ଦିବାରାତ୍ର ଟେଷ୍ଟ୍ ପାଇଁ କୋହଲି ରାଜି: ଗାଙ୍ଗୁଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ୨୦୧୫ ମସିହାରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳାଯାଇଥିଲା। ଏହାର ୪ ବର୍ଷ ପରେ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ଭାରତ ଫ୍ଲଡ୍ ଲାଇଟ୍‌ରେ ଟେଷ୍ଟ୍ ଖେଳିବାକୁ ଆଗ୍ରହ ଦେଖାଇଛି। ବିସିସିଆଇର ନବନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ଏଭଳି ଆଭାସ ଦେଇଛନ୍ତି। ପୂର୍ବରୁ ଏଥି ଲାଗି ଭାରତୀୟ ଦଳ ଏବଂ ‌ଅଧିନାୟକ ବିରାଟ କୋହଲି ରାଜି ହେଉନଥିବା ରିପୋର୍ଟମାନ ପ୍ରକାଶ ପାଉଥିଲା। ଗାଙ୍ଗୁଲି କିନ୍ତୁ କହିଛନ୍ତି, କୋହଲି ଦିବାରାତ୍ର ଟେଷ୍ଟ୍ ପାଇଁ ରାଜି ଅଛନ୍ତି। ଏହା ଜୀବନକୁ ସହଜ କରି ଦେବ। କ୍ରିକେଟ୍‌ ମଧ୍ୟ ଆଗକୁ ବଢ଼ିବାକୁ ବାଧ୍ୟ ବୋଲି ଶୁକ୍ରବାର ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଆମେ ଏ ସମ୍ପର୍କରେ ଚିନ୍ତା କରୁଛୁ, କିନ୍ତୁ କେବେ ଏହା ହେବ ମୁଁ କହିପାରିବି ନାହିଁ। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ନିଶ୍ଚିତ ଏହି ଦାବି ରଖିବି ବୋଲି ଗାଙ୍ଗୁଲି କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ଚାହୁଁଛି ଆଡିଲେଡ୍‌ରେ ପ୍ରତିବର୍ଷ ଦିବାରାତ୍ର ଟେଷ୍ଟ୍‌ ଖେଳିବାକୁ। ଭାରତ ଚଳିତ ବର୍ଷର ସଫଳ ଅଷ୍ଟ୍ରେଲିଆ ଗସ୍ତ ବେଳେ ମଧ୍ୟ କୋହଲି ସେନା ଏହା ‌ଖେଳିନଥିଲା। କିନ୍ତୁ ଭାରତର ପରବର୍ତୀ ଅଷ୍ଟ୍ରେଲିଆ ଗସ୍ତ ୨୦୨୦-୨୧ ବେଳକୁ ବିସିସିଆଇକୁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରବର୍ତ୍ତାଇବ ବୋଲି ଏହାର ମୁଖ୍ୟ କେଭିନ୍ ରବର୍ଟସ ପ୍ରକାଶ କରିଛନ୍ତି। ବର୍ତମାନର ଆଇସିସି ନିୟମ ଅନୁସାରେ ଘରୋଇ ଦଳର ଖେଳସୂଚୀକୁ ଭ୍ରମଣକାରୀ ଦଳ ମାନିବାକୁ ବାଧ୍ୟ ନୁହେଁ। କିନ୍ତୁ ନିକଟ ଭବିଷ୍ୟତରେ ଏହି ନିୟମ ପରିବର୍ତନ ହେବା ସମ୍ଭାବନା ରହିଛି।

‘ଭିତର କଥା ଲୋକଙ୍କୁ ଜଣାପଡେନି’
ନୂଆଦିଲ୍ଲୀ: ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ସହ ସୁ ସମ୍ପର୍କକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଥମ ଥର ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍‌ର ଭଲ ପାଇଁ ସବୁକିଛି ଠିକ୍‌ ଠାକ୍ ଚାଲିବା ଉଚିତ୍। ଏବେ ସମ୍ପର୍କ ଭଲ ରହିଛି। କିନ୍ତୁ ଭିତରେ କ’ଣ ସବୁ ଘଟେ ଲୋକଙ୍କୁ ଜଣା ପଡ଼େନାହିଁ’ ବୋଲି ଗାଙ୍ଗୁଲି କହିଛନ୍ତି। ୬୫ ବର୍ଷ ପରେ ପ୍ରଥମ କ୍ରିକେଟର୍‌ ଭାବେ ଗାଙ୍ଗୁଲି ବିସିସିଆଇ ସଭାପତି ପଦ ଅଳଙ୍କୃତ କରିଛନ୍ତି। ନିର୍ବାଚିତ ହେବା ପରେ ଗାଙ୍ଗୁଲି ମଧ୍ୟ କୋହଲିଙ୍କୁ ‘ଭାରତୀୟ କ୍ରିକେଟ୍‌ର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି’ ବୋଲି ଅଭିହିତ କରିଥିଲେ। ସବୁଠି ଭିନ୍ନ ମତ ରହିବ, କିନ୍ତୁ ପରସ୍ପର ପ୍ରତି ସମ୍ମାନ ମଧ୍ୟ ରହିବା ଉଚିତ୍‌। କୋହଲିଙ୍କୁ ସେ ଯେଭଳି ଚାହାଁନ୍ତି ସେଭଳି ସମ୍ଭାବ୍ୟ ସମର୍ଥନ ମିଳିଯିବ’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର