୨ ବର୍ଷ,୧୫ ଶତକ, ୪ ଦେଶକୁ ପଛରେ ପକାଇଲେ କୋହଲି

ମୁମ୍ବାଇ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ବେ ରାଞ୍ଚି ଦିନିକିଆରେ ଭାରତ ୩୨ ରନ୍‌ରେ ପରାସ୍ତ ହେଲା। ହେଲେ ଅଷ୍ଟ୍ରେଲିଆ ବିଜୟ ଅପେକ୍ଷା କୋହଲିଙ୍କ ୯୫ ବଲ୍‌ରୁ ୧୨୩ ରନ୍‌ର ପାଳି ଅଧିକ ଚର୍ଚିତ ହୋଇଥିଲା। କୋହଲିଙ୍କର ଏହା ୪୧ତମ ଦିନିକିଆ ଶତକ ଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଏହା ମଧ୍ୟ ତାଙ୍କର ପଞ୍ଚଦଶ ଦିନିକିଆ ଶତକ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ଶୁକ୍ରବାର ସୁଦ୍ଧା ଦିନିକିଆ ଓ ଟେଷ୍ଟ୍‌କୁ ମିଶାଇ ୬୬ ଶତକ ହାସଲ କରିଥିଲେ। ପଶ୍ଚାତଧାବନରେ ତାଙ୍କର ଏହା ୨୫ତମ ଶତକ ଥିଲା। ପରିସଂଖ୍ୟାନକୁ ତର୍ଜମା କଲେ ଜଣାପଡ଼େ ଯେ କୋହଲି ଗତ ଦୁଇ ବର୍ଷ ମଧ୍ୟରେ ଭାରତର ବିଜୟରେ କେବଳ ପ୍ରମୁଖ ଭୂମିକା ତୁଲାଇ ନାହାନ୍ତି, ବ୍ୟକ୍ତିଗତ ଭାବେ ଶତକ ଅର୍ଜନରେ ସେ ଏକାକି ଚାରିଟି ଦେଶକୁ ପଛରେ ପକାଇ ଦେଇଛନ୍ତି। ୨୦୧୭ ମସିହା ଆରମ୍ଭରୁ ପ୍ରଶଂସକମାନେ କୋହଲିଙ୍କ ବ୍ୟାଟ୍‌ରୁ ୧୫ ଦିନିକିଆ ଶତକ ଦେଖିବାକୁ ପାଇଛନ୍ତି। ଯାହା ପାକିସ୍ତାନ (୧୪), ବାଂଲାଦେଶ (୧୩), ୱେଷ୍ଟଇଣ୍ଡିଜ୍ (୧୨) ଓ ଶ୍ରୀଲଙ୍କା (୧୦) ଖେଳାଳିମାନେ ଏହି ସମୟ ମଧ୍ୟରେ ମିଳିତ ଭାବେ ହାସଲ କରିଥିବା ଶତକ ସଂଖ୍ୟାଠାରୁ ଅଧିକ। ଏହି ସମୟ ମଧ୍ୟରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ୧୫ ଶତକ ହାସଲ କରିଛନ୍ତି। ଏହି ସଂଖ୍ୟା କୋହଲିଙ୍କ ସହ ସମାନ। ଦଳଗତ ଭାବେ ଭାରତ ବ୍ୟତୀତ ଇଂଲଣ୍ଡ , ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ହିଁ ତାଙ୍କଠାରୁ ଅଧିକ ଶତକ ଅର୍ଜନ କରିଛନ୍ତି। ଭାରତ ଏହି ସମୟ ମଧ୍ୟରେ ୩୭ ଶତକ (କୋହଲି ୧୫, ରୋହିତ ଶର୍ମା ୧୨, ଅନ୍ୟମାନେ ୧୦) ହାସଲ କରିଛି। ଇଂଲଣ୍ଡ ୨୦୧୭ ପରଠାରୁ ୨୮ ଶତକ ଅର୍ଜନ କରିଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୬ଟି ଲେଖାଏଁ ଶତକୀୟ ପାଳି ଖେଳିଛନ୍ତି। ୨୦୧୭ ଆରମ୍ଭ ପରଠାରୁ କୋହଲି କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍‌ରେ ମିଳିତ ଭାବେ ୨୫ ଶତକ ମାରିଛନ୍ତି। ଯାହା ପାକିସ୍ତାନ ଖେଳାଳିଙ୍କ ସମୁହ ପ୍ରଦର୍ଶନଠାରୁ ଭଲ। ପାକିସ୍ତାନ ଏହି ସମୟ ମଧ୍ୟରେ ୨୪ ଶତକ ଅଜର୍ନ କରିଛି। କୋହଲି ମଧ୍ୟ ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକଠାରୁ ମାତ୍ର ୮ ଶତକ ପଛରେ ରହିଛନ୍ତି। ମାତ୍ର ୩୦ ବର୍ଷ ବୟସର ହୋଇଥିବାରୁ ସଚିନଙ୍କୁ ସେ ଏହି କ୍ଷେତ୍ରରେ ପଛରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ଭାବେ ରାଞ୍ଚି ଶତକ କୋହଲିଙ୍କର ୬୨ ପାଳିରୁ ୧୯ତମ ଥିଲା। ସେ ମଧ୍ୟ ଅଧିନାୟକ ଭାବେ ୪,୦୦୦ ଦିନିକିଆ ରନ୍ କରି ସୌରଭ ଗାଙ୍ଗୁଲି ଓ ମହମ୍ମଦ ଆଝାରୁଦ୍ଦିନଙ୍କ କ୍ଲବ୍‌ରେ ସ୍ଥାନ ପାଇଥି‌ଲେ। ଏହି କ୍ଷେତ୍ରରେ କିନ୍ତୁ ସେ ଉଭୟ ଗାଙ୍ଗୁଲି ଓ ଆଝାରୁଦ୍ଦିନଙ୍କଠାରୁ ଦ୍ରୁତତମ ହେବାର ଗୌରବ ଅର୍ଜନ କରିଥିଲେ।

କୋହଲି ଦିନିକିଆ କ୍ରିକେଟ୍‌ର ‘ଗୋଟ୍‌’
ରାଞ୍ଚି: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ କ୍ରିକେଟ୍‌ର ‘ଗୋଟ୍‌’ (ଗ୍ରେଟେଷ୍ଟ୍ ଅଫ୍ ଅଲ୍‌ଟାଇମ୍‌ ବା ସର୍ବକାଳୀନ ଶ୍ରେଷ୍ଠ) ଆଖ୍ୟା ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍‌। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଏବଂ ନିଜ ଖେଳ ଜୀବନର ୪୧ତମ ଦିନିକିଆ ଶତକ ହାସଲ କରିବା ପରେ ଭନ୍ ଏଭଳି କଥା କହିଛନ୍ତି। ଏହି ପାଳି ପରେ କୋହଲି ଅନ୍ୟତମ ଭାରତୀୟ କିମ୍ବଦନ୍ତୀ ସଚିନ ‌ତେନ୍ଦୁଲକରଙ୍କୁ ଅତିକ୍ରମ କରି ସାରିଛନ୍ତି‌ ‌ବୋଲି ବିତର୍କ ଆରମ୍ଭ ହୋଇସାରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟମ ଦିନିକିଆ ଶତକ ହାସଲ କରି‌ ସେ ସଚିନଙ୍କୁ ପଛରେ ପକାଇଥିଲେ। କୋହଲି କ’ଣ ସାର୍ ଡନ୍ ବ୍ରାଡମ୍ୟାନ୍‌, ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ସାରିଛନ୍ତି ବୋଲି ପ୍ରଶ୍ନ ହେବାରୁ ଭନ୍ କହିଥିଲେ, ‘ଦିନିକିଆ କ୍ରିକେଟ୍‌ରେ ନିଶ୍ଚିତ ହିଁ’। ପଶ୍ଚାତ୍‌ଧାବନ ପାଳିରେ କୋହଲି ୨୫ ଶତକ ହାସଲ କରି ଶୀର୍ଷରେ ରହିଛନ୍ତି। ୨୦୧୮ ମସିହାରେ ସେ ପ୍ରଭାବୀ ପ୍ରଦର୍ଶନ ଜରିଆରେ ପ୍ରଥମ ଖେଳାଳି ଭାବେ ଆଇସିସିର ୩ ପ୍ରମୁଖ ପୁରସ୍କାର (ଟେଷ୍ଟ୍, ଦିନିକିଆ ଏବଂ କ୍ରିକେଟର୍‌ ଅଫ୍‌ ଦି ଇୟର) ପାଇଥିଲେ।

ସମ୍ବନ୍ଧିତ ଖବର