ଭୁବନେଶ୍ୱର: ଭାରତରେ ଚେସ୍‍ର ପ୍ରସାର ନିମନ୍ତେ କିଟ୍‍, ଭାରତୀୟ ଚେସ୍‍ ମହାସଂଘ (ଏଆଇସିଏଫ୍‍) ଓ ଅନ୍ତର୍ଜାତୀୟ ଚେସ୍‍ ମହାସଂଘ (ଫିଡେ) ମଧ୍ୟରେ ଆଜି ଗୋଆରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତରେ ବିଦ୍ୟାଳୟ ସ୍ତରରୁ ଚେସ୍‍ର ପ୍ରସାର ଲକ୍ଷ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଫଳରେ ଶିକ୍ଷା ସହ ଚେସ୍‍ର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ। ‘ଫିଡେ’ ସଭାପତି ଆର୍କାଡି ଭର୍କୋଭିଚ୍‍, ମ୍ୟାନେଜମେଣ୍ଟ ବୋର୍ଡ ଉପାଧ୍ୟକ୍ଷ ଜିଏମ୍‍ ଦାନା ରେଜିନାଇସ୍‍, ଚୟନ କମିଟିର ସଦସ୍ୟ ତଥା ମୁଖ୍ୟ ପ୍ରଶିକ୍ଷକ ଜିଏମ୍‍ ଅଭିଜିତ କୁନ୍ତେ, ଚେସ୍‍  ବିଶ୍ୱନାଥନ୍‍ ଆନନ୍ଦ, ଏଆଇସିଏଫ୍‍ ସଭାପତି ନୀତିନ୍‍ ନାରଙ୍ଗ, ‘ଫିଡେ’ ଇଭେଣ୍ଟ୍‌ କମିଟିର ସଦସ୍ୟ ରଞ୍ଜନ ମହାନ୍ତି ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

Advertisment

ସୂଚନାଯୋଗ୍ୟ, ଚେସ୍‍ ମାଧ୍ୟମରେ ଶିକ୍ଷା, ପୁନର୍ବାସ, ଅନ୍ତର୍ଭୁକ୍ତୀକରଣ ଓ ଲୋକଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେବା ନିମନ୍ତେ ‘ଫିଡେ’ ପକ୍ଷରୁ ବିଭିନ୍ନ ସମୟରେ ପ୍ରୟାସ ଜାରି ରହିଛି। ଏଥିପାଇଁ ୨୦୨୫ରେ ଫିଡେର ବିଷୟବସ୍ତୁ ଥିଲା ‘ଚେସ୍‍ ଫର୍‍ ସୋସିଆଲ୍‍ ସର୍ଭିସ’। ୨୦୨୬କୁ ‘ଫିଡେ’ ଇୟର ଅଫ୍‍ ଚେସ୍‍ ଇନ୍‍ ଏଜୁକେସନ୍‍ ଘୋଷଣା କରିଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କିଟ୍‍ ଓ କିସ୍‍ର ବ୍ୟାପକ ଯୋଗଦାନ ଥିବାରୁ ‘ଫିଡେ’ ଏହି ବୁଝାମଣା କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି  ୨୦୨୬ ଜାନୁଆରି ମାସରେ ‘କିଟ୍‌’ରେ ଆନ୍ତର୍ଜାତିକ ଚେସ୍‍ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଏହି ବୁଝାମଣା ହୋଇଛି। ଏହି ଫେଷ୍ଟିଭାଲ୍‌ରେ ପ୍ରାୟ ୩୫ ଦେଶର ଚେସ୍‍ ସଂଘର ମୁଖ୍ୟ, ଏଆଇସିଏଫ୍‍ର ସଭାପତି ଓ ଚେସ୍‍ ତାରକାମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଭାରତରେ ବିଶେଷ କରି ଓଡ଼ିଶାର କିଟ୍‍ ପରିସରରେ ଏଭଳି ଚେସ୍‍ ଫେଷ୍ଟିଭାଲ୍‍ ଅନୁଷ୍ଠିତ ହେବାକୁ ଯାଉଛି।

