ଚଟି ସର୍ବୋଚ୍ଚ ଦଳଗତ ସ୍କୋର୍ ମଧ୍ୟ ଚାରିଟି ନିଜ ନାଁରେ କରି ନେଇଥିଲା। ଏହି ଦଳ ନିଜ ସ୍ମରଣୀୟ ପାଳିରେ ୪୬ଟି ବାଉଣ୍ଡରି (୩୪ ଚୌକା, ୧୨ ଛକା) ମାରିଥିଲା। ଯାହା ଏକ ନୂଆ ରେକର୍ଡ ଥିଲା। ରାଜସ୍ଥାନର ପଶ୍ଚାତଧାବନ ଗାଡ଼ି ଦ୍ବିତୀୟ ଓଭରରେ ହିଁ ଲାଇନ୍ଚ୍ୟୁତ ହୋଇଥିଲା। ଓପନର୍ ଯଶସ୍ବୀ ଜୟସ୍ବାଲ ୧, କାମଚଳା ଅଧିନାୟକ ରିୟାନ ରାଗ ୪ ଏବଂ ନୀତୀଶ ରାଣା ମାତ୍ର ୧୧ ରନ୍ରେ ଆଉ୍ ହେବା ପରେ ହିଁ ଦଳ ଶହେରୁ ଅଧିକ ରନ୍ରେ ହାରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ସାମସନ୍ ଓ ଜୁରେଲଙ୍କ ସହ ସିମରନ୍ ହେଟମେୟର (୪୨) ଏବଂ ଶୁଭମ ଦୁବେ (୩୪* ରନ୍, ୧୧ବଲ୍) ଭଲ ବ୍ୟାଟିଂ କରିଥିଲେ। ଦଳକୁ ବିଜୟୀ କରାଇ ପାରି ନଥିଲେ ମଧ୍ୟ ଶୋଚନୀୟ ପରାଜୟର ଅପବାଦ ଦୂର କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୮୬/୬ (ଈଶାନ କିଶନ ୧୦୬*, ଟ୍ରାଭିସ୍ ହେଡ୍ ୬୭, ହେନରିକ୍ କ୍ଲାସେଁ ୩୪, ନୀତୀଶ କୁମାର ରେଡ୍ଡୀ ୩୦, ତୁଷାର ଦେଶପାଣ୍ଡେ ୩/୪୪, ମହୀଶ ତୀକ୍ଷଣା ୨/୫୨)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୪୨/୬ (ଧ୍ରୁବ ଜୁରେଲ ୭୦, ସଞ୍ଜୁ ସାମସନ ୬୬, ସିମରନ୍ ହେମାୟର ୪୨, ଶୁଭମ ଦୁବେ ୩୪*, ହର୍ଷଲ ପଟେଲ ୨/୩୪, ସିମରଜିତ ସିଂହ ୨/୪୬)।