କେକେଆର୍‌ ପ୍ଲେ ଅଫ୍‌ ପହଞ୍ଚିଲା

ହାଇଦ୍ରାବାଦ: ଆଇପିଏଲ୍‌-୧୧ର ଶନିବାର ୫୪ତମ ମ୍ୟାଚ୍‌ରେ ୨ ଥର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ ୫ ଓ୍ଵିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଦଳ ଭାବେ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିନେଇଛି। ପୂର୍ବରୁ ହାଇଦ୍ରାବାଦ, ଚେନ୍ନାଇ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଏବେ ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ ରାଜସ୍ଥାନ, ପଞ୍ଜାବ, ମୁମ୍ବାଇ ତ୍ରିକୋଣୀୟ ଅପେକ୍ଷାରେ ରହିଲେ। ରବିବାରର ଦିଲ୍ଲୀ-ମୁମ୍ବାଇ ଏବଂ ପଞ୍ଜାବ-ଚେନ୍ନାଇ ମ୍ୟାଚ୍‌ ଦ୍ୱୟ ପରେ ଚତୁର୍ଥ ଦଳର ଭାଗ୍ୟ ନିର୍ଣ୍ଣୟ ହେବ। ଗୋଟିଏ ସ୍ଥାନ ପାଇଁ କିନ୍ତୁ ପଞ୍ଜାବକୁ ବଡ଼ ବ୍ୟବଧାନ ବିଜୟ ଏବଂ ମୁମ୍ବାଇକୁ କେବଳ ସରଳ ବିଜୟ ଆବଶ୍ୟକ ପଡୁଛି। ହାଇଦ୍ରାବାଦ ଉପ୍ପଲ୍‌ର ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ସନ୍‌ରାଇଜର୍ସ ବ୍ୟାଟିଂ କରିଥିଲା। ଶିଖର ଧାଓ୍ଵନ ଏବଂ ବେଙ୍ଗଲ୍‌ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଶ୍ରୀବତ୍ସ ଗୋସ୍ୱାମୀ  ପାଳି ଆରମ୍ଭ କରି ପ୍ରଥମ ଓ୍ଵିକେଟ୍‌ ପାଇଁ ୧୨.୫ ଓଭରରେ ୧୨୭ ରନ୍‌ ଯୋଡ଼ିଥିଲେ। ଧାଓ୍ଵନ ୩୯ ବଲ୍‌ରୁ ୫୦ ରନ୍‌ ଏବଂ ଗୋସ୍ୱାମୀ ୨୬ ବଲରୁ ୩୫ ରନ୍‌ କରିଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ (୩୬, ୧୭ ବଲ୍‌, ୧ ଚୌକା, ୩ ଛକା) ସାମୟିକ ବିସ୍ଫୋରଣ କରିଥିଲେ ମଧ୍ୟ ଅଧିକ ସମୟ ରହିନଥିଲେ। ତାଙ୍କ ବିଦାୟ କାରଣରୁ ୧୦.୪ ଓଭରରେ ୧୦୦ ରନ୍‌ ଟପିଥିବା ହାଇଦ୍ରାବାଦ ହଠାତ୍‌ ଦିଗହରା ହୋଇଯାଇଥିଲା। ମଧ୍ୟ ଓ ଶେଷାନ୍ତ ଓଭରଗୁଡ଼ିକରେ ଘରୋଇ ଦଳ ବିଫଳ ହୋଇଥିଲା। ମନୀଷ ପାଣ୍ଡେ (୨୫, ୨୨ ବଲ୍‌) ପୁଣି ସଂଘର୍ଷ କରିଥିଲେ। ଅନ୍ୟ କେହି ସାଥ୍‌ ଦେଇନଥିଲେ। ୟୁସୁଫ୍‌ ପଠାନ୍‌ (୨), କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌ (୩), ସକିବ୍‌ ଅଲ୍‌ ହାସନ୍‌ (୧୦) ନିଜ ଖ୍ୟାତି ମୁତାବକ ଖେଳିପାରିନଥିଲେ। ଏପରିକି ୩୧ ରନ୍‌ରେ ଶେଷ ୭ ଓ୍ଵିକେଟ୍‌ ହରାଇ ଦଳ ବଡ଼ ସ୍କୋର୍‌ରୁ ବଞ୍ଚିତ ହୋଇଥିଲା। ତଥାପି ଭଲ ମୂଳଦୁଆ କାରଣରୁ ସନ୍‌ରାଇଜର୍ସ ୧୭୨/୯ରେ ଅଭିଯାନ ଶେଷ କରିଥିଲା। କର୍ଣ୍ଣାଟକୀ ଦ୍ରୁତ ବୋଲର୍‌ ଏମ୍‌ ପ୍ରସିଦ୍ଧ କୃଷ୍ଣ (୪-୦-୩୦-୪) ସଫଳତମ ବୋଲର ଥିଲେ। ହେଲେ କ୍ରିସ୍‌ ଲିନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଜବାବରେ କେକେଆର୍‌କୁ ସୁନୀଲ ନରିନ୍‌ ପାରମ୍ପରିକ ଭାବେ ବିସ୍ଫୋରକ ଆରମ୍ଭ ଦେଇଥିଲେ। ମାତ୍ର ୧୦ ବଲ୍‌ରୁ ସେ ୨୯ ରନ୍‌ କରି ବିଦାୟ ନେଇଥିଲେ। ଏହା ମଧ୍ୟରେ ୪ ଚୌକା, ୨ ଛକା ସାମିଲ ଥିଲା। ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଲିନ୍‌ ମଧ୍ୟ ଚୁପ୍‌ ରହିନଥିଲେ। ସିଦ୍ଧାର୍ଥ କଉଲ୍‌ଙ୍କ ଶିକାର ହେବା ପୂର୍ବରୁ ସେ ୪୩ ବଲ୍‌ରୁ ୫୫ ରନ୍‌ କରିଥିଲେ। ସେ ୪ ଚୌକା ଓ ୩ ଛକା ମାରିଥିଲେ। ରବିନ୍‌ ଉଥପ୍ପା (୪୫, ୩୪ ବଲ୍‌, ୩ ଚୌକା, ୨ ଛକା) କେକେଆର୍‌କୁ ବିଜୟ ମୁହାଁ କରାଇଥିଲେ। ଅଧିନାୟକ ଦୀନେଶ କାର୍ତିକ (୨୬*, ୨୨ ବଲ୍‌) କିନ୍ତୁ ଦଳର ବିଜୟ ସୁଯୋଗକୁ ହାତଛଡ଼ା ହେବାକୁ ଦେଇନଥିଲେ। ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଥିଲେ ମଧ୍ୟ ହାଇଦ୍ରାବାଦ ହ୍ୟାଟ୍ରିକ୍‌ ପରାଜୟ ସହ ଲିଗ୍‌ ଅଭିଯାନ ଶେଷ କରିଥିଲା।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ: ୨୦ ଓଭରରେ ୧୭୨/୯ (ଶିଖର ଧାଓ୍ଵନ-୫୦, କେନ୍‌ ଓ୍ଵିଲିୟମ୍‌ସନ୍‌-୩୬, ଶ୍ରୀବତ୍ସ ଗୋସ୍ୱାମୀ-୩୫, ମନୀଷ ପାଣ୍ଡେ-୨୫, ପ୍ରସିଦ୍ଧ କୃଷ୍ଣ-୪/୩୦, ସୁନୀଲ ନରିନ୍‌-୧/୨୩, ସ୍କାଣ୍ଡଲବରି ସିୟରଲେସ୍‌-୧/୨୪, ଆନ୍ଦ୍ରେ ରସେଲ୍‌-୧/୩୧)। କୋଲ୍‌କାତା ନାଇଟ୍‌ ରାଇଡର୍ସ: ୧୯.୪ ଓଭରରେ ୧୭୩/୫ (କ୍ରିସ୍‌ ଲିନ-୫୫, ରବିନ୍‌ ଉଥପ୍ପା-୪୫, ସୁନିଲ ନରିନ-୨୯, ଦୀନେଶ କାର୍ତିକ-୨୬*, ସିଦ୍ଧାର୍ଥ କଉଲ୍‌-୨/୨୬, କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌-୧/୨୧, ସକିବ୍‌ ଅଲ୍‌ ହାସନ୍‌-୧/୩୦)।

ସମ୍ବନ୍ଧିତ ଖବର