ରଞ୍ଜନଙ୍କୁ ‘ଫିଡେ’ର ଗୁରୁ ଦାୟିତ୍ବ
ଓଡ଼ିଶା ଚେସ୍‌ର ଅନ୍ୟତମ ପ୍ରମୁଖ ଚେହେରା ଆଇଆର୍‌ଏସ୍‌ ରଞ୍ଜନ ମହାନ୍ତିଙ୍କୁ ମିଳିଛି ଫିଡେର ଗୁରୁ ଦାୟିତ୍ବ। ୨୦୨୬ ମସିହାକୁ ଫିଡେ ଚେସ୍‌ ଶିକ୍ଷାର ବର୍ଷ ଘୋଷଣା କରିଥିବା ବେଳେ କିଟ୍‌ରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ବିଶ୍ବ ଚେସ୍‌ ସଂଘ ଫିଡେ ସଂଯୋଜକ ନିଯୁକ୍ତ କରିଛି। ଚେସ୍‌ରେ ରଞ୍ଜନଙ୍କ ଗଭୀର ଜ୍ଞାନ ସହିତ ଦୃଢ଼ ନେତୃତ୍ବ, ଦୂରଦୃଷ୍ଟି, ଆୟୋଜନ ଦକ୍ଷତାକୁ ବିଚାରକୁ ନେଇ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସମ୍ମାନଜନକ ଦାୟିତ୍ବ ପାଇଁ ମନୋନୀତ ହୋଇଥିବାରୁ ରଞ୍ଜନଙ୍କୁ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଚେସ୍‌ ଖେଳାଳିରୁ ପ୍ରଶାସକ ଓ ଆଇଆର୍‌ଏସ୍‌ ହୋଇଥିବା ଏହି ବରିଷ୍ଠ ଆୟକର ଅଧିକାରୀ ଓଡ଼ିଶା ଓ ଭାରତରେ ଚେସ୍‌ର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି।

ଏହା ପୂର୍ବରୁ ଫୁଟ୍‍ବଲ୍‍ର ପ୍ରସାର ନିମନ୍ତେ କିଟ୍‍ ମଧ୍ୟ ଅନ୍ତର୍ଜାତୀୟ ଫୁଟ୍‍ବଲ୍‍ ସଂଘ (ଫିଫା) ସହ ବୁଝାମଣା କରି ଇତିହାସ ସୃଷ୍ଟି କରିଥିବା ବେଳେ ଭଲିବଲ୍‍ର ପ୍ରସାର ନିମନ୍ତେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ସହ ବୁଝାମଣା କରିଛି। ଚେସ୍‍ର ପ୍ରସାର ନିମନ୍ତେ ଏବେ ‘ଫିଡେ’ ସହ ବୁଝାମଣା ହେଉଛି ‘କିଟ୍‍’ର ତୃତୀୟ ଅନ୍ତର୍ଜାତୀୟ ସଂଘ ସହ ବୁଝାମଣା। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ଅବସରରେ କହିଛନ୍ତି, ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ଖେଳ ଫୁଟ୍‌ବଲ୍‍ ଓ ଭଲିବଲ୍‍ ପାଇଁ ପୂର୍ବରୁ ‘କିଟ୍‍’ର ବୁଝାମଣା ହୋଇଥିବା ବେଳେ ଏବେ ବିଶ୍ୱର ଅନ୍ୟତମ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଚେସ୍‍ର ଅନ୍ତର୍ଜାତୀୟ ସଂଘ ସହ ‘କିଟ୍‍’ ବୁଝାମଣା କରିଛି। ଏହାଦ୍ୱାରା କ୍ରୀଡ଼ା କ୍ଷେତ୍ରରେ ୩୦ବର୍ଷ ଧରି କିଟ୍‍ର ଯୋଗଦାନ ଓ ଅବଦାନକୁ ବିଶ୍ୱର ଏହି ସଂଘଗୁଡ଼ିକର ସ୍ୱୀକୃତି ପ୍ରଦାନ ସହ କିଟ୍‍ ଓ କିସ୍‌ ଭଳି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହା କିଟ୍‍, କିସ୍‍, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ।