କୋହଲି, ବୁମ୍‌ରା, ରାହୁଲ ‌ଫେରିଲେ: କାର୍ତିକ ବିଦା

ଭାରତ-ଅଷ୍ଟ୍ରେଲିଆ ସୀମିତ ଓଭର ଶୃଙ୍ଖଳା

ମୁମ୍ବାଇ: ବିଶାଖାପାଟଣାରେ ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆା ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ଘୋଷିତ‌ ହୋଇଛି। ନିୟମିତ ଅଧିନାୟକ ବିରାଟ କୋହଲି, ପ୍ରମୁଖ ଦ୍ରୁତ ବୋଲର ଯଶ୍‌ପ୍ରୀତ୍ ବୁମରା, ଟିଭି ଟିପ୍ପଣୀ ପାଇଁ ନିଲମ୍ବନ ଦଣ୍ଡ ଭୋଗିବା ପରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ ଦଳକୁ ଫେରିଛନ୍ତି। ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତିକଙ୍କୁ କିନ୍ତୁ ବିଦାୟ ରାସ୍ତା ଦେଖାଇ ଦିଆଯାଇଛି। ତେବେ ତାଙ୍କୁ ଟ୍ବେଣ୍ଟି-୨୦ ଦଳରେ ରଖାଯାଇଛି। କୋହଲି ନ୍ୟୁଜିଲାଣ୍ଡ୍ ଗସ୍ତ ଅଧାରୁ ବିଶ୍ରାମ ନେଇଥିବା ବେଳେ ବୁମ୍‌ରା ଉଭୟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରେ ଖେଳିନଥିଲେ। ଏବେ ୨୦୧୯ ବିଶ୍ବକପ୍‌ ପୂର୍ବରୁ ଭାରତର ଶେଷ ଦିନିକିଆ ଶୃଙ୍ଖଳା ଲାଗି ଉଭୟ ଫେରିଛନ୍ତି। ନିଲମ୍ବନ ଦଣ୍ଡରୁ ବର୍ତିବା ପରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦୁଇଟି ଭଲ ପାଳି (୮୯ ଏବଂ ୮୧) ଖେଳିଥିବା ଲୋକେଶ ରାହୁଲଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ‌ ଟେଷ୍ଟ୍ ଏବଂ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ କରିଥିବା ଯୁବ ୱିକେଟ୍‌ରକ୍ଷକ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କୁ ମଧ୍ୟ ସୁଯୋଗ ମିଳିଛି। ରାହୁଲଙ୍କୁ ଦୀନେଶ କାର୍ତିକଙ୍କ ବଦଳରେ ସୁଯୋଗ ଦିଆଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ପଞ୍ଜାବ ଦ୍ରୁତ ବୋଲର ସିଦ୍ଧାର୍ଥ କଉଲଙ୍କୁ ନିଆଯାଇଛି। ଗତ ଦୁଇ ଶୃଙ୍ଖଳାରେ ଆମେ ଖଲିଲଙ୍କୁ ଦେଖିଲୁ ଏବେ କଉଲଙ୍କୁ ପରଖିବୁ ବୋଲି କହିଛନ୍ତି ଜାତୀୟ ଚୟନ ସମିତି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ। ତେବେ ପ୍ରଥମ ୨ ଦିନିକିଆ ଲାଗି ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦିଆଯାଇ କଉଲଙ୍କୁ ଏହି ସୁଯୋଗ ମିଳିଛି। ୫ ଟିକିଆ ଦିନିକିଆ ଖେଳାଯିବା ପୂର୍ବରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଇଂଲଣ୍ଡ୍‌ ଲାୟନ୍ସ ବିପକ୍ଷରେ ଭାରତ ‘ଏ’କୁ ବିଜୟୀ କରାଇବା ପରେ ଯୁବ ଲେଗ୍‌ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ପୁରସ୍କାର ସଦୃଶ ସୁଯୋଗ ପ୍ରଦାନ କରାଯାଇଛି। ଫେବ୍ରୁଆରି ୨୪ ଓ ୨୭ରେ ଟ୍ବେଣ୍ଟି-୨୦ ଦ୍ବୟ ‌ଖେଳାଯିବା ପରେ ଦିନିକିଆ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକ ମାର୍ଚ ୨, ୫, ୮, ୧୦, ୧୩ ତାରିଖରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହା ପରେ ମାର୍ଚ ୨୩ରୁ ଆଇପିଏଲ୍‌ ଖେଳିବେ। ମେ’ ୩୦ ତାରିଖରୁ ଇଂଲଣ୍ଡରେ ଆଇସିସି ବିଶ୍ବକପ୍‌ ଖେଳିବାକୁ ଯିବ ଭାରତୀୟ ଦଳ।

ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଋଷବ ପନ୍ତ୍‌, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ୍ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କଉଲ୍, ମୟଙ୍କ ମାର୍କଣ୍ଡେ।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ,‌ କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଯଶ୍‌ପ୍ରୀତ୍ ବୁମରା, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷବ ପନ୍ତ୍‌, ଲୋକେଶ ରାହୁଲ। ସିଦ୍ଧାର୍ଥ କଉଲ୍‌ (କେବଳ ପ୍ରଥମ ୨ ଦିନିକିଆ)। ଭୁବନେଶ୍ବର କୁମାର (ଶେଷ ୩ ଦିନିକିଆ)।

ସମ୍ବନ୍ଧିତ ଖବର