ଇଂଲଣ୍ଡରେ ଶତକ କରିବାରେ କୋହଲି ଚତୁର୍ଥ ଭାରତୀୟ ଅଧିନାୟକ

ଏଜ୍‌ବାଷ୍ଟନ: ଚତୁର୍ଥ ଭାରତୀୟ ଅଧିନାୟକ ଭାବେ ଇଂଲଣ୍ଡରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‍ର ପ୍ରଥମ ପାଳିରେ ଗୁରୁବାର ବିରାଟ (୧୪୯) ଦମ୍‌ଦାର ଶତକ ଜମାଇଥିଲେ। ତାଙ୍କ ପୂର୍ବରୁ ଏମ୍‌ଏକେ ପୌଟଦୀ, ସୌରଭ ଗାଙ୍ଗୁଲି ଏବଂ ମହମ୍ମଦ ଆଝାରୁଦ୍ଦିନ୍‌ ଭାରତୀୟ ଅଧିନାୟକ ଭାବେ ଇଂଲଣ୍ଡରେ ଶତକ ହାସଲ କରିଥିଲେ। କୋହଲି ମଧ୍ୟ ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଇଂଲଣ୍ଡରେ କୌଣସି ଟେଷ୍ଟ୍‌ର ପ୍ରଥମ ପାଳିରେ ଶତକ ହାସଲ କଲେ। ପୂର୍ବରୁ ଓଲ୍‌ଡ ଟ୍ରାଫୋର୍ଡରେ ଆଝାରୁଦ୍ଦିନ୍‌ (୧୭୯) ଶତକ ଜମାଇଥିଲେ। ଯାହାକି ଇଂଲଣ୍ଡରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ରହିଛି।

୨୦୧୬ରୁ କୋହଲି ୭୩.୩୩ ପ୍ରତିଶତ ଅର୍ଧଶତକକୁ ଶତକରେ ପରିଣତ କରିଛନ୍ତି। ୧୫ ଅର୍ଧଶତକକୁ ସେ ୧୧ ଥର ଶତକରେ ପରିଣତ କରିଛନ୍ତି।
ଏଜ୍‌ବାଷ୍ଟନ୍‌ରେ ସଚିନ୍‌ ତେନ୍ଦୁଲକର (୧୯୯୬ ମସିହା)ଙ୍କ ପରେ କୋହଲି ଦ୍ୱିତୀୟ ଭାରତୀୟ ଭାବେ ଶତକ ଜମାଇଥିଲେ। କୋହଲିଙ୍କ ପରି ସଚିନ୍‌ ମଧ୍ୟ ସେହି ମ୍ୟାଚ୍‌ରେ ଏକାକୀ ଲଢ଼ିଥିଲେ। ତାଙ୍କ ପଛକୁ ସେହି ପାଳିର ସର୍ବାଧିକ ସ୍କୋର୍‌ ଥିଲା ୧୮। ୨୦୦୮ରେ ଶେଷ ବିଦେଶୀ ଅଧିନାୟକ ଭାବେ ଏଜ୍‌ବାଷ୍ଟନ୍‌ରେ ଗ୍ରେମ୍‌ ସ୍ମିଥ୍‌ (୧୫୪*) ଶତକ କରିଥିଲେ। ଜାଭେଦ୍‌ ମିଆଁଦାଦ୍‌, ମାର୍କ ଟେଲର ଏବଂ ଷ୍ଟିଭ୍‌ ଓ୍ଵ ବିଦେଶୀ ଅଧିନାୟକ ଭାବେ ମଧ୍ୟ ଏଜ୍‌ବାଷ୍ଟନ୍‌ରେ ଶତକ ହାସଲ କରିଥିଲେ।
ଇଂଲଣ୍ଡ ବିପକ୍ଷ ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ଭାରତର ୨୭୪ ରନ୍‌ ପ୍ରଥମ ପାଳି ସ୍କୋର୍‌ରେ କୋହଲି (୧୪୯)ଙ୍କ ଅବଦାନ ଥିଲା ୫୪.୩୭ ପ୍ରତିଶତ। ଯାହାକି ବିଦେଶୀ ଅଧିନାୟକ ଭାବେ ଇଂଲଣ୍ଡରେ ଦ୍ୱିତୀୟ ସର୍ବାଧିକ। ୫୫.୪୦ ପ୍ରତିଶତ ରନ୍‌ ସହ ମହେନ୍ଦ୍ର ସିଂହ ଧୋନୀ (ଓଭାଲ୍‌, ୨୦୧୪) ତାଙ୍କ ଆଗରେ ରହିଛନ୍ତି। ଧୋନି ଭାରତର ମୋଟ ୧୪୮ ରନ୍‌ରୁ ୮୨ କରିଥିଲେ।
ସପ୍ତମ ଓ୍ଵିକେଟ୍‌ ଭାବେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଆଉଟ୍‌ ହେବା ପରେ କୋହଲି ୧୧୬ ବଲ୍‌ ଖେଳିଥିଲେ। ଅନ୍ୟ ତିନି ବ୍ୟାଟ୍ସମ୍ୟାନ୍‌ ଈଶାନ୍ତ (୧୭), ଉମେଶ ଯାଦବ (୧୬) ଏବଂ ମହମ୍ମଦ ସାମି (୪) ମିଳିତ ଭାବେ ୩୭ ବଲ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର