କୋଲକାତା: ଚଳିତ ଆଇପିଏଲ୍ର ୫୩ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ରୋମାଞ୍ଚକ ଭାବେ ୧ ରନ୍ରେ ହରାଇ ଦେଇଛି ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ତା’ସହିତ ଏକାଦଶ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇ ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ସାମାନ୍ୟ ଦୃଢ଼ କରିଛି। ଅନ୍ୟପକ୍ଷରେ ଦ୍ବାଦଶ ମ୍ୟାଚ୍ରୁ ନବମ ପରାଜୟ ବରଣ କରିଥିବା ରାଜସ୍ଥାନ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବାର ଦ୍ବାର ଦେଶରେ ପହଞ୍ଚିଯାଇଛି।
ରବିବାରର ଏହି ପ୍ରଥମ ଲଢ଼େଇ ଥିଲା ବେଶ୍ ନାଟକୀୟ। କେକେଆର୍ ୨୦୭ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ୮ ରନ୍ରେ ୨ଟି ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା ରାଜସ୍ଥାନ। ଓପନର୍ ଯଶସ୍ବୀ ଜୟସ୍ବାଲ ମଧ୍ୟ ୨୧ ବଲ୍ରୁ ୩୪ ରନ୍ର ଦ୍ରୁତ ପାଳି ଖେଳିବା ପରେ ମୋଇନ ଅଲୀଙ୍କ ଶିକାର ହୋଇଯାଇଥିଲେ। ହେଲେ ଅଧିନାୟକ ରିୟାନ ପରାଗ (୪୫ ବଲ୍ରୁ ୯୫ ରନ୍) ହାର ମାନି ନଥିଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ସିମରନ୍ ହେଟମାୟର (୨୯)। ଉଭୟ ଷଷ୍ଠ ୱିକେଟ୍ରେ ୯୨ ରନ୍ ଯୋଡ଼ି ରାଜସ୍ଥାନକୁ ଆଶା ଦେଇଥିଲେ। ଏହା ମଧ୍ୟ ରାଜସ୍ଥାନର ସର୍ବାଧିକ ଷଷ୍ଠ ୱିକେଟ୍ ଭାଗୀଦାରି ହୋଇଥିଲା। ହେଟମାୟାରଙ୍କୁ ସୁନୀଲ ନାରାୟଣଙ୍କ ହାତରେ କ୍ୟାଚ୍ କରାଇ ହର୍ଷିତ ରାଣା କିନ୍ତୁ ଠିକଣା ସମୟରେ ରାଜସ୍ଥାନକୁ ସବୁଠୁ ବଡ଼ ଝଟ୍କା ଦେଇଥିଲେ। ହେଟମାୟରଙ୍କଠାରୁ ଅଲଗା ହେବା ପରେ ପରାଗଙ୍କୁ ଶତକର ମାତ୍ର ୫ ରନ୍ ପୂର୍ବରୁ ଆଉଟ୍ କରି ରାଜସ୍ଥାନକୁ ପରାଜୟର ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ତେବେ ଇମ୍ପାକ୍ଟ ପ୍ଲେୟାର ଶୁଭମ ଦୁବେଙ୍କ ୧୪ ବଲ୍ ୨୫* ରନ୍ ବଳରେ ରାଜସ୍ଥାନ ମ୍ୟାଚ୍କୁ ଫେରିଥିଲା। ଅଲରାଉଣ୍ଡର୍ ଜୋଫ୍ରା ଆର୍ଚର ମଧ୍ୟ ଭଲ ବ୍ୟାଟିଂ କରୁଥିଲେ। ବୈଭବ ଅରୋରାଙ୍କ ଶେଷ ଓଭରରୁ ବିଜୟ ପାଇଁ ଏହି ଦଳକୁ ୨୨ ରନ୍ର ଦରକାର ଥିଲା।
ଦୁବେଙ୍କ ଯୁଗଳ ଛକା ଓ ଗୋଟିଏ ଚୌକା ପାଇଁ ପ୍ରଥମ ପାଞ୍ଚ ବଲ୍ରୁ ରାଜସ୍ଥାନ ୧୯ ରନ୍ ଅମଳ କରି ନେଇଥିଲା। ଶେଷ ବଲ୍ରୁ ୩ ରନ୍ର ଦରକାର ଥିଲା ବେଳେ ଦ୍ବିତୀୟ ରନ୍ ନେଲା ବେଳେ କିନ୍ତୁ ଆର୍ଚର ରନ୍ଆଉଟ୍ ହୋଇଯାଇଥିଲେ। ଫଳରେ କେକେଆର୍ ୧ ରନ୍ର ସ୍ମରଣୀୟ ବିଜୟ ହାସଲ କରିଥିଲା। ରାଜସ୍ଥାନ ମ୍ୟାଚ୍ ଜିତିବା ସହ ସୁପରଓଭର ଖେଳିବା ସୁଯୋଗ ହାତଛଡ଼ା କରିବା ଏହି ଦଳର ପ୍ରଶଂସକଙ୍କୁ ପୂରା ନିରାଶ କରିଥିଲା। ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା କେକେଆର୍ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ୨୨ ବଲ୍ ଅର୍ଦ୍ଧଶତକ ବଳରେ ୪ ୱିକେଟ୍ ବିନିମୟରେ ୨୦୬ ରନ୍ କରି ନେଇଥିଲା। ରସେଲ ତାଙ୍କର ଏହି ବିସ୍ଫୋରକ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୦୬/୪ (ଆନ୍ଦ୍ରେ ରସେଲ ୫୭*, ଅଙ୍ଗକ୍ରିସ୍ ରଘୁବଂଶୀ ୪୪, ରହମନୁଲ୍ଲା ଗୁର୍ବାଜ ୩୫, ଅଜିଙ୍କ୍ୟ ରାହାଣେ ୩୦, ରିୟାନ ପରାଗ ୧/୨୧, ୟୁଦ୍ଧବୀର ସିଂହ ୧/୨୬)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୫/୮ (ରିୟାନ ପରାଗ ୯୫, ଯଶସ୍ବୀ ଜୟସ୍ବାଲ ୩୪, ସିମରନ୍ ହେଟମାୟର ୨୯, ଶୁଭମ ଦୁବେ ୨୫*, ବରୁଣ ଚକ୍ରବର୍ତ୍ତୀ ୨/୩୨, ହର୍ଷିତ ରାଣା ୨/୪୧, ମୋଇନ ଅଲ୍ଲୀ ୨/୪୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/15/xcOilfiNISb7o9y0NyaD.jpg)