ଦିଲ୍ଲୀ: ୱିକେଟ୍ ରକ୍ଷକ ବ୍ୟାଟର୍ ହେନରିକ୍ କ୍ଲାସେଁଙ୍କ ଧୂଆଁଧାର ଶତକ ବଳରେ ସନ୍ରାଇଜର୍ସ ହାଇଦ୍ରବାଦ ଚଳିତ ଆଇପିଏଲ୍ର ୬୮ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୧୧୦ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଫଳରେ ଗତଥର ବିଜେତା କେକେଆର୍ ଚର୍ତୁଦଶ ମ୍ୟାଚ୍ରୁ ସପ୍ତମ ପରାଜୟ ବରଣ କରି ନୈରାଶ୍ୟଜନକ ଭାବେ ଅଭିଯାନ ଶେଷ କରିଛି। ହାଇଦ୍ରାବାଦ ଷଷ୍ଠ ବିଜୟ ସହ ଷଷ୍ଠରେ ଅଭିଯାନ ଶେଷ କରିଛି। କୋଲକାତା ସପ୍ତମରୁ ଅଷ୍ଟମରୁ ଖସିଛି।
ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିବା ସନ୍ରାଇଜର୍ସ ୨୭୯ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। କେକେଆର୍ ୮ ବଲ୍ ପୂର୍ବରୁ ମାତ୍ର ୧୬୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ସନ୍ରାଇଜର୍ସ ବ୍ୟାଟର୍ ପୂର୍ବରୁ ପୂରା ନିର୍ଭୀକ ବ୍ୟାଟିଂ କରିଥିଲେ। ଦୁଇ ଓପନର୍ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର୍କୁ ୭ ଓଭର ପୂର୍ବରୁ ୯୦ ରନ୍ ପାର କରାଇ ଦେଇଥିଲେ। ଉଭୟ ସୁନୀଲ ନାରାୟଣଙ୍କ ଶିକାର ହେବା ପରେ କିନ୍ତୁ କ୍ଲାସେଁ ଅଦିନିଆ ରନ୍ ଝଡ଼ ସୃଷ୍ଟି କରିଥିଲେ। ଛକା, ଚୌକା ବର୍ଷା କରି ମାତ୍ର ୩୭ ବଲ୍ରୁ ଶତକ ପୂରଣ କରିଥିଲେ। ଯାହା ଥିଲା ଆଇପିଏଲ୍ ଇତିହାସର ତୃତୀୟ ଦ୍ରୁତତମ। କେକେଆର୍ ବୋଲରମାନେ ଏହି ଦଳକୁ ଆଇପିଏଲ୍ ଇତିହାସର ତୃତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍ କରିବାରୁ ରୋକି ପାରି ନଥିଲେ। ପ୍ରଥମ ଦୁଇ ସର୍ବୋଚ୍ଚ ସ୍କୋର୍ ମଧ୍ୟ ସନ୍ରାଇର୍ସ ହାଇଦ୍ରାବାଦ ନାଁରେ ହିଁ ରହିଛି। ସନ୍ରାଇଜର୍ସ ୨୦୦୪ରେ ଆର୍ସିବି ବିପକ୍ଷରେ କରିଥିବା ୨୮୭/୩ ଏବଂ ଚଳିତବର୍ଷ ରାଜସ୍ଥାନ ରୟାଲସ ବିପକ୍ଷରେ କରିଥିବା ୨୮୬/୬ ଏହି ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛି। ପୁଣି ଚତୁର୍ଥ ସର୍ବୋଚ୍ଚ ସ୍କୋର୍ (ବନାମ ମୁମ୍ବାଇ ଇଣ୍ଡିଆନ୍ସ ୨୭୭/୩) ବି ସନ୍ରାଇଜର୍ସ ଖାତାରେ ରହିଛି। ଏଣୁ ଆଇପିଏଲ୍ ଇତିହାସର ପ୍ରଥମ ଚାରି ସର୍ବୋଚ୍ଚ ସ୍କୋର୍ କରିବାର ବିରଳ ରେକର୍ଡ ମଧ୍ୟ ସନ୍ରାଇଜର୍ସ ରବିବାର କରିଛି।
ସଂକ୍ଷିପ୍ତ ସ୍କୋର୍: ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୭୮/୩ (ହେନରିକ୍ କ୍ଲସେଁ ୧୦୫*, ଟ୍ରାଭିସ୍ ହେଡ୍ ୭୬, ଅଭିଷେକ ଶର୍ମା ୩୨, ଈଶାନ କିଶନ ୨୯, ସୁନୀଲ ନାରାୟଣ ୨/୪୨)। କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୬୮ (ମନୀଷ ପାଣ୍ଡେ ୩୭, ହର୍ଷିତ ରାଣା ୩୪, ଜୟଦେବ ଉନାଦକଟ ୩/୨୪, ଈଶାନ ମାଲିଙ୍ଗା ୩/୩୧, ହର୍ଷ ଦୁବେ ୩/୩୪)।