ଭୁବନେଶ୍ୱର: କିଟ୍‌ ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର କାଟେଗୋରି-ବି’ରେ ତାମିଲନାଡୁର ବିଜୟ ଶ୍ରୀରାମ ପି ବିଜେତା ହୋଇଛନ୍ତି। ସେ ମୋଟ ୧୦ ରାଉଣ୍ଡ୍‌ରୁ ସର୍ବାଧିକ ୯ ପଏଣ୍ଟ୍‌ ପାଇ ଟ୍ରଫି ଜିତିଥିଲା ବେଳେ ଉତ୍ତର ପ୍ରଦେଶର କାଟିୟାର ପ୍ରଶାନ୍ତ ୮.୫ ପଏଣ୍ଟ୍‌ ପାଇ ଉପବିଜେତା ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ମୁସିନି ଅଜୟ ସମାନ ୮.୫ ପଏଣ୍ଟ୍‌ ପାଇଥିଲେ ବି ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ଓଡ଼ିଶାର ସୁଧୀର କୁମାର ବେହେରା, ବିନାୟକ ରଥ (ଉଭୟେ ସାଢ଼େ ୭ ପଏଣ୍ଟ୍‌) ଶ୍ରେଷ୍ଠ ୩୦ ମଧ୍ୟରେ ରହି ପୁରସ୍କାର ପାଇଥିଲେ। ସେହିପରି ଅନେ୍ଵଷ ସ୍ୱାଇଁ ଓ ପ୍ରକୃତି ରାଉତ (୧୦୦୦ରୁ ୧୧୯୯ ରେଟିଂ ବର୍ଗ), ବୀରେନ୍ଦ୍ର ରାଇତା ଓ ବିପିନ ମଲ୍ଲିକ (କିସ୍‌), ଏସ୍‌ କ୍ଷୀରୋଦ କୁମାର (୧୨୦୦ରୁ ୧୨୯୯ ରେଟିଂ ପଏଣ୍ଟ୍‌), କିସ୍‌ର ପୂର୍ଣ୍ଣ ଖୀଲୋ (୧୪୦୦ରୁ ୧୪୯୯ ରେଟିଂ ପଏଣ୍ଟ୍‌) ଏବଂ ରାଜେଶ କୁମାର ନାୟକ (୧୬୦୦ରୁ ୧୬୯୯ ରେଟିଂ ପଏଣ୍ଟ୍‌) ପୁରସ୍କୃତ ତାଲିକାରେ ସାମିଲ ହୋଇଥିଲେ। ଏକାଟେଗୋରି-ବି ବର୍ଗରେ ତପନ ବଡ଼ମୁଣ୍ଡି, ମନୀନ୍ଦ୍ର କାର୍ଜୀ ଓ ସାଜନ କୁମାର ନାୟକ (ସମସ୍ତେ କିସ୍‌) ପ୍ରତ୍ୟେକ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇ ଓଡ଼ିଶାର ଶ୍ରେଷ୍ଠ ତିନି ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ଅନ୍ୟ ଓଡ଼ିଶା ଖେଳାଳି ଭାବେ ସାର୍ଥକ ଦେବତା, ସୌମ୍ୟରଞ୍ଜନ ସାହୁ, ସାଗର ବିଶ୍ୱାଳ, ଜଗଦୀଶ ବାରିକ୍‌, ଦୀନେଶ କୁମାର ବେହେରା, ପ୍ରିୟବ୍ରତ ସାମନ୍ତସିଂହ (ସମସ୍ତେ ସାଢ଼େ ୬ ପଏଣ୍ଟ୍‌) ଓ ପ୍ରଦୀପ୍ତ କୁମାର ବିଷୋୟୀ (୬ ପଏଣ୍ଟ୍‌) ପୁରସ୍କୃତ ହୋଇଥିଲେ।
କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷା ଡ. ମୋନାଲିସା ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ଅର୍ଥ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, ରାଜ୍ୟ ଚେସ୍‌ ସଂଘର ଉପସଭାପତି ରଞ୍ଜନ ମହାନ୍ତି ଓ ସଂପାଦକ କେକେ ଶର୍ମା ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ। କାଟେଗୋରି-ବିରେ ମୋଟ ୪୭୭ ଖେଳାଳି ଭାଗ ନେଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ସଫଳ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ୩ ସ୍ଥାନ ଅକ୍ତିଆର କରିଥିବା ତିନି କିସ୍‌ ଖେଳାଳିଙ୍କ ସହିତ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋମବାର କାଟେଗୋରି-ବି ପ୍ରତିଯୋଗିତା ଶେଷ ହୋଇଥିଲା ବେଳେ ଆସନ୍ତାକାଲିଠାରୁ କାଟେଗୋରି-ସି କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ଆରମ୍ଭ ହେବ।