ଭୁବନେଶ୍ବର: ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଓଡ଼ିଆ ପୁଅ କିଶୋର ଜେନା ଚେନ୍ନାଇରେ ଖେଳାଯାଇଥିବା ଇଣ୍ଡିଆନ୍ ଓପନ୍ ଆଥ୍ଲେଟିକ୍ ମିଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ୭୫.୯୯ ମିଟର ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଥିସହ କିଶୋର ଆଗାମୀ ଏସୀୟ ଚାମ୍ପିଅନ୍ସିପ୍ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ରଖିଥିବା ମାନଦଣ୍ଡ ୭୫.୩୬ ମିଟର ପାର୍ କରିଛନ୍ତି। ଯୁବ ତାରକା ୟଶ୍ ବୀର ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୭.୪୯ ମିଟର ସହ କିଶୋରଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କିଶୋରଙ୍କ ସହ ସେ ମଧ୍ୟ ଆସନ୍ତା ମାସରେ କୋରିଆର ଗୁମିରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସିପ୍ରେ ଭାଗ ନେବା ଦୌଡ଼ରେ ସାମିଲ ହୋଇଛନ୍ତି। ଚୂଡ଼ାନ୍ତ ଚୟନ ଏଏଫ୍ଆଇ ପରବର୍ତ୍ତୀ ସମୟରେ କରିବ।
ଇଣ୍ଡିଆନ୍ ଓପନ୍ ଆଥ୍ଲେଟିକ୍ ମିଟ୍ର ପରବର୍ତ୍ତୀ ଚରଣ ଚେନ୍ନାଇରେ ଏପ୍ରିଲ୍ ୨୧ରେ ଅନୁଷ୍ଠିତ ହେବ। ପୁରୁଷ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିବା ଦୁଇ ଓଡ଼ିଶା ଖେଳାଳି ଦଣ୍ଡପତି ମୃତ୍ୟୁମ ଜୟରାମ ଓ ଅନିମେଷ କୁଜୁର ନିଜ ନିଜ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରେସ୍-ଏ’ରେ ଜୟରାମ ୨୧.୬୭ ସେକେଣ୍ଡ ଏବଂ ରେସ୍-ବି’ରେ ଅନିମେଷ ୨୧.୧୪ ସେକେଣ୍ଡ ସହ ଶୀର୍ଷରେ ରହିଥିଲେ। ୧୦୦ ମିଟରରେ ଅନିମେଷ (ରେସ୍-ସି’) ୧୦.୫୬ ସେକେଣ୍ଡ ସହ ଦ୍ବିତୀୟ ଏବଂ ଜୟରାମ (ରେସ୍-ବି’) ୧୦.୮୦ ସେକେଣ୍ଡ୍ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।