ସନ୍‌ରାଇଜର୍ସକୁ ଫିକା ଆଶାରେ କେକେଆର୍‌

କୋଲକାତା: ଦୁଇ ଥର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏବଂ ଟେବୁଲ ଟପର ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଶୁକ୍ରବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ପଡ଼ିଆରେ ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟର ଖେଳାଯିବ। ଏଥିରେ ସନ୍‌ରାଇଜର୍ସ ନିକଟରେ କରିଥିବା ଦୁର୍ବଳ ପ୍ରଦର୍ଶନରୁ ଲାଭ ଉଠାଇବାକୁ କେକେଆର୍‌ ଚେଷ୍ଟା କରିବ। ଲଗାତାର ଚାରିଟି ବିଜୟ ହାସଲ କରିବା ପରେ କେକେଆର୍‌ର ଆତ୍ମବିଶ୍ୱାସ ଏବେ ଢେର ଉଚ୍ଚରେ ରହିଛି। ସେପଟେ ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ଭାବେ ପ୍ଲେ ଅଫ୍‌ ଯାଇଥିବା ସନରାଇଜର୍ସ ଏହି ପର୍ଯ୍ୟାୟରେ ଆଶା ଜନକ ପ୍ରଦର୍ଶନ କରି ପାରି ନାହିଁ। ପ୍ରଥମ କ୍ୱାଲିଫାୟରରେ ଏହି ଦଳ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଫାଇନାଲରେ ପ୍ରବେଶ କରିବାର ପ୍ରଥମ ସୁଯୋଗ ହାତଛଡ଼ା କରି ସାରିଛି। ଶୁକ୍ରବାର ଏହି ଦଳକୁ ଫାଇନାଲ୍‌ ଟିକେଟ ହାସଲ କରିବା ଲାଗି ଦ୍ୱିତୀୟ ତଥା ଶେଷ ସୁଯୋଗ ମିଳିବ। ସେପଟେ କେକେଆର୍‌ ଏଲିମିନେଟରରେ ସହଜରେ ରାଜସ୍ଥାନକୁ ହରାଇ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସନରାଇଜର୍ସ ପାଖରେ ଶ୍ରେଷ୍ଠ ବୋଲିଂ ବାହିନୀ ରହିଛି। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା, ରସିଦ ଖାନଙ୍କ ଭଳି ବୋଲର ଏହି ଦଳ ପାଖରେ ଅଛି। କୋଲକାତା ମଧ୍ୟ ଏହି କ୍ଷେତ୍ରରେ କିଛି କମ୍‌ ନୁହେଁ। କୁଲଦୀପ ଯାଦବ, ପୀୟୂଷ ଚାଓ୍ଵଲା, ସୁନୀଲ ନରିନଙ୍କ ଭଳି ବୋଲର ଏହି ଦଳରେ ରହିଛନ୍ତି। ଉଭୟ ଦଳର ଅଧିନାୟକ ଦୀନେଶ କାର୍ତିକ ଓ କେନ୍‌ ଓ୍ଵିଲିୟମସନ୍‌ ଏବେ ଚମତ୍କାର ଲୟରେ ଅଛନ୍ତି। ଓ୍ଵିଲିୟମସନ୍‌ ନାରଙ୍ଗୀ ଟୋପିର ଅଧିକାରୀ ହୋଇଥିଲା ବେଳେ ରାଜସ୍ଥାନ ବିପକ୍ଷରେ ଅର୍ଧଶତକ ଅର୍ଜନ କରି କାର୍ତିକ ନିଜ ଦଳକୁ ଜିତାଇଥିଲେ। ଓ୍ଵିଲିୟମସନଙ୍କ ସହ ଶିଖର ଧାଓ୍ଵନ, ମନୀଷ ପାଣ୍ଡେ ଏବଂ ୟୁସୁଫ ପଠାନଙ୍କୁ ମଧ୍ୟ ଆସନ୍ତାକାଲି ଭଲ ଖେଳିବାକୁ ହେବ। ସେହିଭଳି କେକେଆର୍‌ ଅଲରାଉଣ୍ଡର ଆନ୍ଦ୍ର ରସେଲଙ୍କୁ କାବୁ କରିବା ଲାଗି ସ୍ୱତନ୍ତ୍ର ଯୋଜନା କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମୁକାବିଲାକୁ ସନ୍‌ରାଇଜର୍ସ ୫ ଓ୍ଵିକେଟ୍‌ରେ ଜିତି ନେଇଥିଲା। ପାଲଟା ମୁକାବିଲାରେ କୋଲ୍‌କାତା ତାକୁ ସେହି ୫ ଓ୍ଵିକେଟରେ ହରାଇ ପ୍ରତିଶୋଧ ନେଇଥିଲା।

ସମ୍ବନ୍ଧିତ ଖବର