ପରାଜୟ ଧାରା ଭାଙ୍ଗିଲା କେକେଆର୍‌, ପଞ୍ଜାବର ଦୁର୍ବଳ ବ୍ୟାଟିଂ

ଅହମଦାବାଦ: ଅହମଦାବାଦରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)ର ଭାଗ୍ୟ ଉଦୟ ହୋଇଛି। ଲଗାତାର ଚାରିଟି ପରାଜୟ ବରଣ କରି ସବାଶେଷ ସ୍ଥାନରେ ଥିବା ଏହି ପୂର୍ବବିଜେତା ଦଳ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ବହୁ ପ୍ରତୀକ୍ଷିତ ବିଜୟ ପାଇବା ସହ ବିଜୟ ଧାରାକୁ ଫେରିଛି। ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ସୋମବାର କେକେଆର୍‌ ଉଭୟ ବଲ୍ ଓ ବ୍ୟାଟ୍‌ରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା। ବୋଲରମାନେ ପଞ୍ଜାବ କିଙ୍ଗ୍ସକୁ ମାତ୍ର ୧୨୩/୯ରେ ଅଟକାଇବା ପରେ ରାହୁଲ ତ୍ରିପାଠୀ (୪୧ ରନ୍, ୩୨ ବଲ୍, ୭ ଚୌକା)ଙ୍କ ଦ୍ରୁତ ବ୍ୟାଟିଂ ଓ ଅଧିନାୟକ ଇଅନ ମୋର୍ଗାନ (୪୭ ରନ୍, ୪୦ ବଲ୍, ୪ ଚୌକା, ୨ ଛକା)ଙ୍କ ମହତ୍ବପୂର୍ଣ୍ଣ ପାଳି ବଳରେ କେକେଆର୍‌ ଶେଷରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିଥିଲା। ଅଧିନାୟକ ମୋର୍ଗାନ ଫର୍ମକୁ ଫେରିବା ମଧ୍ୟ ଏହି ଦଳ ପାଇଁ ଆଉ ଏକ ଶୁଭଖବର ଥିଲା। ୧୨୪ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ସତ୍ତ୍ବେ ମାତ୍ର ୧୭ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା କେକେଆର। ତେବେ ରାହୁଲ-ମୋର୍ଗାନଙ୍କ ପାଇଁ ୧୬.୪ ଓଭରରେ ୧୨୬ ରନ୍ କରି ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଥିଲା। ଫଳରେ ପଏଣ୍ଟ୍‌ ତାଲିକାରେ ଅଷ୍ଟମରୁ ପଞ୍ଜମକୁ ଲମ୍ଫ ମାରିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ସେହି ୬ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା।

ପଞ୍ଜାବର ଦୁର୍ବଳ ବ୍ୟାଟିଂ
ମୋଟେରାର ମନ୍ଥର ପିଚ୍‌ରେ କେକେଆର୍‌ ଟସ୍ ଜିତି ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତାରକା ଖଚିତ ପଞ୍ଜାବ ବ୍ୟାଟିଂକ୍ରମ ବି ଏହି ଦଳର ଚକ୍ରବ୍ୟୁହରେ ଫସି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିଥିଲା। ଅଧିନାୟକ କେଏଲ୍ ରାହୁଲ (୧୯), ବିସ୍ଫୋରକ କ୍ରିସ୍ ଗେଲ୍ (୦), ଦୀପକ ହୁଦା (୧), ମୋଜେସ୍ ‌ହେନରିକ୍ସ (୨) ବିଫଳ ହେବା ପରେ ଶୀର୍ଷକ୍ରମରେ ମୟଙ୍କ ଅଗ୍ରୱାଲ (୩୧) ଏବଂ ଶେଷ ଆଡ଼କୁ କ୍ରିସ୍ ଜୋର୍ଡାନ (୩୦ ରନ୍ ୧୮ ବଲ୍, ୧ ଚୌକା, ୩ ଛକା) ୩୦+ ପାଳି ବଳରେ ପଞ୍ଜାବ ଶହେ ଟପିଥିଲା। ବଡ଼ ସଟ୍ ପାଇଁ ପରିଚିତ ନିକୋଲାସ ପୂରନ ୧୯ ବଲ୍‌ରୁ ୧୯ ଓ ଶାହରୁଖ ଖାନ୍ ୧୪ ବଲ୍‌ରୁ ୧୩ ରନ୍ କରିଥିଲେ। କେକେଆର୍‌ ପାଇଁ ସଫଳତମ ବୋଲର ଭାବେ ପ୍ରସିଦ୍ଧ କୃଷ୍ଣା ୩୦ ରନ୍ ଦେଇ ୩ ଏବଂ ପ୍ୟାଟ୍ କମିନ୍ସ ଓ ସୁନିଲ ନାରାୟଣ ୨ଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। କେକେଆର୍‌ର ୬ ଜଣ ଯାକ ବୋଲରଙ୍କ ଖାତାରେ ଅନ୍ୟୂନ ଗୋଟିଏ ଲେଖାଏଁ ୱିକେଟ୍ ଥିଲା।

ସମ୍ବନ୍ଧିତ ଖବର