ସବୁ ଫର୍ମାଟରେ କୋହଲି ଅଧିନାୟକ, ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ବି ରହିବ ଦାୟିତ୍ବ

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ଅଲଗା ଫର୍ମାଟ୍ ପାଇଁ ଅଲଗା ନେତୃତ୍ବ ନିଯୁକ୍ତ ଲାଗି ଚାଲିଥିବା ଚର୍ଚାର ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ନିକଟ ଭବିଷ୍ୟତରେ ବି ଏଭଳି ଯୋଜନା ନ ଥିବା କଥା ଜଣେ ବିସିସିଆଇ କର୍ମକର୍ତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତୀୟ ଦଳ ରବିବାର ଚୟନ ହେବାକୁ ଯାଉଥିବା ବେଳେ ଏଭଳି ପୂର୍ବାନୁମାନର ଅନ୍ତ ଘଟିଛି। ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବିବେଚିତ ବିରାଟ କୋହଲି ଭାରତୀୟ ଦଳର ନେତୃତ୍ବକୁ ସବୁ ଫର୍ମାଟରେ ନେବେ। ଆସନ୍ତା ମାସରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ୩ ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଖେଳିବା ପରେ ୨ ଟେଷ୍ଟ୍ ଖେଳିବା କାର୍ଯ୍ୟକ୍ରମ ରହିଛି। ସବୁ ଫର୍ମାଟରେ କୋହଲିଙ୍କ ନେତୃତ୍ବ ମଧ୍ୟ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଜାରି ରହିବ ବୋଲି କୁହାଯାଇଛି। ରବିବାର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ ବୋଲି ସମ୍ପୃକ୍ତ ବିସିସିଆଇ ଅଧିକାରୀ ଜଣଙ୍କ ଦୃଢ଼ୋକ୍ତିର ସହ କହିଛନ୍ତି। ଶେଷ ଥର ପାଇଁ ଭାରତ ୨୦୧୬ ମସିହାରେ ଅଲଗା ଫର୍ମାଟ୍ ପାଇଁ ଅଲଗା ଅଧିନାୟକ ନିଯୁକ୍ତ କରିଥିଲା। ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ଏବଂ ବିରାଟ କୋହଲି ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ ଥିଲେ। ଏହା ପୂର୍ବରୁ ୨୦୦୭ ନଭେମ୍ବରରୁ ୨୦୦୮ ଅକ୍ଟୋବର ପର୍ଯ୍ୟନ୍ତ ଅନିଲ କୁମ୍ବଲେ ଟେଷ୍ଟ୍ ଦଳର ଏବଂ ମହେନ୍ଦ୍ର ସିଂହ ଧୋନି ଦିନିକିଆ ଦଳର ନେତୃତ୍ବ ସମ୍ଭାଳିଥିଲେ। କିନ୍ତୁ ଭାରତରେ ଏହି ବିଭାଜିତ ନେତୃତ୍ବ ତତ୍ବ କାମ କରୁନଥିବା ପ୍ରମାଣିତ ହୋଇଥିଲା।
ପ୍ରସାଦ ଅଧ୍ୟକ୍ଷତା କରିବେ

ଗୁରୁବାର ଭାରତୀୟ କ୍ରିକେଟ୍ ଦୁନିଆରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ବିସିସିଆଇର ଚୟନ ସମିତିକୁ ନେଇ। ଏଣିକି ବିସିସିଆଇର ସମ୍ପାଦକଙ୍କ ବଦଳରେ ଚୟନ ସମିତି ଅଧ୍ୟକ୍ଷ ବୈଠକ ଆହୂତ କରିବେ ବୋଲି ଦାୟିତ୍ବରେ ଥିବ ପ୍ରଶାସନିକ ସମିତି (ସିଓଏ) ନିଷ୍ପତ୍ତି ନେଇଥିଲା। ଅନ୍ୟପକ୍ଷରେ ଏକ ଅଦାଲତ ମାମଲା କାରଣରୁ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କୁ ରାଞ୍ଚି ବାହାରକୁ ଯିବା ବାରଣ ରହିଛି। ଫଳରେ ରବିବାର ମୁମ୍ବାଇରେ ବସିବାକୁ ଥିବା ଚୟନ ସମିତି ବୈଠକ ଏହାର ଅଧ୍ୟକ୍ଷ ଏମ୍‌ଏସ୍‌‌କେ ପ୍ରସାଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ। ଚୟନକର୍ତାମାନେ ମଧ୍ୟ ସମସ୍ତ ଖେଳାଳିଙ୍କ ଫିଟନେସ୍‌ ରିପୋର୍ଟ ଅପେକ୍ଷାରେ ରହିଛନ୍ତି। ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ବିଶ୍ରାମ ନେବା ସମ୍ଭାବନା ରହିଛି। ବିଶ୍ରାମ ପରେ ବୁମରା ଟେଷ୍ଟ୍ ଶୃଙ୍ଖଳା ବେଳକୁ ସତେଜ ହୋଇ ଫେରିବା ଆଶାରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଅନ୍ୟ ଦ୍ବିପାକ୍ଷିକ ଶୃଙ୍ଖଳା ଭଳି ଗୁରୁତ୍ବ ଦେଉଛି। ସମାନ ଶକ୍ତି ଓ ସଙ୍କଳ୍ପର ସହ ଖେଳିବାକୁ ଯୋଜନା କରିଛି। ଗତବର୍ଷ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଏବେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତକୁ ବି ସମାନ ଉତ୍ସାହରେ ଖେଳିବାକୁ ଖସଡ଼ା ପ୍ରସ୍ତୁତ କରୁଛି। ଏହା ପରେ ଆମେ ବାଂଲା‌ଦେଶ ବିପକ୍ଷରେ ଖେଳି ନ୍ୟୁଜିଲାଣ୍ଡ ଗସ୍ତ କରିବୁ। ପରବର୍ତୀ ୨୪ ମାସ ମଧ୍ୟରେ ଆମେ ସମସ୍ତ ଟେଷ୍ଟ୍‌ ଦେଶ ବିପକ୍ଷରେ ଖେଳିବୁ ବୋଲି ସମ୍ପୃକ୍ତ ବିସିସିଆଇ ଅଧିକାରୀ ଜଣଙ୍କ କହିଛନ୍ତି। ଭାରତ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ମଧ୍ୟ ଆଇସିସି ଟେଷ୍ଟ୍ ପ୍ରତିଯୋଗିତା ବଳୟର ଶୁଭାରମ୍ଭ କରିବ। ଅଗଷ୍ଟ ପହିଲାରୁ ଆସେସ୍ ଶୃଙ୍ଖଳାରୁ ଏହି ଟେଷ୍ଟ୍‌ ପ୍ରତିଯୋଗିତା ଆରମ୍ଭ ହେଉଛି। ସେ ଦୃଷ୍ଟିରୁ କୌଣସି ଦେଶ କୌଣସି ଶୃଙ୍ଖଳାକୁ ହାଲକାରେ ନେବ ନାହିଁ ବୋଲି ସେ ପ୍ରକା‌ଶ କରିଛନ୍ତି।

