ସଚିନ୍‌ଙ୍କ କୀର୍ତିମାନ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଉ ଏକ ମାଇଲ ଖୁଣ୍ଟ୍‌ ପ୍ରତିଷ୍ଠା କରିବାର ସୁଯୋଗ ରହିଛି। ଡିସେମ୍ବର ୬ ତାରିଖରୁ ଆଡିଲେଡ୍‌ ଓଭାଲ୍‌ରେ ଅଷ୍ଟ୍ରେଲିଆ ସହ ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ଖେଳିବ। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଏପର୍ଯ୍ୟନ୍ତ ୮ ଟେଷ୍ଟ୍‌ ଖେଳି ୫ ଶତକ ମାରି ସାରିଛନ୍ତି। ତେବେ ଏଭଳି ସଫଳତା ହାସଲ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ସର୍ବାଗ୍ରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ ୬ ଶତକ ହାସଲ କରି ସଚିନ୍‌ ଏବେ ବି ନିଜ ନାମରେ ସର୍ବାଧିକ ଶତକ ଜମାଇବାର ଭାରତୀୟ କୀର୍ତିମାନ ଅତୁଟ ରଖିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ସୁନିଲ ଗାଭାସ୍କର (୫ ଶତକ, ୧୧ ମ୍ୟାଚ୍‌), ଭିଭିଏସ୍‌ ଲକ୍ଷ୍ମଣ (୪ ଶତକ, ୧୫ ମ୍ୟାଚ୍‌) ଏବଂ ମହିନ୍ଦର ଅମରନାଥ (୨ ଶତକ, ୮ ମ୍ୟାଚ୍‌) ସଚିନ୍‌ ଓ କୋହଲିଙ୍କ ପଛକୁ ପଛ ରହିଛନ୍ତି। ତେବେ ଚଳିତ ଗସ୍ତରେ ଭାରତ ୪ ଟେଷ୍ଟ୍‌ ଖେଳିବାର ରହିଛି। ଆଉ ମାତ୍ର ୨ଟି ଶତକ ହାସଲ କରିପାରିଲେ କୋହଲି ହିଁ ସଚିନ୍‌ଙ୍କ ସର୍ବାଧିକ ଶତକର କୀର୍ତିମାନକୁ ଭାଙ୍ଗି ଦେଇପାରିବେ। ସାଂପ୍ରତିକ ଫର୍ମକୁ ବିଚାର କଲେ କୋହଲିଙ୍କ ପାଖରେ ପୂରା ସୁଯୋଗ ରହିଛି। ସଚିନ୍‌ ଅଷ୍ଟ୍ରେଲିଆରେ ୨୦ ଟେଷ୍ଟ୍‌ ଖେଳି ଆଶ୍ଚର୍ଯ୍ୟଜନକ ଭାବେ ୫୩.୨୦ ହାରରେ ୧୮୦୯ ରନ୍‌ କରିଛନ୍ତି। ୩୦ ବର୍ଷ ବୟସ୍କ କୋହଲିଙ୍କ ପ୍ରଦଶର୍ନ ମଧ୍ୟ ଅଷ୍ଟ୍ରେଲିଆରେ ଦମ୍‌ଦାର ରହିଛି। ଏପର୍ଯ୍ୟନ୍ତ କୋହଲି ୮ ଟେଷ୍ଟ୍‌ରୁ ୬୨.୦୦ ହାରରେ ୯୯୨ ରନ୍‌ କରିସାରିଛନ୍ତି। ତେଣୁ ସଚିନ୍‌ଙ୍କଠୁ ଉନ୍ନତ ହାରରେ ରନ୍‌ କରିଥିବା କୋହଲି ତାଙ୍କ ସର୍ବାଧିକ ଶତକୀୟ ସଫଳତାକୁ ଟପିବାର ସୁଯୋଗ ଅପେକ୍ଷାରେ ରହିଛନ୍ତି।

କୋହଲି ବାହନୀକୁ ଗିଲକ୍ରିଷ୍ଟଙ୍କ ଚେତାବନୀ
ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ ରକ୍ଷକ ଆଦାମ ଗିଲକ୍ରିଷ୍ଟ କୋହଲି ବାହନୀକୁ କଡ଼ା‌ ଚେତାବନୀ ଦେଇଛନ୍ତି। ଅଷ୍ଟ୍ରେଲିଆର କଠିନ ପରିବେଶରେ ଖେଳିବା ଭାରତୀୟ ଖେଳାଳିଙ୍କ ପାଇଁ ସହଜ ହେବନି। ଅତିତରେ ଅନେକ କିମ୍ବଦନ୍ତୀ ଭାରତୀୟ ଖେଳାଳି ଏଠାରେ ସଂଘର୍ଷ କରିଛନ୍ତି। ଏଣୁ ଆସନ୍ତା ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ଦଳକୁ ଫେଭରିଟ୍ ଆଖ୍ୟା ଦେବା ଠିକ୍ ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଶୃଙ୍ଖଳା ଆରମ୍ଭରୁ ମୁଁ କୋହଲିଙ୍କ ଦଳକୁ ଫେବରିଟ୍ କହି ପାରିବି ନାହିଁ। ଇତିହାସ କହୁଛି ଯେ ଅଷ୍ଟ୍ରେଲିଆରେ ଖେଳିବା ଆଦୌ ସହଜ ନୁହେଁ। ଏଠି ଭଲ ଭଲ ଭାରତୀୟ ଦଳ ସଂଘର୍ଷ କରିଛନ୍ତି। କୋହଲିଙ୍କ ଦଳ ମଧ୍ୟ ଏଥିରୁ ବର୍ତିଯାଇ ପାରିବ ନାହିଁ ବୋଲି ଗିଲକ୍ରିଷ୍ଟ ଭବିଷ୍ୟବାଣୀ କରିଛନ୍ତି। ସେପଟେ ରୋହିତ ଶର୍ମା ଏହି ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଯୋଡ଼ିଦାର ହୋଇପାରିବେ ବ‌ୋଲି ପୂବର୍ତନ ଅଷ୍ଟ୍ରେଲୀୟ କ୍ରିକେଟର ଇଆନ ଚା‌ପେଲ କହିଛନ୍ତି। ଭାରତୀୟ ବ୍ୟାଟିଂକ୍ରମରେ ରୋହିତ ହିଁ କୋହଲିଙ୍କୁ ଆବଶ୍ୟକ ସମର୍ଥନ ଦେଇ ପାରିବେ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର