ଅହମଦାବାଦ : ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ସୋମବାର କୋଲକାତା ନାଇଟ୍ ରାଇଡର୍ସ ଭେଟିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ। ଉଭୟ ଦଳ ୭ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲେ ମଧ୍ୟ ପାଲଟା ପଥରେ ରହିଛନ୍ତି। ବିରାଟ କୋହଲିଙ୍କ ଆର୍ସିବି ୫ ବିଜୟ ପାଇଥିବା ବେଳେ ଇଅନ୍ ମୋର୍ଗାନଙ୍କ କେକେଆର୍ ୫ ପରାଜୟ ବରଣ କରିଛି। ଦୁଇ ଦଳ ମଧ୍ୟରେ ଗୋଟିଏ କଥା ଚିନ୍ତାର କାରଣ ହୋଇଛି ଯେ ଗତ ମ୍ୟାଚ୍ରେ ହାରିଯାଇଛନ୍ତି। ତେଣୁ ବିଜୟ ପଥକୁ ଫେରିବାକୁ ଚାହିଁବେ ଉଭୟ ଦଳ। କେକେଆର୍ ପାଇଁ ପ୍ରାରମ୍ଭିକ ବ୍ୟାଟିଂ ଚିନ୍ତାର କାରଣ ରହିଥିବା ବେଳେ ଆର୍ସିବି ପାଇଁ ସ୍ପିନ୍ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେକେଆର୍ ମଧ୍ୟ ଫର୍ମରେ ଥିବା ରାହୁଲ ତ୍ରିପାଠୀଙ୍କୁ ବ୍ୟାଟିଂ ପଦୋନ୍ନତି ଦେବା କଥା ଚିନ୍ତା କରୁଛି। ଆର୍ସିବିକୁ କିନ୍ତୁ ସ୍ପିନ୍ ବିପକ୍ଷରେ ଭଲ ଖେଳିବାକୁ ହେଲେ ସୁନିଲ ନାରାୟଣଙ୍କୁ ସତର୍କତାର ସହ ମୁକାବିଲା କରିବାକୁ ପଡ଼ିବ।
ପ୍ରତିଯୋଗିତାର ପ୍ରଥମ ୪ ମ୍ୟାଚ୍ ଜିତିବା ପରେ କୋହଲିଙ୍କ ଦଳ ୧୦ ଦିନ ତଳେ ବିଶ୍ବାସ କରୁଥିଲେ କୌଣସି ବିଜୟ ଲକ୍ଷ୍ୟକୁ ଦଳ ହାସଲ କରିପାରିବ। ରାଜସ୍ଥାନ ରୟାଲ୍ସ ବିପକ୍ଷ ୧୦ ୱିକେଟ୍ ବିଜୟ ପରେ ଏଭଳି ଆତ୍ମବିଶ୍ବାସ ବଢ଼ିଥିଲା। ଏହା ପରେ କିନ୍ତୁ ଦଳର ବ୍ୟାଟ୍ସମ୍ୟାନ୍ମାନେ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି। ଦୁଇ ବାମହାତୀ ସ୍ପିନର୍ ରବୀନ୍ଦ୍ର ଜାଦେଜା ଏବଂ ଅନଭିଜ୍ଞ ହରପ୍ରୀତ୍ ବ୍ରାର୍ଙ୍କ କାରଣରୁ ଦଳ ଯଥାକ୍ରମେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ନିକଟରୁ ହାରିଯାଇଛି। ତଥାପି ଦଳ ପ୍ଲେ ଅଫ୍ ଖେଳିବା ସମ୍ଭାବନାକୁ କାଏମ ରଖିଥିବାରୁ ନିଜ ହାତମୁଠାରେ ଭାଗ୍ୟକୁ ରଖିପାରିଛି। ମଙ୍ଗଳବାର ଆର୍ସିବି ଯଦି ସୁନିଲ ନାରାୟଣଙ୍କ ବିପକ୍ଷରେ ସକର୍ତତାର ସହ ଖେଳିବ ତେବେ ତାରକା ଖଚିତ ଏହି ଦଳ ପାଇଁ କିଛି ଅସୁବିଧା ହେବ ନାହିଁ।
ଅନ୍ୟପକ୍ଷରେ କେକେଆର୍ ପାଇଁ ମୁଖ୍ୟ ଚିନ୍ତା ହେଉଛି ଦଳର ପ୍ରାରମ୍ଭିକ ଯୋଡ଼ିଙ୍କ ବଡ଼ ଯୋଗଦାନର ଅଭାବ। ନୀତୀଶ ରାଣା ଓ ଶୁଭମନ ଗିଲ୍ ନିଜ ନିଜ ଦକ୍ଷତା ମୁତାବକ ଖେଳି ପାରୁନାହାନ୍ତି। ଚଳିତ ଋତୁରେ ଉଭୟଙ୍କ ପ୍ରାରମ୍ଭିକ ଯୋଡ଼ି ଭାଗୀଦାରିରୁ ୨୫ ରନ୍ ହାରାହାରିରେ ରନ୍ ମିଳିଛି। ଅଧିକ ଚିନ୍ତାଜନକ ହେଉଛି ଷ୍ଟ୍ରାଇକ ରେଟ୍ (୧୧୯.