ଟି-୨୦ ର଼୍ୟାଙ୍କିଙ୍ଗରେ କୋହଲି ଓ ହସରଙ୍ଗାଙ୍କୁ ମିଳିଲା ଫାଇଦା

ନୂଆଦିଲ୍ଲୀ: ଏସିଆ କପ-୨୦୨୨ରେ ଦମଦାର ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଶ୍ରୀଲଙ୍କାର ବୋଲିଂ ଅଲରାଉଣ୍ଡର ଭାନିନ୍ଦୁ ହସରଙ୍ଗା ଆଇସିସି ଟି ​​-୨୦ ମାନ୍ୟତାରେ ଉପରକୁ ଉଠିଛନ୍ତି | ଚଳିତ ଏସିଆ କପରେ ବିରାଟ କୋହଲି ପ୍ରାୟ ଅଢ଼େଇ ବର୍ଷ ପରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଶତକ ମାରିଥିଲେ | ଏହା ମଧ୍ୟ ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର ପ୍ରଥମ ଶତକ। ଏହି ସଫଳତା ତାଙ୍କୁ ସଦ୍ୟ ପ୍ରକାଶିତ ଟି -20 ବ୍ୟାଟର୍‌ ମାନ୍ୟତାର ୧୫ତମ ସ୍ଥାନରେ ପହଞ୍ଚାଇଛି। ଅନ୍ୟପକ୍ଷରେ, ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ୱାନିନ୍ଦୁ ହସରଙ୍ଗା ଟି -୨୦ ବୋଲରଙ୍କ ମାନ୍ୟତାରେ ଛଅ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି |

ସେହିପରି ଟି -୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ଥିବାବେଳେ ଅଧିନାୟକ ରୋହିତ ଶର୍ମା ୧୪ତମ ସ୍ଥାନରେ ଅଛନ୍ତି। ପାକିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଟି -୨୦ ମାନ୍ୟତାର ଶୀର୍ଷରେ ଥିବାବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗ ବିଷୟରେ କହିବାକୁ ଗଲେ ଭୁବନେଶ୍ୱର କୁମାର ଗୋଟିଏ ସ୍ଥାନ ଖସି ସପ୍ତମରେ ରହିଛନ୍ତି।

ଜୋସ୍ ହାଜଲେଉଡ୍ ଏକ ନମ୍ବର ସ୍ଥାନରେ ଥିବାବେଳେ ଅଲରାଉଣ୍ଡର ମାନ୍ୟତାରେ ସକିବ ଅଲ ହାସନ ୧ ନମ୍ବର ସ୍ଥାନରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏକ ସ୍ଥାନ ହରାଇ ସପ୍ତମକୁ ଖସି ଆସିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର