ନୂଆଦିଲ୍ଲୀ: ବିସିସିଆଇର ନବନିର୍ବାଚିତ କର୍ମକର୍ତା କାର୍ଯ୍ୟଭାର ଗ୍ରହଣ କରିବା ସହ ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ୩୩ ମାସିଆ କାର୍ଯ୍ୟକାଳ ଶେଷ ହୋଇଛି। ସୌରଭ ଗାଙ୍ଗୁଲିଙ୍କ ସହ ବିଭିନ୍ନ କର୍ମକର୍ତା ବୁଧବାର ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗୁରୁବାର ସିଓଏ ମୁଖ୍ୟ ବିନୋଦ ରାଏ ୨୦୧୭ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ସେତେବେଳର ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ନେଇ ମୁହଁ ଖୋଲିଛନ୍ତି।
କୋହଲି କିଭଳି କୁମ୍ବଲେଙ୍କ ପ୍ରଶିକ୍ଷଣରେ ଖେଳିବାକୁ ଚାହୁଁ ନଥିଲେ ତା’ ଉପରୁ ସେ ପରଦା ଉଠାଇଛନ୍ତି। କୁମ୍ବଲେଙ୍କୁ ମନେ ମନେ ସମର୍ଥନ କରୁଥିଲେ ମଧ୍ୟ ତାଙ୍କ ସହ ହୋଇଥିବା ଚୁକ୍ତିରେ କାର୍ଯ୍ୟକାଳ ବୃଦ୍ଧି କରିବାର ଧାରା ନଥିବାରୁ ଅସହାୟ ଭାବେ ସେ ତାଙ୍କୁ ଯିବାକୁ ଦେଇଥିଲେ ବୋଲି ରାଏ କହିଛନ୍ତି। ଏପରିକି କୋହଲିଙ୍କୁ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନଥିଲେ। ଅବଶ୍ୟ ଏବେକାର ସ୍ଥିତି ଥିଲେ ଗାଙ୍ଗୁଲି ନିଶ୍ଚିତ କୋହଲିଙ୍କୁ କୁମ୍ବଲେଙ୍କ ସହ ବୁଝାମଣା କରିବାକୁ ମନାଇ ପାରି ଥାଆନ୍ତେ। କାରଣ ଗାଙ୍ଗୁଲି ଏବେ ବିସିସିଆଇ ସଭାପତି। ତେବେ କୁମ୍ବଲେ ବିନା ବିବାଦରେ ଆଗକୁ ବଢ଼ି ଯାଇଥିବାରୁ ମୁଁ ତାଙ୍କୁ ଅନେକ ସମ୍ମାନ କରେ। ଦୁଃଖର କଥା ହେଲା ସର୍ବସାଧାରଣରେ ଡ୍ରେସିଂ ରୁମର ଅନେକ ଗୁମର କଥା ଅଯଥା ଏବଂ ଅନ୍ୟାବଶ୍ୟକ ଭାବେ ଚର୍ଚା ହୋଇଥିଲା। ଅନକେ ମଇଳା ଲୁଗା ସର୍ବସାଧାରଣରେ ଧୁଆ ହୋଇଥିଲା ବୋଲି ରାଏ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କୁମ୍ବଲେ ଜଣେ ଶ୍ରେଷ୍ଠ ପ୍ରଶିକ୍ଷକ। ତାଙ୍କ ଚୁକ୍ତିରେ କାର୍ଯ୍ୟକାଳ ବୃଦ୍ଧି ଧାରା ଥିଲେ, ମୁଁ ନିଶ୍ଚିତ ଏହାକୁ ବଢ଼ାଇ ଥାଆନ୍ତି। ମୁଁ କୁମ୍ବଲେଙ୍କୁ ବହୁତ ସମ୍ମାନ କରେ। ଚୁକ୍ତିରେ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ନଥିବାରୁ ଆମେ ସିଏସି (କ୍ରିକେଟ୍ ପରାମର୍ଶଦାତା ସମିତି)ର ସହାୟତା ଲୋଡ଼ିଥିଲୁ। ସଚିନ ଏବଂ ସୌରଭଙ୍କ ସହ ଏଥିନେଇ ମୁଁ ଦୀର୍ଘ ଆଲୋଚନା କରିଥିଲି। ସେମାନେ ମଧ୍ୟ କୋହଲିଙ୍କୁ ବୁଝାଶୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା।