ଭୁବନେଶ୍ବର: ଚୀନ୍‌ର ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭେଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀ ଚଳିତ ବର୍ଷର ଓଡ଼ିଶା କ୍ରୀଡ଼। ସାମ୍ବାଦିକ ସଂଘ (ଓସ୍‌ଜା) ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରତି ବର୍ଷ ଓସ୍‌ଜା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। କିଶୋର ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଏବଂ ବିଜୟ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହବେ। ପୁରସ୍କାର ସ୍ବରୂପ ଉଭୟଙ୍କୁ ମାନପତ୍ର, ଉପଢୌକନ ଏବଂ ଆର୍ଥିକ ରାଶି ପ୍ରଦାନ କରାଯିବ। ଆସନ୍ତା ୧୭ ତାରିଖରେ ପୁରସ୍କାର ସମାରୋହ ଆୟୋଜିତ ହେବ।

Advertisment

୨୦୨୩ କିଶୋରଙ୍କ ଖେଳ ଜୀବନରେ ଥିଲା ଶ୍ରେଷ୍ଠ ବର୍ଷ। ପ୍ରଥମ ଓଡ଼ିଆ ଜାଭେଲିନ ଫିଙ୍ଗାଳି ଭାବେ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଅଂଶ ଗ୍ରହଣ କରିବା ସହ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପଞ୍ଚମ ସ୍ଥାନରେ ରହିଥିଲେ। ସେମିତି ହାଙ୍ଗଝୌ ଏସୀୟ କ୍ରୀଡ଼।ରେ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ଫାଇନାଲରେ କଡ଼ା ଟକ୍କାର ଦେଇ ଶେଷରେ ରୌପ୍ୟ ପଦକ ଜିତିଥିଲେ। ସେ ନିଜିର ଚତୁର୍ଥ ପ୍ରୟାସରେ (୮୭.୫୪ ମିଟର) ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦ୍ବିତୀୟ ସ୍ଥାନ ହାସଲ କରିଥଲେ। କିନ୍ତୁ ସେ ତୃତୀୟ ପ୍ରୟାସରେ (୮୬.୭୭ ମିଟର) ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଲାଭ କରିବାରେ ସଫଳ ହୋଇଥାନ୍ତେ।

ଭେଟେରାନ କୋଚ୍ ବିଜୟ ଶତପଥୀ ଖେଳ ଜୀବନରେ ଜିତିଥିଲେ ୫ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ପଦକ। ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୧୯୮୧ ଓ ୧୯୮୩ ଏସିଆନ୍ ଚାମ୍ପିଅନସିପ୍‌ରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ଏବଂ ୧୯୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିଲେ। ୧୯୮୧ ମସିହାରେ ବିଜୟଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର। ଖେଳ ଛାଡ଼ିବା ପରେ ସେ ପ୍ରଶିକ୍ଷଣ ଜୀବନକୁ ଆପଣେଇ ନେଇଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ବିଗତ ବର୍ଷଗୁଡ଼ିକରେ ପୂର୍ଣ୍ଣିମା ହେମ୍ବ୍ରମ-ଦେବ ସିଂହ, ସ୍ବୟମ୍ସ ମିଶ୍ର-ପଞ୍ଚାନନ ଗନ୍ତାୟତ, ପ୍ରମୋଦ ଭଗତ-ଅରୁଣ ଦାସ, ବୀରେନ୍ଦ୍ର ଲାକ୍ରା-ଅରୂପାନନ୍ଦ ରାଉତରାୟ, ସ୍ବସ୍ତି ସିଂହ-ପିଟର୍ ତିର୍କି ପାଇଥିଲେ।