ଅହମ୍ମଦାବାଦ୍: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳର କ୍ରିକେଟର୍ କେଏଲ ରାହୁଲ ଟିମ୍ ଇଣ୍ଡିଆ ପାଇଁ ଓପନର ଭାବରେ ଖେଳୁଛନ୍ତି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ମ୍ୟାଚର ଦ୍ୱିତୀୟ ଦିନରେ ରାହୁଲ ଶତକ ହାସଲ କରିଛନ୍ତି। ଏହି ସଫଳତା ସହ ରାହୁଲଙ୍କର ନଅ ବର୍ଷର ଲମ୍ବା ଅପେକ୍ଷାର ଅନ୍ତ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୩ ୱିକେଟ୍ ବିନିମୟରେ ୨୧୮ ରନ୍ ହୋଇଛି।
ରାହୁଲଙ୍କୁ ୧୦୦ ରନ୍ କରିବା ପାଇଁ ୧୯୨ଟି ବଲ୍ ଆବଶ୍ୟକ ପଡ଼ିଛି। ଏଥିରେ ୧୨ ଚୌକା ସାମିଲ ହୋଇଛି।
ଏହା ପୂର୍ବରୁ ୨୦୧୬ ମସିହା ଡିସେମ୍ବର ମାସରେ ବେଙ୍ଗାଲୁରୁସ୍ଥିତ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ରାହୁଲ ଭାରତରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ସେହି ମ୍ୟାଚରେ ସେ ଭାରତର ପ୍ରଥମ ଇନିଂସରେ ୩୧୧ ବଲରୁ ୧୯୯ ରନ୍ କରିଥିଲେ ଏବଂ କ୍ରିଜରେ ରହିବା ସମୟରେ ୧୬ ଚୌକା ଏବଂ ୩ ଛକା ମାରିଥିଲେ।
ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଟିମ୍ ଚମକିଛି। ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ପ୍ରଶଂସନୀୟ ବୋଲିଂ କରିଛନ୍ତି। ଗତକାଲି ପଡ଼ିଆରୁ ବିଦାୟ ନେବା ବେଳକୁ କେଏଲ୍ ରାହୁଲ ୫୩ ରନ୍ ଓ ଅଧିନାୟକ ଶୁଭମନ ଗିଲ ୧୮ ରନ୍ରେ ଅପରାଜିତ ଥିଲେ। ଏହା ପୂର୍ବରୁ ଯଶସ୍ବୀ ଜୟସ୍ବାଲ ୩୬ ରନ୍ ଏବଂ ସାଈ ସୁଦର୍ଶନ ୭ ରନ୍ରେ ଆଉଟ୍ ହୋଇଥିଲେ।
KL Rahul