ଲକ୍ଷ୍ନୌ ଟିମ ସମ୍ଭାଳି ପାରନ୍ତି କେ ଏଲ ରାହୁଲ

 

ନୂଆଦିଲ୍ଲୀ: ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟାକୁ ଏବେ ପ୍ରତିଟି କ୍ରିକେଟ୍ ପ୍ରେମୀ ବେଶ ଉତ୍କଣ୍ଠାର ସହକାରେ ଅପେକ୍ଷା କରି ରହିଛନ୍ତି । ଆଉ ଏହାରି ଭିତରେ ଆଇପିଏଲକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତୀୟ ଟିମର ଯୁବ ଖେଳାଳି କେ ଏଲ ରାହୁଲ ନୂଆକରି ଗଠନ ହୋଇଥିବା ଲକ୍ଷ୍ନୌ ଟିମର ଅଧିନାୟକ ନିଯୁକ୍ତ ହେବେ । ତାଙ୍କ ସହିତ ଦଳ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ରବି ବିଶ୍ନୋଇଙ୍କୁ ମଧ୍ୟ ନିଲାମ ପୂର୍ବରୁ ସାଇନ୍ କରିପାରେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ କେ ଏଲ୍ ରାହୁଲଙ୍କ ସହ ୧୫ କୋଟି ଟଙ୍କାରେ ଚୁକ୍ତି କରିବାକୁ ଯାଉଛି । ତାଙ୍କୁ ଦଳର ଅଧିନାୟକ ମଧ୍ୟ ନିଯୁକ୍ତ କରାଯିବ । ତା ସହିତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଷ୍ଟୋଇନିସଙ୍କୁ ମଧ୍ୟ ଦଳ ୧୧ କୋଟି ଟଙ୍କାରେ ନିଜ ସହ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି । ଏହି ଦୁଇ ଖେଳାଳିଙ୍କ ସହିତ ଅନକ୍ୟାପ୍ ପ୍ଲେୟାର ରବି ବିଶ୍ନୋଇ ମଧ୍ୟ ୪ କୋଟି ଟଙ୍କାରେ ଦଳରେ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଉଛି ।

ସୂଚନାଯୋଗ୍ୟ ଯେ, ଏଥର ଲକ୍ଷ୍ନୌ ଟିମ୍ ପ୍ରଥମ ଥର ପାଇଁ ଆଇପିଏଲରେ ସାମିଲ ହେବାକୁ ଯାଉଛି । ଆରପିଏସଜି ଗ୍ରୁପର ମାଲିକାନାରେ ଥିବା ଏହି ଟିମ ଏଥର ମୋଟ ୭୦୯୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଦଳ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କୁ ନିଜର ମେଣ୍ଟର ବାଛିଥିବାବେଳେ, ଜିମ୍ବାୱେର ପୂର୍ବତନ ଖେଳାଳି ଆଣ୍ଡି ଫ୍ଲାୱାର ଦଳର କୋଚ୍ ନିଯୁକ୍ତ ହୋଇଛନ୍ତି ।

ରାହୁଲ ଲକ୍ଷ୍ନୌ ଟିମ୍ ସହ ଯୋଡି ହେବା ନେଇ ପୂର୍ବରୁ ଅନେକ ଚର୍ଚ୍ଚା ଆଲୋଚନା ହୋଇସାରିଛି । ଗତ ଦୁଇ ସିଜିନ ଧରି ସେ ପଞ୍ଜାବ ଦଳର ଅଧିନାୟକ ରହିଥିଲେ, ହେଲେ ଚଳିତ ଥର ଦଳ ତାଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ତେଣୁ ଏଥର ସେ ଏହି ନୂଆ ଦଳ ସହ ନୂଆ ଆରମ୍ଭ କରିବା ସହିତ ଦଳକୁ ସଫଳତା ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ତେବେ ରାହୁଲଙ୍କ ଅଧିନାୟକ ରେକର୍ଡ ଉପରେ ନଜର ପକାଇଲେ ଜଣାପଡିବ ଯେ, ପଞ୍ଜାବ ଟିମର ଅଧିନାୟକ ଥିବାବେଳେ ତାଙ୍କର ରେକର୍ଡ ସେତେଟା ଭଲ ନଥିଲା । ଦଳ ତାଙ୍କ ଅଧିନାୟକତ୍ୱରେ କୌଣସି ଥର ବି ପ୍ଲେ-ଅଫରେ ପହଞ୍ଚିପାରିନଥିଲା । ବ୍ୟକ୍ତିଗତ ଭାବେ କିନ୍ତୁ ରାହୁଲ ଚମକ୍ରାର ପ୍ରଦର୍ଶନ କରିବା ସହ ୨୦୨୦ରେ ସବୁଠୁ ଅଧିକ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ଖାଲି ସେତିକି ନୁହେଁ ୨୦୨୧ରେ ମଧ୍ୟ ସେ ଏହି ଧାରାକୁ ବଜାୟ ରଖିବା ସହିତ ସବୁଠୁ ଅଧିକ ରନ୍ କରିଥିଲେ ।

ଅନ୍ୟପଟେ ରବି ବିଶ୍ନୋଇଙ୍କ କଥା କହିବାକୁ ଗଲେ, ସେ ଅଣ୍ଡର-୧୯ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ୨୦୨୦ ଖେଳାଳି ନିଲାମ ପ୍ରକ୍ରିୟାରେ ପଞ୍ଜାବ ଦଳ ତାଙ୍କୁ ୨ କୋଟି ଟଙ୍କା ଦେଇ କିଣିଥିଲା । ଏହି ସିଜିନରେ ସେ ଚମକ୍ରାର ପ୍ରଦର୍ଶନ କରିବା ସହିତ ମୋଟ ୧୨ଟି ୱିକେଟ୍ ନେଇଥିଲେ । ଅହମ୍ମଦାବାଦ ଟିମ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ୍ ଓ ଶୁଭମନ୍ ଗିଲ ସହ ଚୁକ୍ତି କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅହମ୍ମଦାବାଦ୍ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜର ଅଧିନାୟକ ମଧ୍ୟ ନିଯୁକ୍ତ କରିପାରେ ବୋଲି କୁହାଯାଉଛି । ଏପରି ସ୍ଥିତିରେ ଏବେ ସମସ୍ତଙ୍କ ଆଇପିଏଲ୍ ଖେଳାଳି ନିଲାମ ଉପରେ ନଜର ରହିଛି |

ସମ୍ବନ୍ଧିତ ଖବର