କୋହଲି ପ୍ରଥମ, ଅଷ୍ଟ୍ରେଲିଆ ବିପକ୍ଷରେ ୫୦୦ ଟ୍ବେଣ୍ଟି-୨୦ ରନ୍ କରିବାରେ

ମାର୍କଣ୍ଡକୁ ଭାରତ ଟୋପି

ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲାରେ ୨୪ ରନ୍‌ର ଛୋଟିଆ ପାଳି ଖେଳିଥିଲେ। ତା’ ଭିତରେ କିନ୍ତୁ ସେ ଏକ ନୂଆ କୀର୍ତ୍ତିମାନ କରି ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୫୦୦ ଟ୍ବେଣ୍ଟି-୨୦ ରନ୍ କରିବାରେ କୋହଲି ବିଶ୍ବର ପ୍ରଥମ ଖେଳାଳି ହୋଇଥିଲେ। ବିଶାଖାପାଟଣା ମ୍ୟାଚ୍ ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୪ ଟ୍ବେଣ୍ଟି-୨୦ ଖେଳି ୪୮୮ ରନ୍ କରିଥିଲେ। ଆଜି ବ୍ୟକ୍ତିଗତ ଭାବେ ୧୨ ରନ୍ ଛୁଇଁଲା ବେଳେ ହିଁ କୋହଲି ନୂଆ କୀର୍ତ୍ତିମାନର ଅଧିକାରୀ ହୋଇ ଯାଇଥିଲେ। ସଂପ୍ରତି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୨.୬୯ ଷ୍ଟ୍ରାଇକ୍ ରେଟ୍‌ ଏବଂ ୬୧ ହାରରେ ମୋଟ ୫୧୨ ରନ୍ କରିଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଜେପି ଡୁମିନି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଡୁମିନି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ୧୫ ମ୍ୟାଚ୍‌ରୁ ୩୭୮ ରନ୍ କରିଛନ୍ତି।

ପଞ୍ଜାବର ଭଟିଣ୍ଡାରେ ୧୯୯୭ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ୨୧ ବର୍ଷୀୟ ବିସ୍ମୟ ସ୍ପିନର ମୟଙ୍କ ମାର୍କଣ୍ଡ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଟ୍ବେଣ୍ଟି-୨୦ ଖେଳିବାରେ ସେ ଭାରତର ୭୯ତମ ଖେଳାଳି ହୋଇଥିଲେ। ଆଇପିଏଲ୍ ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ମାର୍କଣ୍ଡ ନିକଟରେ ଖେଳା ଯାଇଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ମ୍ୟାଚ୍‌ରେ ୫ ୱିକେଟ୍ ନେଇ ଭାରତକୁ ବିଜୟୀ କରାଇଥିଲେ। ଏହା ପରେ ହିଁ ତାଙ୍କୁ ବରିଷ୍ଠ ଦଳର ଟିକେଟ ମିଳିଥିଲା। ମାର୍କଣ୍ଡ ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରି ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ। ମୁମ୍ବାଇ ପକ୍ଷରୁ ୧୪ ମ୍ୟାଚ୍ ଖେଳି ୨୪.୫୩ ହାରରେ ସେ ୧୫ ୱିକେଟ୍ ଅକ୍ତିଆର କରିଥିଲେ। ଗତବର୍ଷ ମଧ୍ୟ ମାର୍କଣ୍ଡ ପଞ୍ଜାବ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ଲିଷ୍ଟ ଏ ଖେଳ ଆରମ୍ଭ କରିଥିଲେ। ଏହା ପରେ ଇଣ୍ଡିଆ ବି ଦଳରେ ସ୍ଥାନ ପାଇ ଦେଓଧର ଟ୍ରଫି ଖେଳିବାର ସୁଯୋଗ ଅର୍ଜନ କରିଥିଲେ। ଗତବର୍ଷ ହିଁ ସେ ରଣଜୀ ପଦାର୍ପଣ କରିଥିଲେ। ୨୦୧୮-୧୯ ରଣଜୀ ଋତୁରେ ପଞ୍ଜାବର ସଫଳତମ ବୋଲର ଭାବେ ମାର୍କଣ୍ଡ ୬ ମ୍ୟାଚ୍‌ରେ ୨୯ ୱିକେଟ୍ କରାୟତ କରିଥିଲେ। ସେ ମଧ୍ୟ ଏସିସି ଏମର୍ଜିଂ ଟିମ୍ ଏସିଆ କପ୍‌ରେ ଭାରତୀୟ ଦଳରୁ ଖେଳିଥିଲେ। ଅଷ୍ଟ୍ରେଲିଆ ୱିକେଟ୍‌ରକ୍ଷକ ପିଟର ହ୍ୟାଣ୍ଡ୍ସକମ୍ବ ମଧ୍ୟ ଆଜି ଟ୍ବେଣ୍ଟି-୨୦ ପଦାପର୍ଣ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାରେ ସେ ଅଷ୍ଟ୍ରେଲିଆର ୯୪ତମ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର