କୋହଲି ଓ ଧୋନିଙ୍କ କୀର୍ତିମାନ

ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଦ୍ରୁତତମ ୨୦୦୦ ରନ୍‌ କରିବାରେ ପ୍ରଥମ

ମାଞ୍ଚେଷ୍ଟର୍‌ (ଲଣ୍ଡନ): ଅଧିନାୟକ ବିରାଟ କୋହଲି ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ରେ ଦୁଇଟି କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୨୦୦୦ ରନ୍‌ ପୂରଣ କରିନେଇଥିଲା ବେଳେ ସବୁଠୁ କମ୍‌ ପାଳିରେ ୨୦୦୦ ରନ୍‌ ପୂର୍ଣ୍ଣ କରିବାରେ ବିଶ୍ୱର ପ୍ରଥମ ହୋଇଛନ୍ତି। ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫୋର୍ଡରେ ମଙ୍ଗଳବାର ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୨୨ ବଲ୍‌ରୁ ଅପରାଜିତ ୨୦ ରନ୍‌ କରିଥିବା ଅବସରରେ କୋହଲି ଦୁଇଟିଯାକ କୀର୍ତିମାନର ଅଧିକାରୀ ହେଲେ ଏହି ମ୍ୟାଚ୍‌ ପୂର୍ବରୁ ମୋଟ ୧୯୯୨ ରନ୍‌ କରିଥିବା କୋହଲି ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ରେ ୨୦୦୦ ରନ୍‌ ପୂରଣ କରିନେଲେ। ଏକ୍ଷେତ୍ରରେ ସେ ପ୍ରଥମ ଭାରତୀୟ ହୋଇଥିଲା ବେଳେ ବିଶ୍ୱର ଚତୁର୍ଥ ବ୍ୟାଟ୍‌ସ୍‌ମ୍ୟାନ୍‌ ହୋଇଛନ୍ତି। କୋହଲିଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ (୨୨୭୧ ରନ୍‌), ବ୍ରେଣ୍ଡନ ମ୍ୟାକ୍‌ଲମ୍‌ (୨୧୪୦ ରନ୍‌) ଏବଂ ପାକିସ୍ତାନର ସୋଏବ୍‌ ମଲ୍ଲିକ (୨୦୩୯ ରନ୍‌) ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ସୋଏବ୍‌ ମଲ୍ଲିକ ମଧ୍ୟ ଗତ ରବିବାର ଜିମ୍ବାେଓ୍ଵ ବିପକ୍ଷ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଅବସରରେ ପାକିସ୍ତାନର ପ୍ରଥମ ତଥା ବିଶ୍ୱର ତୃତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ୨୦୦୦ ରନ୍‌ ପୂରଣ କରିଥିଲେ। ତେବେ ଅନ୍ୟତମ ଭାରତୀୟ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାର ସୁଯୋଗ ପାଇଥିଲେ ମଧ୍ୟ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ମଙ୍ଗଳବାର ମ୍ୟାଚ୍‌ରେ ୩୦ ରନ୍‌ କରିଥିବା ରୋହିତ ୨୦୦୦ ରନ୍‌ଠୁ ଆଉ ୧୯ ରନ୍‌ ପଛରେ ରହିଗଲେ। ସେ ୭୫ ପାଳି ଖେଳି ଏବେ ୧୯୮୧ ରନ୍‌ କରିଛନ୍ତି।


ତେବେ ଦ୍ରୁତତମ ୨୦୦୦ ରନ୍‌ କରିବାରେ ସେ ବିଶ୍ୱ କୀର୍ତିମାନ ପାଇଲେ। କୋହଲି ୨୦୦୦ ରନ୍‌ ପୂରଣ କରିବା ପାଇଁ ମାତ୍ର ୫୬ ଟେ୍ଵଣ୍ଟି-୨୦ ପାଳି ଖେଳିଥିଲା ବେଳେ ଏକ୍ଷେତ୍ରରେ ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ (୬୬ ମ୍ୟାଚ୍‌)ଙ୍କ ନାମରେ ଥିବା ବିଶ୍ୱ କୀର୍ତିମାନକୁ ପଛରେ ପକାଇଦେଲେ। ଗପ୍ଟିଲ ୬୮ ଓ ସୋଏବ୍‌ ୯୨ ପାଳିରେ ୨୦୦୦ ରନ୍‌ ପୂରଣର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

