ବିଶ୍ବକପ୍‌ ଚୂଡାନ୍ତ ଏକାଦଶକୁ ନେଇ କୋହଲି ସ୍ପଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିକଟରୁ ଘରୋଇ ଦିନିକିଆ ଶୃଙ୍ଖଳାକୁ ୨-୩ରେ ହାରିଥିଲେ ମଧ୍ୟ ଭାରତୀୟ ଦଳ ଛାନିଆ ନୁହେଁ। ବିଶ୍ବକପ୍‌କୁ ମନରେ ରଖି ଦଳ ଏହି ଶୃଙ୍ଖଳାରେ କିଛି ସମନ୍ବୟକୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲା। ଏହାର ଅର୍ଥ ନୁହେଁ ଆମେ ବିଶ୍ବକପ୍‌ ଦଳ ଚୟନକୁ ନେଇ ଦ୍ବନ୍ଦ୍ବରେ ରହିଛୁ। ବରଂ ବିଶ୍ବକପ୍‌ ଚୂଡାନ୍ତ ସମୟନ୍ବକୁ ନେଇ ଆମେ ସ୍ପଷ୍ଟ ଓ ସ୍ଥିର ନିଶ୍ଚିତ ରହିଛୁ‌ ବୋଲି କହିଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ଡ୍ରେସିଂ ରୁମ୍‌ରେ ଥିବା କୌଣସି ଖେଳାଳି ଏହି ପରାଜୟକୁ‌ ନେଇ ଛାନିଆ କି ଚିନ୍ତିତ ନୁହନ୍ତି ବୋଲି ବୁଧବାର ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି ପ୍ରକାଶ କରିଥିଲେ। ଏ ଶୃଙ୍ଖଳା ପରେ ବିଶ୍ବକପ୍‌ ହିଁ ଏକମାତ୍ର ବଡ଼ ପ୍ରତିଯୋଗିତା। ଆମ ଦଳ ସମ୍ପୂର୍ଣ୍ଣ ସନ୍ତୁଳିତ ରହିଛି, କିନ୍ତୁ ଅଷ୍ଟ୍ରେଲିଆ ଚାପ ପରିସ୍ଥିତିରେ ଭଲ ସନ୍ତୁଳନ ଦେଖାଇ ସଫଳ ହେଲା ବୋଲି କ‌ୋହଲି ସ୍ବୀକାର କରିଥିଲେ। ଗୋଟିଏ ଦଳ ଭାବେ କିମ୍ବା ସମନ୍ବୟ ଦୃଷ୍ଟି କୋଣରୁ ଦେଖିଲେ ବିଶ୍ବକପ୍‌ ପାଇଁ ଆମ ପାଖରେ କେବଳ ଗୋଟିଏ ପରିବର୍ତନ ଆବଶ୍ୟକ କରୁଛୁ। ନତୁବା ବିଶ୍ବକପ୍‌ ଏକାଦଶକୁ ନେଇ ଆମେ ସ୍ପଷ୍ଟ ହୋଇସାରିଛୁ ବୋଲି ସେ ପ୍ରକାଶ କରିଥିଲେ।

ଭାରତ ବିଦାୟୀ ଶୃ୍‌ଙ୍ଖଳାରେ ବିଭିନ୍ନ ସମନ୍ବୟକୁ ନେଇ ଖେଳିଥିଲା। ବ୍ୟାଟିଂରେ ଅଧିନାୟକ କୋହଲିଙ୍କ ସହିତ ରୋହିତ ଶର୍ମା, ଶିଖର ଧାୱନ, କେଦାର ଯାଦବ ଏବଂ ଅଲରାଉଣ୍ଡର୍ ଭାବେ ବିଜୟ ଶଙ୍କରଙ୍କୁ ମିଳିଥିଲା ସୁଯୋଗ। ଶେଷ ଦୁଇ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ବିଶ୍ରାମ ନେବାରୁ ଋଷବ ପନ୍ତ୍‌ଙ୍କୁ ମିଳିଥିଲା ସୁଯୋଗ। ସେ କିନ୍ତୁ ୨ ପାଳିରୁ କରିଥିଲେ ୫୨ ରନ୍। ଲୋକେଶ ରାହୁଲଙ୍କୁ ଗୋଟିଏ ଏବଂ ଅମ୍ବାତି ରାୟୁଡୁଙ୍କୁ ମିଳିଥିଲା ୩ ମ୍ୟାଚ୍‌ ସୁଯୋଗ। ବୁଧବାର ଶେଷ ଦିନିକିଆରେ ୫ ଜଣିଆ ବୋଲିଂ ବିକଳ୍ପ ନେଇ ଭାରତ ଖେଳିବାରୁ ରାହୁଲଙ୍କୁ ବସାଇବାକୁ ପଡ଼ିଥିଲା। କିନ୍ତୁ ଭାରତ ୨-୦ରେ ଆଗୁଆ ରହିବା ପରେ ଶୃଙ୍ଖଳା ହାରିଯିବାରୁ ଏଥି ପାଇଁ ପରୀକ୍ଷା ନିରୀକ୍ଷାକୁ ଆଳ କରାଯାଇ ପାରିବ ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଶେଷ ୩ ମ୍ୟାଚ୍‌ରେ ବେଞ୍ଚ୍‌ ଖେଳାଳିଙ୍କୁ ଖେଳାଇବା ଯୋଜନା ହୋଇଥିଲା। ସେମାନେ କିଭଳି କରୁଛନ୍ତି ପରଖି ନିଆଗଲା। ଆମ କ୍ରିକେଟ୍‌ର ସ୍ତର ବଢ଼ାଇବା ଲାଗି ଏଭଳି କରିବାର ଥିଲା। ଏପରିକି କାକର ପ୍ରଭାବକୁ ଆମେ ଦୋଷ ଦେଇ ପାରିବୁ ନାହିଁ ବୋଲି କୋହଲି କହିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତନ ପରେ ଦଳର ସନ୍ତୁଳନ ପୂର୍ବ ସ୍ଥିତିକୁ ଚାଲି ଆସିବ ବୋଲି ସେ କହିଥିଲେ। ଭାରତୀୟ ଖେଳାଳିଙ୍କ ପରବର୍ତୀ ଦାୟିତ୍ବ ମାର୍ଚ ୨୩ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିବ। ବିଶ୍ବକପ୍‌ ପାଇଁ ଯେଉଁ ଖେଳାଳିମାନେ ଆଇପିଏଲ୍‌ରୁ ବିଶ୍ରାମ ଚାହୁଁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ ନିଜ ନିଜ ଫ୍ରାଞ୍ଚାଇଜ୍‌କୁ ଅନୁରୋଧ କରିପାରିବେ ବୋଲି କୋହଲି ମଧ୍ୟ କହିଛନ୍ତି। ଭାରତୀୟ ଦଳ ଫିଜିଓ ପ୍ୟାଟ୍ରିକ୍ ଫରହର୍ଟଙ୍କ ସହିତ ନିଜ ନିଜ ଖସଡ଼ା ପ୍ରସ୍ତୁତ କରିପାରିବେ ବୋଲି କୋହଲି ପରାମର୍ଶ ଦେଇଛନ୍ତି। କୌଣସି ଖେଳାଳିଙ୍କୁ କୌଣସି କାମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, କିନ୍ତୁ କେହି ବି ବିଶ୍ବକପ୍‌ରୁ ବଞ୍ଚିତ ରହିବା ଉଚିତ୍ ନୁହେଁ। ଏହା ଦଳର ସନ୍ତୁଳନକୁ ବିଗାଡ଼ିପାରେ ବୋଲି କୋହଲି କହିଛନ୍ତି। ବୁଧବାରର ପରାଜୟ ଫଳରେ ଭାରତ ୨୦୧୫ ମସିହା ପରେ ପ୍ରଥମ ଶୃଙ୍ଖଳା ହାରିଥିଲା। ସେହିଭଳି ଲଗାତାର ୩ ମ୍ୟାଚ୍‌ ହାରି ବିଶ୍ବକପ୍‌ ଯିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର