ଲଢୁଆ ଖେଳ ସତ୍ତ୍ୱେ ପଞ୍ଜାବ ୩୧ ରନରେ ପରାସ୍ତ

ଇନ୍ଦୋର : ସ୍ଥାନୀୟ ହୋଲକାର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୪ ତମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ କିଙ୍ଗସ ଏକାଦଶ ପଞ୍ଜାବକୁ ୩୧ ରନରେ ପରାସ୍ତ କରିଛି । କୋଲକତାର ୨୪୫ ରନ ଜବାବରେ ପଞ୍ଜାବ ମଧ୍ୟ ଲଢୁଆ ଜବାବ ଦେଇଥିଲା । କିନ୍ତୁ ଦଳ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା ।
ଦଳ ପକ୍ଷରୁ କେଏଲ ରାହୁଲ ୨୯ ବଲରେ ୬୬ ରନ କରିଥିବାବେଳେ ଅଧିନାୟକ ଆର.ଅଶ୍ୱୀନ ୨୨ ବଲରେ ୪୫ ରନ, ଆରନ ଫିଞ୍ଚ୍‌ ୩୪ (୨୦ବଲ) ଓ କ୍ରିସ ଗେଲ ୧୭ ବଲରେ ୨୧ ରନ କରିଥିଲେ । କୋଲକତା ତରଫରୁ ଆନ୍ଦ୍ରେ ରସେଲ ୪୧ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।
ଦଳ ପକ୍ଷରୁ ସୁନୀଲ ନାରିନ ଓ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ଫଳରେ ୬ ଓ୍ଵିକେଟ ହରାଇ ୨୪୫ ରନ ସଂଗ୍ରହ କରିଛି । ଏହା ହେଉଛି ଆଇପିଏଲ ଇତିହାସରେ ୨ୟ ସର୍ବାଧିକ ସ୍କୋର । ଏହା ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୨୪୬ ରନର ବିଶାଳ ଲକ୍ଷ୍ୟ ରଖିଛି କୋଲକତା ।
ସୁନୀଲ ନାରିନ ମାତ୍ର ୩୬ ବଲ ଖେଳି ୭୫ ରନ ସଂଗ୍ରହ କରିଥିବାବେଳେ ଦିନେଶ କାର୍ତ୍ତିକ ୨୩ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ସେହିପରି ଓପନର କ୍ରିସ ଲିନ ୧୭ ବଲରେ ୨୭ ରନ ସଂଗ୍ରହ କରିଥିଲେ । ପଂଜାବ ତରଫରୁ ଆଣ୍ଡ୍ରୁ ଟାଇ ୪୧ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ପଂଜାବର ଅଧିନାୟକ ଆର. ଅଶ୍ୱୀନ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପଂଜାବ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୫ ପରାଜୟ ଓ ୬ ବିଜୟ ସହ ୧୨ ପଏଣ୍ଟ ପାଇଥିବାବେଳେ କୋଲକତା ୧୨ଟି ମ୍ୟାଚରୁ ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର