ଆବୁଧାବି: ଯୁବ ତାରକା ଶୁବମନ ଗିଲ୍ (୭୦* ରନ୍, ୬୨ ବଲ୍, ୫ ଚୌକା, ୨ ଛକା)ଙ୍କ ଦ୍ରୁତ ଓ ଦାୟିତ୍ବବାନ ଅର୍ଧଶତକ ବଳରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟ୍ରେ ହରାଇ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଡେଭିଡ୍ ୱାର୍ନରଙ୍କ ସନ୍ରାଇଜର୍ସ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ଶନିବାରର ଏହି ଲୋ’ ସ୍କୋରିଂ ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୪୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ କେକେଆର୍ ୧୮ ଓଭରରେ କେବଳ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସୁନିଲ ନରିନ (୦) ପୁଣି ଥରେ ବିଫଳ ହୋଇଥିଲେ। ତେବେ ଶୁବମନ୍ ପ୍ରଥମେ ନୀତୀଶ ରାଣା (୨୬) ଓ ତା’ ପରେ ଇଅନ ମୋର୍ଗାନ (୪୨* ରନ୍, ୨୯ ବଲ୍, ୩ ଚୌକା, ୨ ଛକା)ଙ୍କ ସହ ଭାଗୀଦାରି କରି କେକେଆର୍କୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ଖାତା ଖୋଲି ପାରି ନଥିଲେ ମଧ୍ୟ ଦଳର ବିଜୟ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଶୁବମନଙ୍କୁ ତାଙ୍କ ମ୍ୟାଚ୍ ବିଜୟୀ ପାଳି ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଏହି ନିଷ୍ପତ୍ତି ସମ୍ଭବତଃ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ (୫) ୨୪ ରନ୍ର ଦଳୀୟ ସ୍କୋର୍ରେ ପ୍ୟାଟ୍ କମିନ୍ସଙ୍କ ଦ୍ବାରା ବୋଲ୍ଡ ହେବା ପରେ ସନ୍ରାଇଜର୍ସ ରନ୍ ହାର ବଢ଼ାଇବାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା। ଅଧିନାୟକ ଡେଭିଡ୍ ୱାର୍ନର (୩୬ ରନ୍, ୩୦ ବଲ୍, ୨ ଚୌକା, ୧ଛା)ଙ୍କ ଛଡ଼ା ମନୀଷ ପାଣ୍ଡେ (୫୧ ରନ୍, ୩୮ବଲ୍, ୩ ଚୌକା, ୧ ଛକା) ଦ୍ରୁତ ଅର୍ଧଶତକ ଖେଳିଥିଲେ। ଆଇପିଏଲ୍ରେ ଏହା ତାଙ୍କର ସପ୍ତଦଶ ଅର୍ଧଶତକ ଥିଲା। ଟ୍ବେଣ୍ଟି-୨୦ ସ୍ପେଶାଲିଷ୍ଟ ମହମ୍ମଦ ନବିଙ୍କ ଆଗରୁ ଖେଳିଥିବା ୱିକେଟ୍ ରକ୍ଷକ ଋଦ୍ଧିମାନ ସାହ (୩୦ ରନ୍, ୩୧ ବଲ୍, ୧ ଚୌକା, ୧ ଛକା) କିନ୍ତୁ ଧିମା ବ୍ୟାଟିଂ କରିଥିଲେ। ହାତରେ ୱିକେଟ୍ ଥାଇ ମଧ୍ୟ ସନ୍ରାଇଜର୍ସ ରନ୍ ହାର ବଢ଼ାଇ ନପାରିବା ପ୍ରଶଂସକଙ୍କୁ ବିସ୍ମିତ କରିଥିଲା। ନବି ୮ ବଲ୍ରୁ ୨ ଚୌକା ବଳରେ ୧୧* ରନ୍ କରିବା ପରେ ସନ୍ରାଇଜର୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ପୂରା ପାଳିରେ ଏହି ଦଳ ମାତ୍ର ୮ ଚୌକା ଓ ୪ ଛକା ମାରିବାକୁ ସକ୍ଷମ ହୋଇଥିଲା।