ଚୟନ ‌ବୈଠକରେ ଯୋଗଦେ‌ବେ କୋହଲି
ଆଗାମୀ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ରବିବାର ହେବ। ଏଥିପାଇଁ ଚୟନ ବୈଠକରେ ୫ ମନୋନୟନକର୍ତାଙ୍କ ସହିତ ଅଧିନାୟକ ବିରାଟ କୋହଲି ଯୋଗଦେବେ। ବୈଠକରେ ବିଶେଷକରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବି‌ଷ୍ୟତ ସଂପର୍କରେ ଆଲୋଚନା ହେବ। ଧୋନି ବିଶ୍ବକପ୍‌ ପରେ ପରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଯିବାର କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ମଧ୍ୟ ସେ ତାଙ୍କ ଭବିଷ୍ୟତ ଯୋଜନା ସଂପର୍କରେ କିଛି ବି ନିଷ୍ପତ୍ତି ନନେଇ ସମସ୍ତଙ୍କୁ ଝୁଲାଇ ରଖିଛନ୍ତି। ଫଳରେ ଧୋନିଙ୍କ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବା ସମ୍ଭାବନା ନାହିଁ। ବରଂ ମନୋନୟନ କମିଟି ତାଙ୍କୁ ବିଶ୍ରାମ ଦେବାକୁ ଚାହିଁଛି। ଏପରିସ୍ଥଳେ ଆଗକୁ ଧୋନିଙ୍କ ଭବିଷ୍ୟତ ସଂପର୍କରେ ବୈଠକରେ ଆଲୋଚନା କରାଯିବା ପ୍ରସଙ୍ଗ ହୋଇପଡ଼ିଛି। ସେହିପରି କୋହଲି, ବୁମ୍‌ରା, ଭୁବନେଶ୍ବର କୁମାର, ମହମ୍ମଦ ସାମିଙ୍କ ଭଳି ବରିଷ୍ଠଙ୍କ ସହିତ ହାର୍ଦିକ୍‌ ପାଣ୍ଡାଙ୍କୁ ମଧ୍ୟ ଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ଦେବାକୁ ମନୋନୟନକର୍ତା ଚାହୁଁଛନ୍ତି। ଅବଶ୍ୟ ଏହି ସମସ୍ତ ଖେଳାଳିଙ୍କୁ ସୀମିତ ଓଭର ଶୃଙ୍ଖଳାରୁ ବିଶ୍ରାମ ଦିଆଯିବ ଏବଂ ଟେ‌ଷ୍ଟ୍‌ ଶୃଙ୍ଖଳାରେ ସାମିଲ କରାଯିବ ଚିନ୍ତା ଚାଲଛି। ଫଳରେ ନଭ୍‌ଦୀପ ସାଇନି, ଖଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଶ୍ରେୟସ ଆୟର ଏବଂ ଶୁଭମନ୍‌ ଗିଲ୍‌ଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିବ। ଏହି ସମସ୍ତ ଖେଳାଳି ମଧ୍ୟ ଭାରତୀୟ-ଏ ଦଳ ପକ୍ଷରୁ ଏବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛନ୍ତି।

ସମ୍ବନ୍ଧିତ ଖବର