ଭୁବନେଶ୍ବର : ଏକଦା ବିଶ୍ବ ରଗ୍‌ବି ଦୁନିଆରେ ଚହଳ ପକାଇ କନିଷ୍ଠ ବିଶ୍ବକପ୍‌ ଜିତିଥିବା ଓଡ଼ିଶାର ରଗ୍‌ବି ପ୍ରତିଭାଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ୍ କ୍ରାଏ’ ଜୁନ୍ ୩ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ। ଶିକ୍ଷା, ଖେଳ ସହିତ ଦାରିଦ୍ର୍ୟକୁ ଦୂର କରିବାରେ ରଗ୍‌ବି ଓ କିସ୍ କିଭଳି ପ୍ରେରଣାଦାୟୀ ଭୂମିକା ନିଭାଇଛି ଏହା ଏଥିରେ ସ୍ଥାନିତ ହୋଇଛି। ଚଳିତ ମଇ ୨୦ ତାରିଖରେ ରଗ୍‌ବି ଲୋକପ୍ରିୟ ଉତ୍ତର ଆମେରିକା, ବ୍ରିଟେନ୍‌, କାନାଡ଼ା, ଜର୍ମାନି, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା ଓ ୟୁଏଇରେ ଏହାର ବିଶ୍ବସ୍ତରୀୟ ଆତ୍ମପ୍ରକାଶ କରି ସାରିଛି। ୧୨ ଜଣ ବଞ୍ଚିତ ଆଦିବାସୀ ବାଳକଙ୍କ କ୍ରୀଡ଼ା ପ୍ରତିଭା କିଭଳି ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲା ଏଥିରେ ମଧ୍ୟ ପ୍ରତିଫଳିତ ହୋଇଛି। ବ୍ରିଟେନ୍‌ରେ ୨୦୦୭ ମସିହାରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ବାଳକ ରଗ୍‌ବି ବିଶ୍ବକପ୍‌ରେ ଏହି ୧୨ ଜଣ ଅଂଶଗ୍ରହଣ କରି ବିଜେତା ଟ୍ରଫି ଜିତି ଭାରତ, ଓଡ଼ିଶା ଓ କିସ୍‌କୁ ଗୌରବାନ୍ବିତ କରିଥିଲେ। ଗତବର୍ଷ ଏହି ଚଳଚ୍ଚିତ୍ର ୧୧ତମ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ‌ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ (ଜ୍ୟୁରି) ପୁରସ୍କାର ମଧ୍ୟ ପାଇଥିଲା। ଏହା ଛଡ଼ା ୨୦୨୧ରେ ମଧ୍ୟ କେନ୍ସ ବିଶ୍ବ ଫିଲ୍ମ ଫେଷ୍ଟିଭାଲ୍‌, ୱେଲ୍ସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌, ଲଣ୍ଡନ୍‌ ଇଣ୍ଟିପେଣ୍ଡେଣ୍ଟ୍‌ ଫିଲ୍ମ ଆୱାର୍ଡସ, ଲସ୍‌ ଏଞ୍ଜେଲ୍ସ ଇଣ୍ଟିପେଣ୍ଡେଣ୍ଟ୍‌ ଫିଲ୍ମ ଆୱାର୍ଡସରେ ବିଜେତା ହୋଇଥିଲା। ମାଇକୋନସ୍‌, ମାଦ୍ରିଦ, ହ୍ବିସଲବ୍ଲୋୟର୍‌ ସମିଟ୍‌ ଓ ସ୍ବିଡେନ୍‌ ଚଳଚ୍ଚିତ୍ର ମ‌ହୋତ୍ସବରେ ମଧ୍ୟ ପ୍ରଭାବ ଛାଡ଼ିଥିଲା।

Advertisment

ସାଗର ବେଲାରିଙ୍କ ନିର୍ଦେଶନା ଓ ପ୍ରଶାନ୍ତ ସାହାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ସବିର ବକ୍ସୱାଲା ସହ ପ୍ରଯୋଜକ ରହିଥିଲେ। କିସ୍‌, ଭୁବନେଶ୍ବର, ପୁରୀ ସହିତ ଇଂଲଣ୍ଡ ଓ ୱେଲ୍ସରେ ଏହି ସିନେମାର ସୁଟିଂ କରାଯାଇଛି। ରଗ୍‌ବି ପିଲାଙ୍କ ସଫଳତା ପଛରେ ଥିବା ପ୍ରଶିକ୍ଷକ ତଥା କିସ୍‌ କ୍ରୀଡ଼ା ଅଧିକାରୀ ରୁ୍ଦ୍ରକେଶ ଜେନାଙ୍କ ଏହି ଦଳ ବିଶ୍ବସ୍ତରୀୟ ସଫଳତା ପାଇଥିବା ବେଳେ ତାଙ୍କ ଭୂମିକାରେ ଅଭୟ ଦେଓଲ, ପଲ୍ ୱାଲ୍‌ସ ଭୂମିକାରେ ଷ୍ଟୁଆର୍ଟ ରାଇଟ୍, ଅଭିନେତ୍ରୀ ଏମିଲି ଶାହ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭୂମିକାରେ ଅତୁଲ କୁମାର ଅଭିନୟ କରିଛନ୍ତି। କିସ୍‌ର ୩ ଛାତ୍ର ନରସିଂହ ମାର୍ଣ୍ଡି (ରାକିଶୋର ମୁର୍ମୁ ଭାବେ), ଲିଟୁ ମୁଣ୍ଡା ଦାସ (ଚିତ୍ତରଂଜନ ମୁର୍ମୁ ଭାବେ), ପ୍ରିୟରଂଜନ ମଲ୍ଲିକ (ବାବୁଲା ମେଳକା ଭାବେ) ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ବାସ୍ତବରେ ରାକିଶୋର ମୁର୍ମୁଙ୍କ ନେତୃତ୍ବରେ ଯେଉଁ ୧୨ ଜଣ ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ-ବିକାଶ ଚନ୍ଦ୍ର ମୁର୍ମୁ (ଉପଅଧିନାୟକ), ବାବୁଲା ମେଳକା, ବୁକାଇ ହାଁସଦା, ବରିଆଳ ବେଶ୍ରା, ଚିତ୍ତରଂଜନ ମୁର୍ମୁ, ଗଣେଶ ଚନ୍ଦ୍ର ହେମ୍ବ୍ରମ, ଗୌରାଙ୍ଗ ଜାମୁଦା, ହାଡ଼ି ଧାଙ୍ଗଡ଼ା ମାଝୀ, ନରସିଂହ କେରାଇ, ନିରଂଜନ ବିଶ୍ବାଳ, ସହଦେବ ମାଝୀ। ଖେଳାଳିଙ୍କ ବିକାଶ ଓ କିସ୍‌ର ଅବଦାନ କାରଣରୁ କିସ୍ କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଖୁସି ବ୍ୟକ୍ତ କରିଛନ୍ତି। ଏହି ଚଳଚ୍ଚିତ୍ରର ଗୁରୁତ୍ବ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ସଫଳତାର ପଛରେ ଥିବା ଏହି ନେପଥ୍ୟ ନାୟକ ପ୍ରକାଶ କରିଛନ୍ତି। କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଓଟିଟି ପ୍ଲାଟଫର୍ମ ପ୍ରବେଶ ପୂର୍ବରୁ ଶୁଭକାମନା ଦେଇଛନ୍ତି।