ବେଙ୍ଗାଲୁରୁ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍ରେ ରବିବାର ଭାରତୀୟ ଟିମ୍ର ଖେଳାଳିମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିଶ୍ବକପ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ରନ୍ କରିପାରିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍ କରିପାରିଥିଲା। ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ସ ବିପକ୍ଷରେ ଯୁବ ବ୍ୟାଟର ଶ୍ରେୟସ ଆୟର ଓ କେଏଲ୍ ରାହୁଲ ଶତକ ହାସଲ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ ଓ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୪୧୦ ରନ୍ କରିଛି।
ତେବେ ଏକଦିବସୀୟ ବିଶ୍ୱକପରେ ଭାରତ ପାଇଁ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ସେ ମାତ୍ର ୬୨ ବଲରେ ନିଜର ଶତକ ପୂରଣ କରି ରୋହିତ ଶର୍ମା, ସେହୱାଗ ଏବଂ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ। ଯେତେବେଳେ ରାହୁଲ ତାଙ୍କ ଶତକ ପାଇଁ ୧୧ ରନ୍ ଆବଶ୍ୟକ କରିଥିଲେ, ସେତେବେଳେ ସେ ଶେଷ ଓଭରରେ କ୍ରମାଗତ ଦୁଇଟି ଛକା ମାରି ଶତକ ପୂରଣ କରିଥିଲେ ଏବଂ ଦିନିକିଆ ବିଶ୍ୱକପରେ ଭାରତ ପାଇଁ ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ରାହୁଲ ୬୩ଟି ବଲରେ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଶତକ ହାସଲ କରିଛନ୍ତି। ଆଜି ରାହୁଲ ୬୪ ବଲରେ ୧୦୨ ରନ କରିଥିବାବେଳେ ଏଥିରେ ୧୧ଟି ଚୌକା ଓ ୪ଟି ଛକା ଥିଲା |