କୋଲ୍କାତା: ଚଳିତ ଆଇପିଏଲ୍ରେ ଗତ ଥରର ବିଜେତା କୋଲକାତା ଉତ୍ଥାନ ପତନ ଦେଇ ଗତି କରିଛି। ଖେଳିଥିବା ୭ ମ୍ୟାଚ୍ରୁ ୩ ବିଜୟ ଓ ୪ ପରାଜୟ ପାଇଛି। କିନ୍ତୁ କ୍ରମାଗତ ପରାଜୟ କି କ୍ରମାଗତ ବିଜୟ ଅର୍ଜନ କରିପାରିନାହିଁ। ଗତ ମ୍ୟାଚ୍ରେ ମୁଲାନପୁରଠାରେ ପଞ୍ଜାବ କିଙ୍ଗ୍ସର ୧୧୧ ରନ୍କୁ ପିଛା କରି ପାରି ମାତ୍ର ୯୫ ରନ୍ରେ ଅଲ୍ ଆଉଟ୍ ହୋଇଯିବା ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ଭାରି ବାଧିଛି। ଏବେ ଦଳ ଘରୋଇ ଗ୍ରାଉଣ୍ଡ୍ ଇଡେନ୍ ଗାର୍ଡେନ୍ସକୁ ଫେରିଥିବାରୁ ବିଜୟ ପଥକୁ ବି ଲେଉଟିବ ବୋଲି ମଧ୍ୟ ବିଶ୍ବାସ ରଖିଛି। ସୋମବାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୩ ଥର ବିଜେତା କେକେଆର୍ ଭେଟିବ ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲ୍ଙ୍କ ଗୁଜରାଟ ଟାଇଟନ୍ସକୁ। ଗୁଜରାଟ ମଧ୍ୟ ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ୨୦୩ ରନ୍କୁ ଅନାୟସରେ ପଛରେ ପକାଇ ଆସିଛି। ସେହି ଦୃଷ୍ଟିରୁ ଇଡେନ୍ ଦର୍ଶକ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖିବା ଆଶା କରାଯାଉଛି।
ଚଳିତ ଋତୁରେ କେକେଆର୍ କିନ୍ତୁ ଇଡେନ୍ରେ ୩ ମ୍ୟାଚ୍ ଖେଳି ମାତ୍ର ଗୋଟିଏ ଜିତିଛି। ଦଳର ଅନ୍ୟତମ ଘରୋଇ ଗ୍ରାଉଣ୍ଡ୍ ଗୁଆହାଟୀରେ ଗୋଟିଏ ବିଜୟ ପାଇଥିବା ବେଳେ ଘର ବାହାରେ ଚେନ୍ନାଇକୁ ଚେନ୍ନାଇରେ ହରାଇଛି। ଏଠାରେ ଚଳିତ ଋତୁରେ ଦଳର ପ୍ରଦର୍ଶନ ଭଲ ବିତି ନଥିଲେ ମଧ୍ୟ ଗ୍ରାଉଣ୍ଡ୍ ରେକର୍ଡ ଦଳ ସପକ୍ଷରେ ରହିଛି। ଏଠାରେ ଦଳ ୮୮ ମ୍ୟାଚ୍ରୁ ୫୨ ଜିତି ୩୬ ହାରିଛି। ପଡ଼ିଆରେ ମଧ୍ୟ ପଶ୍ଚାତ୍ଧାବନ ରେକର୍ଡ ଭଲ ରହିଛି। ୯୩ ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରି ୩୮ ଥର କୌଣସି ଦଳ ବିଜୟୀ ହୋଇଥିବା ବେଳେ ପଶ୍ଚାତ୍ଧାବନରେ ୫୫ ଥର ସଫଳ ହୋଇଛନ୍ତି। ୨୦୧୨, ୨୦୧୪, ୨୦୨୪ରେ ବିଜେତା ହୋଇଥିବା କେକେଆର୍ ଆଇପିଏଲ୍ ଇତିହାସରେ ମୋଟ ୨୫୮ ମ୍ୟାଚ୍ ଖେଳି ୧୩୩ ବିଜୟ ଓ ୧୨୦ ପରାଜୟ ସହ ଏକପ୍ରକାର ସମତୁଲ ସ୍ଥିତିରେ ରହିଛି। ଟାଇ ହୋଇଥିବା ୪ ମ୍ୟାଚ୍ ମଧ୍ୟରୁ ଗୋଟିଏରେ ଜିତିଥିବା ବେଳେ ୩ଟିରେ ହାରିଛି। ଏଥର କୌଣସି ଖେଳାଳି ସ୍ଥିର ପ୍ରଦର୍ଶନ ଦେଇ ନଥିବାରୁ ଦଳର ପ୍ରଦର୍ଶନ ମଧ୍ୟ ସ୍ଥିର ରହିପାରିନାହିଁ। ଘରୋଇ ପଡ଼ିଆରେ ଗୁଜରାଟ ମ୍ୟାଚ୍କୁ ମିଶାଇ ଆଉ ୪ଟି ମୁକାବିଲା ରହିଥିବାରୁ ଦଳ ଏସବୁ ଜିତିପାରିଲେ ପ୍ଲେ ଅଫ୍ ଆଶାକୁ କାଏମ ରଖିପାରିବ। ଇଡେନ୍ ପିଚ୍ରେ ରନ୍ ବର୍ଷା ହେଉଥିଲେ ମଧ୍ୟ ଚଳିତ ଋତୁର ୩ ମ୍ୟାଚ୍ରେ ଦୁଇ ଥର ୨୦୦ ରନ୍କୁ ସୁରକ୍ଷିତ ରଖିପାରିଛନ୍ତି ଦଳ। କେବଳ ଆର୍ସିବି ପ୍ରଥମ ମ୍ୟାଚ୍ରେ କେକେଆର୍କୁ ୧୭୪ ରନ୍ରେ ରୋକି ବିଜୟୀ ହୋଇଥିଲା।
କେକେଆର୍ ସମ୍ଭାବ୍ୟ ୧୧: ସୁନିଲ ନାରାୟଣ, କ୍ବିଣ୍ଟନ୍ ଡି’କକ୍ (ୱିକେଟ୍ରକ୍ଷକ), ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଭେଙ୍କଟେଶ ଆୟର, ଅଙ୍ଗକ୍ରିସ୍ ରଘୁବଂଶୀ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା, ମୋଇନ୍ ଅଲୀ/ଅନରିକ୍ ନର୍ଖିୟା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ।
ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ୧୧: ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ୍ ବଟଲର୍ (ୱିକେଟ୍ରକ୍ଷକ), ସେର୍ଫାନ୍ ରଦରଫୋର୍ଡ, ସାହରୁଖ୍ ଖାନ୍, ରାହୁଲ ତିୱାତିଆ, ରସିଦ୍ ଖାନ୍, ଅର୍ସଦ ଖାନ୍, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଈଶାନ୍ତ ଶର୍ମା/ୱାସିଂଟନ୍ ସୁନ୍ଦର/କୁଲୱନ୍ତ ଖେଜ୍ରୋଲିୟା।
ବୟୋଜ୍ୟେଷ୍ଠ-କନିଷ୍ଠ ଅଧିନାୟକ ମୁକାବିଲା
ଇଡେନ୍ ଗାର୍ଡେନ୍ସରେ ସୋମବାର ଖେଳାଯିବାକୁ ଥିବା କୋଲ୍କାତା ନାଇଟ୍ ରାଇଡର୍ସ ବନାମ ଗୁଜରାଟ ଟାଇଟନ୍ସ ମୁକାବିଲା ଚଳିତ ଋତୁର ଏକ ଅପୂର୍ବ ସଂଯୋଗ ଆଣିଛି। ଋତୁ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଦାୟିତ୍ବ ନେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିଦେଲେ ନିୟମିତ ଅଧିନାୟକ ମଧ୍ୟରେ ଆଇପିଏଲ୍-୨୦୨୫ରେ ଅଜିଙ୍କ୍ୟ ରାହାଣେ (୩୬ ବର୍ଷ) ବୟୋଜ୍ୟେଷ୍ଠ ଏବଂ ଶୁବମନ ଗିଲ୍ (୨୫ ବର୍ଷ) ସର୍ବକନିଷ୍ଠ ଅଧିନାୟକ ଅଛନ୍ତି। ଉଭୟ ପୂର୍ବରୁ ଭାରତୀୟ ଦଳରୁ ଏକାଠି ଖେଳି ସାରିଛନ୍ତି। ସୂଚନାଯୋଗ୍ୟ ଯେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ବାଡ ଆହତ ଯୋଗୁଁ ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ଧୋନିଙ୍କୁ ନେତୃତ୍ବ ଦାୟିତ୍ବ ମିଳିଥିଲା।