କିଶୋରଙ୍କୁ ପ୍ରଥମ ଜାତୀୟ ଜାଭେଲିନ୍‌ ମୁକୁଟ

ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଆଥ୍‌ଲେଟ୍‌ କିଶୋର କୁମାର ଜେନା ନିଜ ଖେଳ ଜୀବନର ଶ୍ରେଷ୍ଠ ସଫଳତା ରବିବାର ଅର୍ଜନ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଓପନ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ କିଶୋର ବିଜେତା ହୋଇଛନ୍ତି। ୨୬ ବର୍ଷୀୟ କି‌ଶୋରଙ୍କ ୭୪.୨୬ ମିଟର୍‌ ଥ୍ରୋ ତାଙ୍କୁ ଶୀର୍ଷରେ ରଖିଥିଲା। ରାଜସ୍ଥାନର ହରିଶ କୁମାର (୭୨.୬୧ ମିଟର୍‌) ଏବଂ ଦିଲ୍ଲୀର ଅଭିଜ୍ଞ ବିପିନ୍‌ କସାନା (୭୧.୮୯ ମିଟର୍‌) ଯଥାକ୍ରମେ ନିଜ ପଞ୍ଚମ ଓ ଷଷ୍ଠ ପ୍ରୟାସରେ ଶ୍ରେଷ୍ଠ ଥ୍ରୋ କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଶେଷ ପର୍ଯ୍ୟନ୍ତ ପଦକ ଦୌଡ଼ରେ ରହିଥିବା ଝାଡ଼ଖଣ୍ଡର ବିଜୟ ଲାକ୍ରାଙ୍କୁ ବିପିନଙ୍କ ଅନ୍ତିମ ପ୍ରୟାସ ପଦକରୁ ବଞ୍ଚିତ ରଖିଥିଲା। ଯୋଗ୍ୟତା ପର୍ଯ୍ୟାୟରେ କିଶୋର ୧୨ ଜଣଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ପର୍ଯ୍ୟାୟରେ ସେ ୭୦.୯୬ ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ହୋଇଥିଲେ। ଗତମାସରେ ଭୁବନେଶ୍ବରରେ ରାଜ୍ୟ ଦୌଡ଼କୁଦରେ ସେ ୭୬.୪୧ ମିଟର ଜାଭେଲିନ୍‌ ଫିଙ୍ଗି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର