କୋହଲି ଦ୍ରୁତତମ ୧୧,୦୦୦ ଆଉଟ୍ ନଥାଇ କ୍ରିଜ୍ ଛାଡ଼ିଲେ

୧୧ ହଜାର ରନ୍‌ କ୍ଲବ୍‌ରେ କୋହଲି ନବମ

ମାଞ୍ଚେଷ୍ଟର: ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ପୂର୍ବରୁ ମହମ୍ମଦ ଆମିର-ବିରାଟ କୋହଲି (୭୭ ରନ୍, ୬୫ ବଲ୍, ୭ ଚୌକା)ଙ୍କ ଲଢ଼େଇ ବେଶ୍ ଚର୍ଚାରେ ଥିଲା। ଏହି ଲଢ଼େଇକୁ କିନ୍ତୁ କୋହଲି ଆପତତଃ ଜିତି ନେଇଥିଲେ। ଭଲ ବଲ୍‌କୁ ସମ୍ମାନ ଦେଇ ଖରାପକୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। କୋହଲି ଓ ପାଣ୍ଡ୍ୟା (୨୬ ରନ୍, ୧୯ ବଲ୍, ୨ ଚୌକା, ୧ ଛକା) ମିଶିକି ଆମିରଙ୍କ ବିପକ୍ଷରେ କେତେକ ଭଲ ସଟ୍ ଖେଳିଥିଲେ। ଆମିର ଅବଶ୍ୟ କୋହଲିଙ୍କୁ ୪୭.୪ ଓଭରରେ ଏକ ସଠିକ୍ ବାଉନ୍ସରରେ ଆଉଟ୍ କରିଥିଲେ। ହେଲେ ଟେଲିଭିଜନ୍ ରିପ୍ଲେରୁ କୋହଲି ଆଉଟ୍ ନଥିଲେ ବୋଲି ଜଣାପଡ଼ିଥିଲା। ବଲ୍ ତାଙ୍କ ବ୍ୟାଟ୍‌ରେ ବାଜି ୱିକେଟ ରକ୍ଷକ ସର୍ଫରାଜ ଅହମ୍ମଦଙ୍କ ହାତକୁ ଯାଇଥିବା ଭାବି କୋହଲି ଅମ୍ପାୟାରଙ୍କ ସଙ୍କେତକୁ ଅପେକ୍ଷା ନକରି ଆଗୁଆ କ୍ରିଜ୍ ଛାଡ଼ି ଦେଇଥିଲେ। ପରେ ଡ୍ରେସିଂ ରୁମ୍‌କୁ ଯାଇ ନିଜ ନିଷ୍ପତ୍ତି ନେଇ ପସ୍ତଉଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ ଭାରତ ପାଖରେ ଗୋଟିଏ ରିଭ୍ୟୁ ମହଜୁଦ ମଧ୍ୟ ଥିଲା। କୋହଲି ରବିବାର ନିଜ ୫୧ତମ ଅର୍ଧଶତକୀୟ ପାଳି ଭିତରେ ଦିନିକିଆ କ୍ରିକେଟ୍‌ରେ ୧୧,୦୦୦ ରନ୍ ପୂରଣ କରି ନେଇଥିଲେ। ସେ ମାତ୍ର ୨୨୨ ପାଳି (୨୩୦ ମ୍ୟାଚ୍‌)ରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଦିନିକିଆରେ ୧୧,୦୦୦ ରନ୍ ପୂରଣ କରିବାରେ ‌କୋହଲି ମଧ୍ୟ ଦ୍ରୁତତମ ଖେଳାଳି ହୋଇଥିଲେ। ଏହି କ୍ରମରେ ସେ ସଚିନ ତେନ୍ଦୁଲକରଙ୍କୁ ଟପିଥିଲେ। ସଚିନ ୨୮୪ ମ୍ୟାଚ୍ ଏବଂ ୨୭୬ ପାଳିରୁ ୧୧,୦୦୦ ରନ୍ ପୂରଣ କରିଥିଲେ। ସୌରଭ ଗାଙ୍ଗୁଲି ୨୮୮ ପାଳି (୨୯୫ ମ୍ୟାଚ୍)ରେ ୧୧,୦୦୦ ରନ୍ ଅତିକ୍ରମ କରିଥିଲେ। ଏହା ପୂର୍ବରୁ କୋହଲି ମାତ୍ର ୨୦୫ ପାଳିରୁ ୧୦,୦୦୦ ରନ୍ ଛୁଇଁଥିଲେ।

ଖେଳାଳି ଦେଶ ଅବଧି ମ୍ୟାଚ୍‌ ରନ୍‌ ସର୍ବୋଚ୍ଚ ୧୦୦ ୫୦
ସଚିନ ତେନ୍ଦୁଲକର ଭାରତ ୧୯୮୯-୨୦୧୨ ୪୬୩ ୧୮,୪୨୬ ୨୦୦ ୪୯ ୯୬
କୁମାର ସାଙ୍ଗାକାରା ଶ୍ରୀଲଙ୍କା ୨୦୦୦-୨୦୧୫ ୪୦୪ ୧୪,୨୩୪ ୧୬୯ ୨୫ ୯୩
ରିକି ପଣ୍ଟିଂ ଅଷ୍ଟ୍ରେଲିଆ ୧୯୯୫-୨୦୧୨ ୩୭୫ ୧୩,୭୦୪ ୧୬୪ ୩୦ ୮୨
ସନଥ ଜୟସୂରିଆ ଶ୍ରୀଲଙ୍କା ୧୯୮୯-୨୦୧୧ ୪୪୫ ୧୩,୪୩୦ ୧୮୯ ୨୮ ୬୮
ମାହେଲା ଜୟବର୍ଧନେ ଶ୍ରୀଲଙ୍କା ୧୯୯୮-୨୦୧୫ ୪୪୮ ୧୨,୬୫୦ ୧୪୪ ୧୯ ୭୭
ଇଞ୍ଜାମାମ ଉଲ୍ ହକ୍ ପାକିସ୍ତାନ ୧୯୯୧-୨୦୦୭ ୩୭୮ ୧୧,୭୩୯ ୧୩୭* ୧୦ ୮୩
ଜ୍ୟାକ୍ କାଲିସ୍ ଦ.ଆଫ୍ରିକା ୧୯୯୬-୨୦୧୪ ୩୨୮ ୧୧,୫୭୯ ୧୩୯ ୧୭ ୮୬
ସୌରଭ ଗାଙ୍ଗୁଲି ଭାରତ ୧୯୯୨-୨୦୦୭ ୩୧୧ ୧୧,୩୬୩ ୧୮୩ ୨୨ ୭୨
ବିରାଟ କୋହଲି ଭାରତ ୨୦୦୮-୨୦୧୯ ୨୩୦* ୧୧,୦୨୦ ୧୮୩ ୪୧ ୫୧

ବିଜୟ ଶଙ୍କର ରବିବାର ବିଶ୍ବକପ ପଦାର୍ପଣ କରିଥିଲେ। ବ୍ୟାଟିଂରେ ୧୫ ବଲ୍‌ରୁ ୧୫* ରନ୍ କରିଥିଲେ। ବୋଲିଂରେ କିନ୍ତୁ ସେ କମାଲ କରିଥିଲେ। ପଞ୍ଚମ ଓଭରର ଚତୁର୍ଥ ବଲ୍‌ରେ ଭୁବନେଶ୍ବର କୁମାର ମାଂଶପେସୀରେ ଯନ୍ତ୍ରଣା ଅନୁଭବ କରି ପଡ଼ିଆ ଛାଡ଼ିବା ପରେ ଶଙ୍କର ସେହି ଓଭରକୁ ଶେଷ କରିବା ପାଇଁ ଆସିଥିଲେ। ହେ‌ଲେ ନିଜ ଲକ୍ଷ୍ୟଭେଦୀ ବଲ୍‌ରେ ପାକିସ୍ତାନକୁ ପ୍ରଥମ ଝଟ୍‌କା ଦେଇଥିଲେ। ତା’ ସହ ବିଶ୍ବକପରେ ବୋଲିଂ କରିଥିବା ନିଜ ପ୍ରଥମ ବଲ୍‌ରେ ୱିକେଟ୍ ଅର୍ଜନ କରିଥିବା ହାତଗଣତି ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଭୁବନେଶ୍ବର ନିଜ ଚାରିଟି ଯାକ ବଲ୍ ବାହାରକୁ ବାହାର କରିଥିଲେ। ଶଙ୍କର ସିଧା ବଲ୍ ପକାଇ ଇମାମ-ଉଲ୍-ହକଙ୍କୁ ଚକ୍‌ମା ଦେଇ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ସାଥୀ ଖେଳାଳି ଫକର ଜମନଙ୍କ ସହ ଆଲୋଚନା ପରେ ଇମାମ ରିଭ୍ୟୁ ନେଇ ନଥିଲେ।

ସମ୍ବନ୍ଧିତ ଖବର