ୟୁନିଲାଇଟ୍‌ କପ୍‌ ଜିତିଲା କିସ୍‌

ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ‌୍ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ୟୁନିଟ୍‌-୬ ବାଳକ ହାଇସ୍କୁଲ୍‌ ପଡ଼ିଆରେ ରବିବାର ଫାଇନାଲ୍‌ରେ ସୈନିକ ସ୍କୁଲ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି କିସ୍‌ ବିଜେତା ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧରେ ଦୁଇଟିଯାକ ଗୋଲ୍‌ ହୋଇଥିଲା। କୁନାରାମ ସୋରେନ୍‌ (୩୫ ମିନିଟ୍‌) ଓ ହରି ହେମ୍ବ୍ରମ୍ବ (୪୮ ମିନିଟ) ଗୋଟିଏ ଲେଖାଏଁ ଗୋଲ୍‌ କରି କିସ୍‌କୁ ୟୁନିଲାଇଟ୍‌ କପ୍‌ ଭେଟି ଦେଇଥିଲେ। ବିଜେତା ଦଳର ଯଦୁନାଥ ହାଁସ୍‌ଦା ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସୂରଜ ସୁନ୍ଦର ଦିଗଲ୍‌ (ସୈନିକ ସ୍କୁଲ୍‌), ଶ୍ରେଷ୍ଠ କୋଲ୍‌ରକ୍ଷକ ଦୁଲା ବେସ୍ରା (କିସ୍‌), ଶ୍ରେଷ୍ଠ ରକ୍ଷଣ ଭାଗ ଚନ୍ଦନ ନାୟକ (କ୍ୟାପିଟାଲ ହାଇସ୍କୁଲ୍‌, ୟୁନିଟ୍‌-୩), ଶ୍ରେଷ୍ଠ ଫରୱାର୍ଡ କୁନାରାମ ସୋରେନ୍‌ (କିସ୍‌) ଏବଂ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ସରକାରୀ ବାଳକ ହାଇସ୍କୁଲ୍‌, ଆଇଆର୍‌ସି ଭିଲେଜକୁ ପୁରସ୍କୃତ କରାଯାଇଥିଲା। କୃଷ୍ଣଚନ୍ଦ୍ର ରଣା, ବେଣୁଧର ସାମନ୍ତରାୟ ଓ କୃଷ୍ଣଚନ୍ଦ୍ର ମଲ୍ଲିକ ଶ୍ରେଷ୍ଠ ସ୍ବେଚ୍ଛାସେବକ ଭାବେ ପୁରସ୍କୃତ ହୋଇଥିଲେ। ରାଜେନ୍ଦ୍ର ବାରିକ, କିର୍ତ୍ତି ସ୍ବାଇଁ, ଦିଗ୍‌ବିଜୟ ଦାସ ଓ ଲକ୍ଷ୍ମୀ ପ୍ରସାଦ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ। ସୁଶାନ୍ତ ମହାନ୍ତି ମ୍ୟାଚ୍‌ କମିସନର ରହିଥିଲେ।

ସଂଘର ସଭାପତି ତପନ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପରିଚାଳନା ନିର୍ଦେଶକ ଦିଲିପ ସାମନ୍ତରାୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଫିଜିଓଥେରାପିଷ୍ଟ ଅମିତ କୁମାର ସାହୁ ଏବଂ ପ୍ରସାଦ ସାହୁଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ସଂଘର ସଂପାଦକ ଦିଲିପ ଦାସ ପ୍ରତିଯୋଗିତା ଆୟୋଜନ ନେଇ ବିବରଣୀ ପ୍ରଦାନ କରିଥିଲେ। ସଭା ପରିଚାଳନା କରିଥିଲେ ଅମିୟ ମିଶ୍ର।

ସମ୍ବନ୍ଧିତ ଖବର