ଦଳରୁ ବାଦ ପଡ଼ି ରାତି ସାରା କାନ୍ଦିଥିଲେ କୋହଲି

ନୂଆଦିଲ୍ଲୀ : ସଂପ୍ରତି ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌। ଏହି ସ୍ତରକୁ ଆସିବା ପୂର୍ବରୁ ସେ ବହୁ କଷ୍ଟ ସହିଥିଲେ। ଏକଦା ତାଙ୍କୁ ରାଜ୍ୟ ଦଳରେ ସ୍ଥାନ ମିଳିନଥିଲା। ଯେଉଁ ଦିନ ରାଜ୍ୟ ଦଳ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା ସେହି ରାତିସାରା ସେ ଶୋଇ ପାରିନଥିଲେ। ବାରମ୍ବାର ଚିତ୍କାର କରିଥିଲେ ବୋଲି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ଅନଲାଇନ୍‌ ଆଲୋଚନା ବେଳେ କୋହଲି କହିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ଦଳ ଚୟନରେ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ମୋର ମନେ ଅଛି ଯେ ବିଳମ୍ବିତ ରାତିରେ ମୁଁ କାନ୍ଦିଥିଲି ପ୍ରାୟ ତିନିଟା ପର୍ଯ୍ୟନ୍ତ। ସକାଳେ ଏହାକୁ ବିଶ୍ବାସ କରିପାରିଲି ନାହିଁ। କାରଣ ମୁଁ ଭଲ ସ୍କୋର କରିଥିଲି। ଦଳରେ ସ୍ଥାନ ପାଇବା ଲାଗି ମୋ ପ୍ରଦର୍ଶନ ଠିକ୍‌ ଥିଲା। କିନ୍ତୁ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ମୋର ପ୍ରଶିକ୍ଷକଙ୍କୁ ଦୁଇ ଘଣ୍ଟା ଧରି ଏହି ବିଷୟ ପଚାରିଲି, କାହିଁକି ମୁଁ ଚୟନ ହେଲିନି? ଏହାର ଉତ୍ତର ପାଇନଥିଲି ବୋଲି ୩୧ ବର୍ଷୀୟ କୋହଲି କହିଛନ୍ତି। ଯେତେବେଳେ ଉତ୍ସାହ ଏବଂ ପ୍ରତିବଦ୍ଧତା ଥାଏ, ସେତେବେଳେ ପ୍ରେରଣା ନିଶ୍ଚିତ ଫେରି ଆସେ। କରୋନା ଆମକୁ ଅଧିକ ଦୟାଳୁ କରିପାରିଛି ବୋଲି କୋହଲି ମତ ରଖିଛନ୍ତି।

ନିଜ ରାଜ୍ୟ ଦିଲ୍ଲୀ ପକ୍ଷରୁ କୋହଲି ୨୦୦୬ରେ ପଦାର୍ପଣ କରିଥିଲେ। ଏହାର ଦୁଇ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ସେ ୮୬ ଟେଷ୍ଟ୍‌ ଖେଳି ୨୭ ଶତକ ଓ ୨୨ ଅର୍ଧଶତକ ସହାୟତାରେ ୭୨୪୦ ରନ୍‌ କରି ସାରିଲେଣି। ୨୦୧୭ରେ ଅନୁଷ୍କାଙ୍କୁ କୋହଲି ବିବାହ କରିଥିଲେ। ଏହା ତାଙ୍କ ସର୍ବଶ୍ରେଷ୍ଠ ସମୟ ଥିଲା ବୋଲି କୋହଲି କହିଛନ୍ତି। ଆମେ ଦୁହେଁ ୨୦୧୩ରେ ଏକ ସାମ୍ପୋ ବିଜ୍ଞାପନରେ ଦେଖା ହୋଇଥିଲୁ। ତାଙ୍କ ବ୍ୟକ୍ତିତ୍ୱ, ପରିସ୍ଥିତିକୁ ମୁକାବିଲାର କ୍ଷମତା ପ୍ରକୃତରେ ମୋତେ ପ୍ରେରଣା ଦେଇଥିଲା। ମୁଁ ପୂର୍ବରୁ ଧୈର୍ଯ୍ୟହରା ଥିଲି। ତାଙ୍କ ସହ ମିଶିବା ପରେ ଯାହା ବଦଳି ଯାଇଥିଲା। ଯେତେ ସଫଳ ହେଲେ ମଧ୍ୟ ନିଜର ଗର୍ବକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପ୍ରତିକୂଳ ପରିସ୍ଥିତିରେ ଦୃଢ଼ ରହିବାକୁ ହେବ। ଲଢ଼େଇ ଜାରି ରଖିବାକୁ ପଡ଼ିବ। ଏସବୁ ମୁଁ ତାଙ୍କଠୁ ଶିଖିଥିଲି ବୋଲି କୋହଲି ପ୍ରକାଶ କରିଛନ୍ତି। ଯଦି ତୁମ ବିପକ୍ଷରେ ସବୁ ଯାଉଛି ତେବେ ତୁମେ ଗର୍ଜିବା ଦରକାର ନାହିଁ। ଯଦି ଦଳ ଚାହୁଁଛି ଟେଷ୍ଟ୍‌ ମ୍ୟାଚ୍‌ରେ ତୁମେ ୨୦ ରନ୍‌ ପାଇଁ ୨ ଘଣ୍ଟା ବ୍ୟାଟିଂ କର। ତାହାଲେ ତୁମେ ଏହାହିଁ କରିବା ଦରକାର। କାରଣ ତୁମେ ଦଳ ପାଇଁ ଖେଳୁଛ ଏବଂ ଏଥିପାଇଁ ତୁମକୁ ଦରମା ମିଳୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର