ଭାରତର ବିଶ୍ବକପ୍ ବିଜୟ କୋହଲିଙ୍କ ଉପରେ ନିର୍ଭରଶୀଳ: ପଣ୍ଟିଂ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଭାରତର ବିଶ୍ବକପ୍ ବିଜୟ ସ୍ବପ୍ନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ନିର୍ଭରଶୀଳ। କୋହଲି ସଫଳ ହେଲେ ଭାରତ ପୁଣି ଥରେ ବିଶ୍ବ ବିଜୟୀ ହେବ। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଶନିବାର ଏହା କହିଛନ୍ତି। କୋହଲିଙ୍କ ଦିନିକିଆ ପ୍ରଦର୍ଶନକୁ ପ୍ରଶଂସା କରି ଭାରତକୁ ସେ ଏକ ବିପଜ୍ଜନକ ଦଳ ଭାବେ ବର୍ଣ୍ଣନା କରିଛନ୍ତି। ବିଶ୍ବକପ୍‌ରେ ଆୟୋଜକ ଇଂଲଣ୍ଡ ସହ ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ସେମିଫାଇନାଲ୍ ଖେଳିବେ। ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟ ଅନ୍ୟ ଦୁଇ ଦାବିଦାର ବୋଲି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ରେ ଏକପ୍ରକାର ଲାଲ ବଲ୍ ବ୍ୟବହାର କରିବା ଲାଗି ଏମସିସି କ୍ରିକେଟ୍ ସମିତି କରିଥିବା ସୁପାରିସକୁ ନେଇ ପଣ୍ଟିଂ ସଂଶୟ ପ୍ରକାଶ କରିଛନ୍ତି। ସବୁ ପରିବେଶରେ ଗୋଟିଏ ପ୍ରକାର ବଲ୍ ବ୍ୟବହାର କରାଯାଇ ନପାରେ। ହେଲେ ଏମ୍‌ସିସି ସମିତି ଯଦି ଏଭଳି ପରାମର୍ଶ ଦେଇଥାଏ, ତାହାଲେ ତାକୁ ମୁଁ ସମର୍ଥନ କରିବି ବୋଲି ବ୍ୟକ୍ତିଗତ କାରଣ ପାଇଁ ସମିତିର ଗତ ବୈଠକରେ ଯୋଗ ଦେଇପାରିନଥିବା ପଣ୍ଟିଂ କହିଛନ୍ତି। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ଓ କୋହଲିଙ୍କ ମଧ୍ୟରେ ହେଉଥିବା ତୁଳନାକୁ ସେ ପସନ୍ଦ କରି ନାହାନ୍ତି।

ସମ୍ବନ୍ଧିତ ଖବର