କୋହଲି, ଧୋନିଙ୍କ ଶାରୀରିକ ପରୀକ୍ଷା

ବେଙ୍ଗାଲୁରୁ: ଇଂଲଣ୍ଡ ଗସ୍ତ ପୂର୍ବରୁ ଶୁକ୍ରବାର ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ନିଜର ଶାରୀରିକ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ସହ ପ୍ରଥମ ପର୍ଯ୍ୟାୟରେ ସୁରେଶ ରାଇନା, ଭୁବନେଶ୍ୱର କୁମାର ଏବଂ ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇନଥିବା କୁଲଦୀପ ଯାଦବ ମଧ୍ୟ ପରୀକ୍ଷା ଦେଇଥିଲେ। ବିସିସିଆଇ ନିୟମ ଅନୁସାରେ କୌଣସି ଗସ୍ତ ପୂର୍ବରୁ ଖେଳାଳିମାନେ ଶାରୀରିକ ପରୀକ୍ଷା କରିବେ। ଏହି ନିୟମାନୁସାରେ ଇଂଲଣ୍ଡ ଗସ୍ତ ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି ପଡ଼ିଆରେ ଭାରତୀୟ ଦଳ ଟ୍ରେନର ଶଙ୍କର ବସୁ ଏବଂ ତାଙ୍କ ସାଥୀଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍‌ ବେଳେ ଆହତ ହୋଇଥିବା କୋହଲି ଏଥିରେ ଉତ୍ତୀର୍ଣ୍ଣ ହେଲେ କି ନାହିଁ ସ୍ପଷ୍ଟ ହୋଇନାହିଁ। ତଥାପି ଏହି ସମୟରେ କୋହଲି ଅସୁବିଧା ଅନୁଭବ କରୁଥିବା ଜଣାପଡ଼ି ନଥିଲା। ଆହତ ଯୋଗୁଁ ସରେ ସହ ଚୁକ୍ତି କରିଥିବା କୋହଲି କାଉଣ୍ଟି କ୍ରିକେଟ୍‌ରୁ ଓହରି ଯାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଯଶପ୍ରୀତ ବୁମ୍‌ରା, ସିଦ୍ଧାର୍ଥ କୌଲ, ଓ୍ଵାସିଂଟନ୍‌ ସୁନ୍ଦର, ୟୁଜ୍‌ବେନ୍ଦର ଚହଲ ଏବଂ ମନୀଷ ପାଣ୍ଡେ ଏହି ପରୀକ୍ଷା ଦେବେ ବୋଲି ଏକାଡେମି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଭାରତ ଚଳିତ ମାସ ଶେଷ ସପ୍ତାହରେ ଇଂଲଣ୍ଡ ଗସ୍ତ କରି ଜୁନ୍‌ ୨୭ ଓ ୨୯ ତାରିଖରେ ଆୟର୍ଲାଣ୍ଡ ସହ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବା ପରେ ଜୁଲାଇ ୩ରୁ ଇଂଲଣ୍ଡ ସହ ୩ ଟେ୍ଵଣ୍ଟି-୨୦, ୩ ଦିନିକିଆ ଏବଂ ୫ ଟେଷ୍ଟ୍‍ ଖେଳିବ।

ସମ୍ବନ୍ଧିତ ଖବର