୩୩)। ଗତ ମ୍ୟାଚ୍ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ମଧ୍ୟ ଏହି କଥା ସ୍ପଷ୍ଟ କରିଥିଲେ। କହିଥିଲେ ଦଳର ପରାଜୟ ପାଇଁ ଶୀର୍ଷକ୍ରମଙ୍କ ଷ୍ଟ୍ରାଇକରେଟ୍ ଦାୟୀ। ଏହି କ୍ରମରେ ଦଳ ପରିବର୍ତନ କରିବାକୁ ଯାଉଛି। ଶୁଭମନ ଗିଲଙ୍କୁ ଦଳ ବାଦ୍ ଦେଇ ରାହୁଲ ତ୍ରିପାଠୀ ଓ ସୁନିଲ ନାରାୟଣଙ୍କୁ ନେଇ ପାଳି ଆରମ୍ଭ କରିବା ଯୋଜନା ରଖିଛି। ଉଭୟ ପୂର୍ବରୁ ଦଳ ପାଇଁ ପାଳି ଆରମ୍ଭ କରିବାର ଅଭିଜ୍ଞତା ରଖିଛନ୍ତି। ନାରାୟଣ ତ ୨୦୧୭ରେ ୧୫ ବଲ୍ରୁ ୫୦ ରନ୍ କରିବାର ଉଦାହରଣ ବି ଛାଡ଼ିଥିଲେ। ଏଭଳି ପରିବର୍ତନ ଦ୍ବାରା ଏକ ଭଲ ସନ୍ତୁଳନ ରଖିଥିବା ଏକ ଦଳ ପଏଣ୍ଟ ଟେବୁଲ୍ ନିମ୍ନଭାଗରୁ ଉଠି ପାରିବ ବୋଲି ଆଶା କରାଯାଉଛି।
ପରିସଂଖ୍ୟାନ
ସୁନିଲ ନାରାୟଣଙ୍କ ବିପକ୍ଷରେ ଏବି ଡି’ଭିଲିୟର୍ସଙ୍କ ହାରାହାରି ହେଉଛି ୧୫.୩୩। ଅନ୍ୟୁନ ୩୦ ବଲ୍ ବୋଲିଂ କରିଥିବା ବୋଲରଙ୍କ ମଧ୍ୟରେ ନାରାୟଣଙ୍କ ବ୍ୟତୀତ ମାତ୍ର ୪ ଜଣ ବୋଲର କମ୍ ରନ୍ ଦେଇ ତାଙ୍କ ୱିକେଟ୍ ନେଇଛନ୍ତି। ଏମାନେ ସମସ୍ତେ ସ୍ପିନର୍। ଅଧିନାୟକ ଇଅନ୍ ମୋର୍ଗାନ୍ ଆଇପିଏଲ୍ରେ ୬୬ ପାଳିରୁ ମାତ୍ର ୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ରହିଛି ୧୨୫। କିନ୍ତୁ ତାଙ୍କ ପାଇଁ ଦଳର ଗୋଟିଏ ଓଭରସିଜ୍ ସ୍ପଟ୍ ବେକାର ଯାଉଛି। ୩୬୦ ଡିଗ୍ରି ଓପନର୍ ଟିମ୍ ସେଫର୍ଟ ବାହାରେ ବସୁଛନ୍ତି ଏବଂ ଛକା ବର୍ଷା ପାଇଁ ଆଇପିଏଲ୍ ସୁଯୋଗ ପାଇଥିବା ବେନ୍ କଟିଂ ମଧ୍ୟ ଅପେକ୍ଷାରେ ରହିଛନ୍ତି। ଆର୍ସିବିର ପ୍ରାରମ୍ଭିକ ଯୋଡ଼ି ବିରାଟ କୋହଲି ଏବଂ ଦେବଦତ୍ତ ପଡିକଲ୍ ଚଳିତ ଋତୁରେ ୯.୬୬ ରନ୍ ରେଟ୍ରେ ବ୍ୟାଟିଂ କରିଛନ୍ତି। ଏପରିକି ଉଭୟଙ୍କ ଭାଗୀଦାରିର ହାରାହାରି ପ୍ରଶଂସନୀୟ ଭାବେ ୫୫.୮୩ ରହିଛି। ମଧ୍ୟକ୍ରମରେ ଥିବା ସୁପର୍ ଷ୍ଟାର୍ମାନେ ଦଳକୁ ଆଗକୁ ନେଇଯାଉଛନ୍ତି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ସମ୍ଭାବ୍ୟ ୧୧)
ଦେବଦତ୍ତ ପଡିକଲ, ବିରାଟ କୋହଲି, ରଜତି ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ (ୱିକେଟରକ୍ଷକ), କାଇଲ୍ ଜାମସନ୍, ଡାନିଏଲ୍ ସାମ୍ସ, ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ।
କୋଲକାତା ନାଇଟ୍ ରାଇଡର୍ସ (ସମ୍ଭାବ୍ୟ ୧୧)
ରାହୁଲ ତ୍ରିପାଠୀ, ସୁନିଲ ନାରାୟଣ, ଇଅନ୍ ମୋର୍ଗାନ୍, ଆନ୍ଦ୍ରେ ରସେଲ୍, ଦୀନେଶ କାର୍ତ୍ତିକ, ପ୍ୟାଟ୍ କମିନ୍ସ, ଗୁରକିରଟ୍ ସିଂହ/ସେଲଡନ୍ ଜ୍ୟାକସନ୍, ଶିଭମ ମାଭି/କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/KKR-look-to-fix-opening-issues-RCB-face-spin-questions.jpg)