ସର୍ବାଧିକ ଷ୍ଟମ୍ପିଂରେ ଆକ୍‌ମଲ୍‌ଙ୍କୁ ଟପିଲେ
ମାଞ୍ଚେଷ୍ଟର୍‌ (ଲଣ୍ଡନ): ବିରାଟ କୋହଲିଙ୍କ ଭଳି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଅବସରରେ ବିଶ୍ୱ କୀର୍ତିମାନର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଅନେକ କୀର୍ତିମାନ ପ୍ରତିଷ୍ଠା କରି ସାରିଥିବା ଏହି ଓ୍ଵିକେଟ୍‌ରକ୍ଷକ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ରେ ସର୍ବାଧିକ ଷ୍ଟମ୍ପିଂ କରିବାର ସଫଳତା ହାତେଇଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ର ଚତୁର୍ଦଶ ଓଭରରେ ଲଗାତାର ଦୁଇଟି ବଲ୍‌ (ତୃତୀୟ ଓ ଚତୁର୍ଥ)ରେ ଯଥାକ୍ରମେ ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ଙ୍କୁ ଷ୍ଟମ୍ପିଂ କରିଥିଲେ ଧୋନି। ତେବେ ରୁଟ୍‌ଙ୍କୁ ଷ୍ଟମ୍ପିଂ କରିବା ପରେ ଧୋନି ସର୍ବାଧିକ ୩୩ ଷ୍ଟମ୍ପିଂ କରିବାର ବିଶ୍ୱ କୀର୍ତିମାନ ପାଇଥିଲେ। ଏକ୍ଷେତ୍ରରେ ସେ ପାକିସ୍ତାନର କମ୍ରାନ୍‌ ଆକ୍‌ମଲଙ୍କ ନାମରେ ଥିବା ୩୨ ଷ୍ଟମ୍ପିଂ କୀର୍ତିମାନକୁ ପଛରେ ପକାଇଦେଲେ। ଆକ୍‌ମଲ ୫୮ ମ୍ୟାଚ୍‌ରେ ୩୨ ଷ୍ଟମ୍ପିଂ କରିଥିଲା ବେଳେ ଧୋନି ୯୧ ମ୍ୟାଚ୍‌ରେ ଏହାକୁ ଟପି ଯାଇଛନ୍ତି। ଅନ୍ୟପକ୍ଷରେ ଉଭୟ ଧୋନି ଓ ଆକ୍‌ମଲ ମଧ୍ୟ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ଓ୍ଵିକେଟ୍‌ରକ୍ଷକ ଭାବେ ସର୍ବାଧିକ ସଫଳତା ସାଉଁଟିବାରେ ଅଗ୍ରଣୀ ତାଲିକାରେ ଅଛନ୍ତି। ଧୋନି ସର୍ବାଧିକ ୮୨ ସଫଳତା ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ ଆକ୍‌ମଲ (୬୦) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଧୋନି ମଧ୍ୟ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ କ୍ୟାଚ୍‌ ନେବାରେ ସମସ୍ତ ଓ୍ଵିକେଟ୍‌ରକ୍ଷକଙ୍କଠୁ ବହୁ ଆଗରେ ରହିଛନ୍ତି। ଧୋନି ସର୍ବାଧିକ ୪୯ କ୍ୟାଚ୍‌ ନେଇଥିଲା ବେଳେ ତାଙ୍କ ପଛକୁ େଓ୍ଵଷ୍ଟଇଣ୍ଡିଜ୍‌ର ଦୀନେଶ ରାମ୍‌ଦୀନ୍‌ (୩୪) ରହିଛନ୍ତି। ହେଲେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରେ ଧୋନିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ସେ ଗୋଟିଏ କ୍ୟାଚ୍‌ ନେଇଥିଲେ ଅର୍ଧଶତକ ପୂରଣ କରିଥାନ୍ତେ। ହେଲେ ଧୋନିଙ୍କ ପାଇଁ ସେହି ସଫଳତା ବିଳମ୍ବିତ ହୋଇଛି।

ସମ୍ବନ୍ଧିତ ଖବର