ଲର୍ଡ୍ସ : ଐତିହାସିକ ଲର୍ଡ୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଣ୍ଡରସନ-ତେନ୍ଦୁଲକର ସିରିଜର ୩ୟ ଟେଷ୍ଟର ଆଜି ହେଉଛି ୩ୟ ଦିନ । ୩ୟ ଦିନର ଉଲ୍ଲେଖନୀୟ ଖବର ହେଲା କେଏଲ ରାହୁଲଙ୍କ ଶତକ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ । ଉଭୟ ବ୍ୟାଟ୍ସମ୍ୟାନ ଏକ ଭଲ ପାର୍ଟନରସିପ କରି ଭାରତକୁ ବିପଦରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ତେବେ ରାହୁଲ ୧୦୦ ରନ କରିବା ପରେ ସୋଏବ ବସିରଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ପନ୍ତ ୭୪ ରନ କରି ରନ ଆଉଟ ହୋଇଥିଲେ । ସର୍ବଶେଷ ସୂଚନା ଅନୁସାରେ ଭାରତ ୫ ଓ୍ବିକେଟ ହରାଇ ୨୫୪ ରନ କରିଛି । ଏବେ କ୍ରିଜରେ ରବୀନ୍ଦ୍ର ଜାଦେଜା ଓ ନୀତୀଶ କୁମାର ରେଡ୍ଡୀ ବ୍ୟାଟିଂ କରୁଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ସୋଏବ ବସିର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ଡକେଟ୍ ୨୩ ଓ କ୍ରାଉଲି ୧୮ ରନ କରିଥିଲେ । ତେବେ ଓଲି ପୋପ୍ ଓ ଜୋ ରୁଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୋପ୍ ୪୪ ରନ କରିଥିବାବେଳେ ରୁଟ୍ ଏକ ଲଢୁଆ ଶତକ ଅର୍ଜନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୪ ରନ କରିଥିବାବେଳେ ଜେମି ସ୍ମିଥ ଓ ବ୍ରାଇଡନ କାର୍ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୮୭ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।