କୋଲକାତା: ଘରୋଇ ଗ୍ରାଉଣ୍ଡ୍ ଇଡେନ୍ ଗାର୍ଡେନ୍ସକୁ ଫେରିବା ମାତ୍ରେ ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିଜୟ ଖାତା ଖୋଲିଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ହାରିଥିବା ନୀତୀଶ ରାଣାଙ୍କ କେକେଆର୍ ଗୁରୁବାର ଶାର୍ଦୁଳ ଠାକୁରଙ୍କ ୨୦ ବଲ୍ ଅର୍ଦ୍ଧଶତକ ଏବଂ ସ୍ପିନରଙ୍କ ପ୍ରାଧାନ୍ୟ କାରଣରୁ ଆର୍ସିବିକୁ ୮୧ ରନ୍ରେ ପରାସ୍ତ କରିଛି।
ଟସ୍ ଜିତି ଆର୍ସିବି କ୍ଷେତ୍ରରକ୍ଷଣ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍ ରହମନୁଲ୍ଲା ଗୁରବାଜ ବଢ଼ିଆ ବ୍ୟାଟିଂ କରୁଥିଲେ ମଧ୍ୟ ଅପରପାର୍ଶ୍ବରେ କେକେଆର୍ ୱିକେଟ୍ ପତନ ଧାରା ଜାରି ରଖିବାରୁ ୮୯/୫ରେ ସଂଘର୍ଷ କରିଥିଲା। ଭେଙ୍କଟେଶ ଆୟର୍, ମନଦୀପ୍ ସିଂହ, ନୀତୀଶ ରାଣା, ଆନ୍ଦ୍ରେ ରସେଲ୍ ପ୍ରମୁଖ ବିଫଳ ହୋଇଥିଲେ। ମନଦୀପ ଓ ରସେଲ୍ ପ୍ରଥମ ବଲ୍ରେ ହିଁ ଆଉଟ୍ ହୋଇଥିଲେ। ସଙ୍କଟ ସମୟରେ ଏକାଠି ହୋଇଥିବା ଦୁଇ ଭାରତୀୟ ଖେଳାଳି ଶାର୍ଦୁଳ ଠାକୁର ଏବଂ ରିଙ୍କୁ ସିଂହ ମାତ୍ର ୭.୩ ଓଭରରେ ୧୦୩ ରନ୍ ଯୋଡ଼ି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଶାର୍ଦୁଳ ଠାକୁର ପ୍ରଥମ ବଲ୍ରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ପ୍ରଥମରୁ ବଲ୍ ପିଛା ରନ୍ କରିଥିବା ରିଙ୍କୁ ଏକଦା ୨୫ ବଲ୍ରୁ ୨୩ ରନ୍ କରିଥିଲେ। ଶାର୍ଦୁଳଙ୍କ ଆକ୍ରମଣ ପରେ ରିଙ୍କୁ ମଧ୍ୟ ଗିୟର୍ ବଦଳାଇ ପରବର୍ତୀ ୮ ବଲ୍ରୁ ୨୩ ରନ୍ ଯୋଡ଼ିଥିଲେ। ଶାର୍ଦୁଳ ଠାକୁର ୨୯ ବଲ୍ରୁ ୬୮ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ୮୯/୫ ସ୍ଥିତିରୁ ବାହାରି କେକେଆର୍ ୨୦୪ ରନ୍ ସଂଗ୍ରହ କରି ନେଇଥିଲା। ଯାହାକି ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇବା ପରବର୍ତୀ ଓଭରରୁ ୧୩ରୁ ଊର୍ଧ୍ବ ହାରରେ ରନ୍ ସଂଗ୍ରହ କରିବା ଆଇପିଏଲ୍ ଇତିହାସରେ ଦ୍ବିତୀୟ ସର୍ବାଧିକ ହୋଇଥିଲା। ଆର୍ସିବି ପାଇଁ ଇଂଲିସ୍ ବୋଲର ଡେଭିଡ୍ ୱିଲି କିନ୍ତୁ ଚମତ୍କାର (୪-୧-୧୬-୨) ବୋଲିଂ କରିଥିଲେ।
ଜବାବରେ କେକେଆର୍ ସ୍ପିନର ବରୁଣ ଚକ୍ରବର୍ତ୍ତି, ସୁନିଲ ନାରାୟଣ, ନବାଗତ ସୂୟାଶ ଶର୍ମା ଆର୍ସିବି ପାଳିକୁ ଅସ୍ତବ୍ୟସ୍ତ କରି ଦେଇଥିଲେ। ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଦୀନେଶ କାର୍ତ୍ତିକ ପ୍ରମୁଖ କେହି ବି ଦଳକୁ ରକ୍ଷା କରିପାରିନଥିଲେ। ଭେଙ୍କଟେଶ ଆୟରଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭବେ ଆସି ଆଇପିଏଲ୍ ପଦାର୍ପଣ କରିଥିବା ଅନକ୍ୟାପ୍ଡ ସୂୟାସଙ୍କ ୩ ୱିକେଟ୍ ସଫଳତା ସବୁଠାରୁ ଚର୍ଚ୍ଚାରେ ରହିଥିଲା। ସେ ମଧ୍ୟ ପ୍ରତିପକ୍ଷର ଇମ୍ପାକ୍ଟ ପ୍ଲେୟାର୍ ଅନୂଜ ରାୱତ (ମହମ୍ମଦ ସିରାଜଙ୍କ ବଦଳ)ଙ୍କୁ ଆଉଟ୍ କରିଥିଲେ। ଏହି ୩ ସ୍ପିନର୍ ମିଳିତ ଭାବେ ୯ ୱିକେଟ୍ ଅକ୍ତିଆର କରିବାରୁ ଆର୍ସିବି ୧୦୦ ରନ୍ ପୂର୍ବରୁ ୯ ୱିକେଟ୍ ହରାଇଥିଲା। ପ୍ରଥମ ଥର ପାଇଁ ଚଳିତ ସଂସ୍କରଣରେ ଏକ ଦଳ ଅଲ୍ ଆଉଟ୍ (୧୭.୪ ଓଭରରେ ୧୨୩) ହୋଇଯାଇଥିଲା। ବ୍ୟାଟିଂ ଚମକ ଦେଖାଇଥିବା ବୋଲିଂ ଅଲରାଉଣ୍ଡର୍ ଶାର୍ଦୁଳ ଠାକୁର ନିଜ ପ୍ରଥମ ଓଭରରେ ମଧ୍ୟ ମାଇକେଲ୍ ବ୍ରେସୱେଲଙ୍କୁ ଆଉଟ୍ କରି ଆର୍ସିବିର ମେରୁଦଣ୍ଡ ଭାଙ୍ଗିଥିଲେ। ଯଥାର୍ଥରେ ମଧ୍ୟ ସେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।