ଭୁବନେଶ୍ବର: ଅନ୍ତର୍ଜାତୀୟ ଚେସ୍ କ୍ୟାଲେଣ୍ଡରର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା କିଟ୍ ଚେସ୍ ମହୋତ୍ସବର ଦ୍ବାଦଶ ସଂସ୍କରଣ ଚଳିତ ମେ’ ୩୧ରୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବଭଳି ଏହା ୩ଟି ବର୍ଗରେ ଖେଳାଯିବାକୁ ଥିବାବେଳେ ମୋଟ ପୁରସ୍କାର ରାଶିକୁ ୨୨ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କିଟ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ। ମୋଟ ୩୦ ଦେଶରୁ ପ୍ରାୟ ୮୦୦ ଖେଳାଳିଙ୍କ ସହିତ ପରିବାର ସଦସ୍ୟ ଓ ଅଧିକାରୀଙ୍କୁ ମିଶାଇ ୩୦୦୦ ଜଣ ଦେଢ଼ ସପ୍ତାହ ଧରି ଭୁବନେଶ୍ବରରେ ଡେରା ପକାଇବେ। ପ୍ରତିଯୋଗିତାରେ ଓଡ଼ିଶାର ପ୍ରଥମ ଗ୍ରାଣ୍ଡମାଷ୍ଟର୍ ଦେବାଶିଷ ଦାସ ଭାରତୀୟ ଖେଳାଳିଙ୍କ ଆହ୍ବାନ ବହନ କରିବେ। ମୋଟ ୧୯ ଜଣ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ (ଦିବ୍ୟନ୍ଦୁ ବରୁଆ, ଆର୍ ଆର୍ ଲକ୍ଷ୍ମଣ, ଦେବାଶିଷ ଦାସ) ସାମିଲ ରହିଛନ୍ତି। ଓଡ଼ିଶାର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର ଉପଲବ୍ଧ ନ ଥିବାରୁ ଭାଗନେବେ ନାହିଁ। କେବଳ ଚେସ୍ ନୁହେଁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅକୁଣ୍ଠ ସମର୍ଥନ କାରଣରୁ କିଟ୍ ବିଶ୍ବବିଦ୍ୟାଳୟ ଦେଶ ଏବଂ ରାଜ୍ୟର ଏକ ପ୍ରମୁଖ କ୍ରୀଡ଼ାକେନ୍ଦ୍ର ପାଲଟିଛି ବୋଲି ଡକ୍ଟର ଦାଶ ପ୍ରକାଶ କରିଥିଲେ। ଗୋଟିଏ ଦଶନ୍ଧି ଅତିକ୍ରମ କରିଥିବା ଏହି ଗ୍ରାଣ୍ଡମାଷ୍ଟର୍ସ ଚେସ୍ ପ୍ରତିଯୋଗିତା ଓଡ଼ିଶା ଚେସ୍ରେ ବୈପ୍ଳବିକ ପରିବର୍ତନ ଆଣିଥିବା କଥାକୁ ସ୍ବୀକାର କରିଥିଲେ ନିଖିଳ ଓଡ଼ିଶା ଚେସ୍ ସଂଘର ଉପ ସଭାପତି ରଂଜନ ମହାନ୍ତି। ଆଗରୁ ଓଡ଼ିଶାରେ ରହି ଗ୍ରାଣ୍ଡମାଷ୍ଟର୍ ପ୍ରତିଯୋଗିତା ଖେଳିବା କଥା ସ୍ବପ୍ନରେ ଭାବିବା ସମ୍ଭବ ନ ଥିଲା। ଜିଏମ୍ ଖେଳାଳିଙ୍କୁ ଦେଖିବା ମଧ୍ୟ ଦିବାସ୍ବପ୍ନ ଭଳି ଥିଲା ବୋଲି କହିଥିଲେ ବିଗତ ଦିନର ଏହି ଖେଳାଳି। କିନ୍ତୁ ଗୋଟିଏ ଦଶନ୍ଧୀ ପରେ ଓଡ଼ିଶା ଚେସ୍ ସେତେଟା ଅଗ୍ରଗତି କରିପାରିନଥିବା କଥାକୁ ପରୋକ୍ଷରେ ସ୍ବୀକାର କରିଥିଲେ। ଚେସ୍ ଖେଳ ବ୍ୟୟବହୁଳ ହୋଇଯିବା, ପ୍ରଶିକ୍ଷଣ ଢାଞ୍ଚା ବଦଳିବା, ଖେଳାଳିଙ୍କ ସଙ୍କଳ୍ପବଦ୍ଧତା କମିବା ଏବଂ ପରିବାର ଲୋକଙ୍କ ନିଷ୍ପତ୍ତି ନେବାରେ ଅଭାବ ଥିବାରୁ ଓଡ଼ିଶା ଚେସ୍ ଆଶାଜନକ ଭାବେ ବଢ଼ି ପାରିନଥିବା କହିଥଲେ ଏହି ବରିଷ୍ଠ ଆୟକର ଅଧିକାରୀ।
ତିନିଟି ବର୍ଗ ମଧ୍ୟରୁ ମୁଖ୍ୟ ପ୍ରତିଯୋଗିତା ‘ଏ’ର ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ୨୦୦୦ରୁ ଊର୍ଧ୍ବ ରେଟିଂପ୍ରାପ୍ତ ଖେଳାଳି ଭାଗ ନେଇ ପାରିବେ। ‘ବି’ ବର୍ଗରେ ୧୯୦୦ରୁ କମ୍ ଏବଂ ‘ସି’ ବର୍ଗରେ ୧୬୦୦ ରେଟିଂରୁ କମ୍ ଖେଳାଳି ଭାଗନେବେ। ଉଭୟର ବିଜେତାଙ୍କୁ ସମାନ ୬୦,୦୦୦ ଟଙ୍କା ଲେଖାଏଁ ମିଳିବ। ଏହି ଦୁଇ ବର୍ଗରେ ଅଧିକାଂଶ ଓଡ଼ିଶା ଖେଳାଳି ଭାଗନେବାର ସୁଯୋଗ ପାଇବେ। ସମସ୍ତ ୩ ବର୍ଗରେ ୧୨୫ ଜଣ ମୁଖ୍ୟ ପୁରସ୍କାର ରାଶି ପାଇବେ। ଏହା ବ୍ୟତୀତ ବିଭିନ୍ନ ରେଟିଂ, ଅଣ ରେଟିଂ, ଓଡ଼ିଶା ଶ୍ରେଷ୍ଠ, ଭିନ୍ନକ୍ଷମ, ଭେଟେରାନ, ମହିଳା ଆଦି ବର୍ଗରେ ମଧ୍ୟ ଆର୍ଥିକ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ଚେସ୍ ସଂଘ ଫିଡେ, ସର୍ବଭାରତୀୟ ଚେସ୍ ସଂଘ ଏଆଇସିଏଫ୍, କିଟ୍ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପାଇଁ ଏହା ପ୍ରତିବର୍ଷ ସମ୍ଭବ ହେଉଛି ବୋଲି କହିଥିଲେ କହିଥିଲେ ଡକ୍ଟର ଗଗନେନ୍ଦୁ ଦାଶ।
କିଟ୍ ଅନ୍ତର୍ଜାତୀୟ ଚେସ୍ ପୁରସ୍କାର ରାଶି ୨୫ ଲକ୍ଷକୁ ବୃଦ୍ଧି
/sambad/media/post_attachments/wp-content/uploads/2019/05/DSC_8387.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)