ମୁମ୍ବାଇ: ବେକରେ ଆଘାତ ଲାଗିବା ପରେ କାଉଣ୍ଟି କ୍ରିକେଟ୍ରୁ ଓହରିବାକୁ ବାଧ୍ୟ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ପୁଣି ଥରେ ଅଭ୍ୟାସ ଆରମ୍ଭ କରିଛନ୍ତି। ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସଠାରେ ହାଲ୍କା ଅଭ୍ୟାସ କରି ସେ କ୍ରିକେଟ୍କୁ ଫେରିବା ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ତାଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ସଂଜୟ ବାଙ୍ଗର ମଧ୍ୟ ଥିଲେ। ଉଭୟ କିଛି ଘଣ୍ଟା ଅଭ୍ୟାସ କରିବା ପରେ ସେଠାରୁ ଚାଲି ଯାଇଥିଲେ। କୋହଲି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହିଠାରେ ବାଙ୍ଗରଙ୍କ ସହ ଅଭ୍ୟାସ କରିବେ ବୋଲି ଜଣାପଡ଼ିଛି। ତେବେ ଆସନ୍ତା ଦୁଇ ଦିନ ହାଲକା ଅଭ୍ୟାସ କରିବା ପରେ ପରେ ରବିବାରଠାରୁ ପଡ଼ିଆରେ କଠିନ ଓ କଷ୍ଟକର ଅଭ୍ୟାସ ଆରମ୍ଭ କରିବେ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ୍ ଆରମ୍ଭ ହେବାର ପରଦିନ ଅର୍ଥାତ୍ ଜୁନ୍ ୧୫ରେ ସେହି ବାଙ୍ଗାଲୋରରେ କୋହଲି ନିଜ ସୁସ୍ଥତା ପରୀକ୍ଷା ଦେବେ। ଆଫଗାନିସ୍ତାନ ବିପକ୍ଷରେ କିନ୍ତୁ ସେ ଖେଳି ପାରିବେ ନାହିଁ। ତେବେ ଜୁନ୍ ୨୩ରେ କୋହଲି ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ଆୟର୍ଲାଣ୍ଡ ଅଭିମୁଖେ ଯାତ୍ରା କରିବା ଏକ ପ୍ରକାର ନିଶ୍ଚିତ। ଭାରତୀୟ ଦଳ ଜୁନ୍ ୨୭ ଏବଂ ୨୯ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ ଇଂଲଣ୍ଡ ଯାଇ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ। ଏହା ପରେ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳି ଅଗଷ୍ଟ ପହିଲାରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। କୋହଲି ଜୁନ୍ ମାସରେ ଇଂଲଣ୍ଡ ଯାଇ ସରେ ଦଳ ପକ୍ଷରୁ ସେଠାକାର ଘରୋଇ କ୍ରିକେଟ୍ ‘କାଉଣ୍ଟି’ ଖେଳିବାର ଥିଲା। ହେଲେ ଆଇପିଏଲ୍ ବେଳେ ଆହତ ହେବା ପରେ ଏଥିରୁ ସେ ଓହରିବାକୁ ବାଧ୍ୟ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ କୋହଲି ସେଠାରେ କାଉଣ୍ଟି ଖେଳିବାର ଯୋଜନା କରିଥିଲେ।
ମୁମ୍ବାଇରେ କୋହଲିଙ୍କ ଅଭ୍ୟାସ, ଜୁନ୍ ୧୫ରେ ପରୀକ୍ଷା
/sambad/media/post_attachments/wp-content/uploads/2017/10/Virat-kohali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)