କୋହଲି-ୱିଲିୟମ୍‌ସନ୍‌ଙ୍କ ଦୋହରା ସେମିଫାଇନାଲ୍‌

ଲଣ୍ଡନ୍‌: ଶେଷ ଲିଗ୍ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ଗତ ଥରର ବିଜେତା ଅଷ୍ଟ୍ରେଲିଆ ହାରିଯିବା ଫଳରେ ଭାରତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ କାଏମ ରଖିଛି। ଭାରତୀୟମାନେ ଶନିବାର ରାତିରେ ମେନ୍‌ ଇନ୍ ବ୍ଲୁ ଦଳର ବିଜୟ ଉତ୍ସବରେ ଲାଗି ରହିଥିବା ବେଳେ ବିଳମ୍ବିତ ରାତିରେ ଅଷ୍ଟ୍ରେଲିଆର ପରାଜୟ ମଧ୍ୟ ଭାରତକୁ ଗ୍ରୁପ୍ ବିଜେତା କରି ଦେଇଥିଲା। ଏଥି ସହିତ ଜୁଲାଇ ୯ ତାରିଖରେ ଭାରତ ପ୍ରଥମ ସେମିଫ‌ାଇନାଲରେ ନ୍ୟୁଜିଲାଣ୍ଡ୍ ସହିତ ଖେଳିବା ଧାର୍ଯ୍ୟ ହୋଇଯାଇଥିଲା। ଏହି ସେମିଫାଇନାଲ୍ ପୂର୍ବରୁ ଦୁଇ ଦଳ ଲିଗ୍ ପର୍ଯ୍ୟାୟରେ ବର୍ଷା କାରଣରୁ ମୁହାଁମୁହିଁ ହୋଇନପାରି ପଏଣ୍ଟ ବାଣ୍ଟି ନେଇଥିଲେ। ଏବେ ଦୁଇ ଦଳ ସେମିଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ଯାଉଥିବାରୁ ବିଶ୍ବ କ୍ରିକେଟର ଦୁଇ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଏବଂ କେନ୍ ୱିଲିୟମସନଙ୍କ ନେତୃତ୍ବର ଆଉ ଏକ ପରୀକ୍ଷା ହେବ। ‌ରବିବାର ଟ୍ବିଟର୍ ପୃଷ୍ଠାରେ ବିରାଟ କୋହଲି ବନାମ କେନ୍ ୱିଲିୟମସନଙ୍କ ଯୁବାବସ୍ଥା ଫଟୋ ବେଶ ଚର୍ଚାକୁ ଆସିଥିଲା। ୧୧ ବର୍ଷ ତଳେ ଏହି ଦୁଇ ଖେଳାଳି ନିଜ ନିଜ ଜାତୀୟ ଦଳର ନେତୃତ୍ବ ନେଇ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ସେମିଫାଇନାଲରେ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଭାରତ ସେହି ମ୍ୟାଚ୍‌କୁ ୩ ୱିକେଟରେ ରୋମାଞ୍ଚକ ଭାବେ ଜିତିବା ସହିତ ପରବର୍ତୀ ସମୟରେ କୋହଲିଙ୍କ ଅଧିନରେ ମଧ୍ୟ ବି‌ଶ୍ବ ବିଜେତା ହୋଇଥିଲା। ଏବେ ଇତିହାସ ଦୋହରାଇବା ଆଶାରେ ରହିଛନ୍ତି ଭାରତୀୟମାନେ। କେବଳ ଅଧିନାୟକ ନୁହଁନ୍ତି କିଛି‌ ଖେଳାଳି ମଧ୍ୟ ରହିଛନ୍ତି ଉଭୟ ଦଳରେ। ରବୀନ୍ଦ୍ର ଜାଦଜୋ, ଟ୍ରେଣ୍ଟ୍ ବୋଲଟ୍ ଏବଂ ଟିମ୍ ସାଉଦି ସେହି ସେମିଫାଇନାଲ୍‌ ଖେଳିଥିଲେ। ସେହି ମ୍ୟାଚ୍‌ରେ କୋହଲି ମଧ୍ୟ କେନ୍ ୱିଲିୟମସନଙ୍କ ୱିକେଟ୍ ନେଇଥିଲେ। ସାଉଦି ନେଇଥିଲେ କୋହଲିଙ୍କ ୱିକେଟ୍‌। କୋହଲି କିନ୍ତୁ ହୋଇଥିଲେ ସେହି ସେମିଫାଇନାଲର ଶ୍ରେଷ୍ଠ ଖେଳାଳି। ଏବେ ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲକୁ ନ୍ୟୁଜିଲାଣ୍ଡ୍ ଅଷ୍ଟମ ଥର ଏବଂ ଭାରତ ସପ୍ତମ ଥର ଉନ୍ନୀତ ହୋଇଛି।

ସମ୍ବନ୍ଧିତ ଖବର