ଭୁବନେଶ୍ବର: ହାଂଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ୍ ଫିଙ୍ଗାଳି କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭେଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଚଳିତ ବର୍ଷର ଓସ୍ଜା (ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ମିଳିବ। ପ୍ରତି ବର୍ଷ ଓସ୍ଜା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। କିଶୋର ୨୦୨୩ର ଶ୍ରେଷ୍ଠ କ୍ରୀଡ଼ାବିତ୍ ଏବଂ ବିଜୟ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହେବେ। ପୁରସ୍କାର ସ୍ବରୂପ ଉଭୟଙ୍କୁ ମାନପତ୍ର, ଉପଢ଼ୌକନ ଓ ଆର୍ଥିକ ରାଶି ପ୍ରଦାନ କରାଯିବ। କଳିଙ୍ଗ ଷ୍ଟାଡିୟମ୍ରେ ଜାନୁଆରି ୧୭ ତାରିଖରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ।
୨୦୨୩ ମସିହା କିଶୋରଙ୍କ ଖେଳ ଜୀବନରେ ଥିଲା ଶ୍ରେଷ୍ଠ ବର୍ଷ। ପ୍ରଥମ ଓଡ଼ିଆ ଜାଭେଲିନ୍ ଫିଙ୍ଗାଳି ଭାବେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଚମତ୍କାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ। ହାଂଝୌ ଏସୀୟ କ୍ରୀଡ଼।ରେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ଶେଷରେ ରୌପ୍ୟ ପଦକ ଜିତିଥିଲେ। ସେ ନିଜର ଚତୁର୍ଥ ପ୍ରୟାସରେ (୮୭.୫୪ ମିଟର) ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। କିନ୍ତୁ ସେ ତୃତୀୟ ପ୍ରୟାସରେ ଫିଙ୍ଗିଥିବା ୮୬.୭୭ ମିଟର ତାଙ୍କୁ ଚଳିତ ବର୍ଷର ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଆଣି ଦେଇଥିଲା।
ଅନ୍ୟପକ୍ଷରେ ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ ଶତପଥୀ ଖେଳ ଜୀବନରେ ଜିତିଥିଲେ ୫ରୁ ଊର୍ଧ୍ବ ଅନ୍ତର୍ଜାତୀୟ ପଦକ। ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୧୯୮୧ ଓ ୧୯୮୩ରେ ଏସୀୟ ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଏବଂ ୧୯୯୦ରେ ଏସୀୟ କ୍ରୀଡ଼ା କାଂସ୍ୟ ପଦକ ଜିତିଥିଲେ। ୧୯୮୧ରେ ଏହି ବ୍ରହ୍ମପୁର ବ୍ୟକ୍ତିତ୍ବଙ୍କୁ ମିଳିଥିଲା ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର। ଖେଳ ଛାଡ଼ିବା ପରେ ସେ ପ୍ରଶିକ୍ଷଣ ଜୀବନକୁ ଆପଣେଇ ନେଇଥିଲେ।
ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ବିଗତ ବର୍ଷଗୁଡ଼ିକରେ ପୂର୍ଣ୍ଣିମା ହେମ୍ବ୍ରମ-ଦେବ ସିଂହ, ସ୍ବୟମ୍ସ ମିଶ୍ର-ପଞ୍ଚାନନ ଗନ୍ତାୟତ, ପ୍ରମୋଦ ଭଗତ-ଅରୁଣ ଦାସ, ବୀରେନ୍ଦ୍ର ଲାକ୍ରା-ଅରୂପାନନ୍ଦ ରାଉତରାୟ, ସ୍ବସ୍ତି ସିଂହ-ପିଟର୍ ତିର୍କି ପାଇଥିଲେ।